ଗୀତାଞ୍ଜଳି ରେଷ୍ଟୁରାଣ୍ଟ ସୌନ୍ଦର୍ଯ୍ୟକରଣ ଓ ମରାମତି କାର୍ଯ୍ୟରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ

ଗୀତାଞ୍ଜଳି ରେଷ୍ଟୁରାଣ୍ଟ ସୌନ୍ଦର୍ଯ୍ୟକରଣ ଓ ମରାମତି କାର୍ଯ୍ୟରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ l କାର୍ଯ୍ୟ ସ୍ଥଳକୁ ଯାଉନାହାନ୍ତି କନିଷ୍ଠ ଯନ୍ତ୍ରୀ, ଠିକାଦାର ଓ ପର୍ଯ୍ୟଟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସଲାସୁତୁରାରେ ଚାଲିଛି ନିମ୍ନମାନର କାର୍ଯ୍ୟ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବୁଦ୍ଧିଜିବୀ ଓ ଅଂଚଳବାସୀ ।କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ଵାରା ପରିଚାଳିତ ଗୀତାଞ୍ଜଳି ରେଷ୍ଟୁରାଣ୍ଟ ସୌନ୍ଦର୍ଯ୍ୟକରଣ ଓ ମରାମତି କାର୍ଯ୍ୟରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ବେଳେ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ, ପର୍ଯ୍ୟଟନ ପ୍ରେମୀ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉଛି। ଖବରରୁ ପ୍ରକାଶ ଯେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ଵାରା ପରିଚାଳିତ ଗୀତାଞ୍ଜଳି ରେଷ୍ଟୁରାଣ୍ଟର ସୌନ୍ଦର୍ଯ୍ୟକରଣ ଓ ମରାମତି କାର୍ଯ୍ୟ ନିମନ୍ତେ ୩କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଠିକାଦାର ଚୟନ କରାଯାଇ ଗତ ୨୦୨୫ ମସିହା ଠାରୁ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ନିର୍ମାଣ କାର୍ଯ୍ୟରେ ଲୁଣି ବାଲି, ନିମ୍ନମାନର ସିମେଣ୍ଟ, ନିମ୍ନମାନର ଲୁହା ରଡ ସହିତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ କାର୍ଯ୍ୟ କରାଯାଉଛି। ଏହି କାର୍ଯ୍ୟ ହେଉଥିବା ସମୟରେ ପର୍ଯ୍ୟଟନ ଉନ୍ନୟନ ନିଗମର କନିଷ୍ଠ ଯନ୍ତ୍ରୀ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ଗୀତାଞ୍ଜଳି ରେଷ୍ଟୁରାଣ୍ଟରେ ଥିବା ପୁରୁଣା ପ୍ରାଚୀର ନାମକୁ ମାତ୍ର ଭଙ୍ଗା ଯାଇ ସେଥିରୁ ବାହାରୁ ଥିବା ସାମଗ୍ରୀଗୁଡ଼ିକ ଯୋଡା ଯାଇ ନୂତନ ପ୍ରାଚୀର କରାଯାଉଥିବା ନେଇ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଦର୍ଶାଯାଇ ଅର୍ଥ ହଡପ କରିବା ପାଇଁ ମସୁଧା ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ପୂର୍ବରୁ ଗୀତାଞ୍ଜଳି ରେଷ୍ଟୁରାଣ୍ଟ ପରିସରରେ ଥିବା ପୁରୁଣା ପିଲର ଉପରେ କାମ କରାଯାଉଥିବା ଦେଖିବାକୁ ମିଳିଛି।

ଏହି କାର୍ଯ୍ୟରେ ଠିକାଦାର ବାଲି ମିଶା ଦୋରସା ମାଟି ବଦଳରେ ଲୁଣି ମାଟି ପକାଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଗୀତାଞ୍ଜଳି ରେଷ୍ଟୁରାଣ୍ଟ ସୌନ୍ଦର୍ଯ୍ୟକରଣ ଓ ମରାମତି କାର୍ଯ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ଗୁପ୍ତ ବୁଝାମଣା ମଧ୍ୟରେ ରାଧେ ରାଧେ ନ୍ୟାୟରେ ଚାଲିଥିବା ବେଳେ ନାମକୁ ମାତ୍ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇ କୋଟି ଟଙ୍କା ବାଟମାରଣା କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି କାର୍ଯ୍ୟ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ମଧୁ ଚନ୍ଦ୍ରିକା ନୀତି ଯୋଗୁଁ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଳେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାର୍ଯ୍ୟ କରାଯାଉଛି ବୋଲି କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଗୁରୁତ୍ବର ଅଭିଯୋଗ ହେଉଛି। ଏହି କାମ ବିଭାଗୀୟ ଏଷ୍ଟିମେଣ୍ଟ ଅନୁଯାୟୀ ହେଉ ନ ଥିଲା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁଁ କାମ ଆଗେଇ ପାରୁ ନାହିଁ ବୋଲି ଆଲୋଚନା ହେଉଛି। ଏହି କାର୍ଯ୍ୟର ଗୁଣବତ୍ତା, କାମର ମାନ ପରୀକ୍ଷା, ଏଷ୍ଟିମେଣ୍ଟ ଅନୁଯାୟୀ କାର୍ଯ୍ୟ ହେଉଛି କି ନାହିଁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ବିଭାଗ ସଚିବ, ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ପର୍ଯ୍ୟଟକ ପ୍ରେମୀ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *