ସିଂହଦ୍ଵାରେ ମାଆ ତୋରଣ ଲକ୍ଷ୍ମୀ
ସିଂହଦ୍ଵାରେ ମାଆ ତୋରଣ ଲକ୍ଷ୍ମୀ
( ରାଗ — ବିଭାସ କେଦାର )
🖊️କବିରତ୍ନ ନୂତନ କୁମାର ବେହେରା
ସୃଷ୍ଟିରେ ସଂସାର ଆକାଶ ସାଗର,
ଆଦି ଅନ୍ତ ଯା’ର ଅଶେଷ ଅପାର।
ବ୍ରହ୍ମାଣ୍ଡ ଗୋଟିଏ ରୂପ ତା’ କୋଟିଏ
ପ୍ରାଣୀ ପ୍ରାଣ ପାଏ ସୁଖେ ରହିଥାଏ।
ଦେବାସୁର ମିଶି ମନ୍ଥିଲେ ଯେ ଆସି,
ସିନ୍ଧୁ ଜଳରାଶି ଶକତି ପ୍ରକାଶି।
ତହୁଁ ଆବିର୍ଭାବୀ ମହାଲକ୍ଷ୍ମୀ ଦେବୀ,
ଜଗତେ ପ୍ରଭାବି ପ୍ରକାଶିଲେ ଛବି।
କ୍ଷୀରାବ୍ଧି ତନୟା ନାମେ ମହାମାୟା,
କରନ୍ତି ସୁଦୟା ମାତା ବିଷ୍ଣୁପ୍ରିୟା।
ସାଗରରୁ ଜନ୍ମି ହେଲେ ମହାଲକ୍ଷ୍ମୀ,
ପ୍ରଭୁ ଅନ୍ତର୍ଯ୍ୟାମୀ ସ୍ଵୟଂ ତାଙ୍କ ସ୍ଵାମୀ।
ଜନ୍ମ ଲଭି ମାତା ଜଗତେ ବିଦିତା,
ସାଗର ଦୁହିତା ସଂସାରର ହିତା।
ଭିନ୍ନ ଏକ ମତ ପୁରାଣେ ବର୍ଣ୍ଣିତ
ଲକ୍ଷ୍ମୀ ହେଲେ ଜାତ ହିତରେ ଜଗତ।
ପ୍ରଜାପତି ଭୃଗୁ ଜ୍ଞାନ ଧ୍ୟାନ ଯୋଗୁଁ ,
ବିଚାରିଣ ଆଗୁଁ ଜାତ କଲେ ତ୍ୟାଗୁଁ।
ଲକ୍ଷ୍ମୀ ନାମେ କନ୍ୟା ଜନ୍ମି ସେ ଅନନ୍ୟା,
ଅନ୍ନଦାତ୍ରୀ ଧନ୍ୟା ମହାଲକ୍ଷ୍ମୀ ମାନ୍ୟା।
ଅତୁଲ୍ୟ ସୌନ୍ଦର୍ଯ୍ୟ ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ
ସର୍ବ ଗୁଣେ ସଜ ଶ୍ରୀବିଷ୍ଣୁ ଆଶ୍ଚର୍ଯ୍ୟ।
ନାମ ପାଇଲେ ଶ୍ରୀ ଶ୍ରୀ ମୟେ ଧରିତ୍ରୀ
ପୁଣ୍ୟା ତାଙ୍କୁ ଧରି ତାଙ୍କ ଗୁଣ ସ୍ମରି।
ଶ୍ରୀ’ରୁ ଶ୍ରୀମନ୍ଦିର ହେଲା ଶୋଭାକାର
ଶ୍ରୀ ନାମେ ଶ୍ରୀଧର ଯେ ବଡ଼ ଠାକୁର।
ମାସ ମାର୍ଗଶିର ଶୁକ୍ଳ ଗୁରୁବାର,
ସୁଦଶା ବ୍ରତର ଶୁଭ ଅବସର।
ଏ ଦିବସେ ମାତା ହେଲେ ଆବିର୍ଭୂତା,
ସେ ଜଗତଜିତା ବ୍ରହ୍ମାଣ୍ଡେ ପୂଜିତା।
ବ୍ରହ୍ମାଙ୍କର ସୁତ ଭୃଗୁ ନାମେ ଜ୍ଞାତ,
ଥିଲା ତାଙ୍କ ଜ୍ଞାନ କଲ୍ୟାଣେ ଜଗତ।
ଅନେକ ବିଚାରି ଶରୀରରୁ ଶିରୀ
ସେ ବାହାର କରି ସୃଜିଲେ ଯେ ନାରୀ।
କାଶ୍ୟପ ମହର୍ଷି ବ୍ରହ୍ମାଙ୍କୁ ଭରସି
ସୃଷ୍ଟି କଲେ ବସି ବ୍ରହ୍ମତ୍ଵ ପ୍ରକାଶି।
ଜନ୍ମି ଜୀବକୁଳ କ୍ଷୁଧାରେ ବିକଳ
ହେବାରୁ ଜଟିଳ ବଢିଲା ଜଞ୍ଜାଳ।
ଚିନ୍ତି ଦେବକୁଳ ପ୍ରାଣୀ ଆୟୁ ବଳ,
ଦେବେ ଅନ୍ନ ଜଳ ହୋଇବ ମଙ୍ଗଳ।
ଅନ୍ନର ଦାୟିତ୍ଵ ଲକ୍ଷ୍ମୀଙ୍କୁ ଅର୍ପିତ,
କଲେ ବ୍ରହ୍ମା ସୁତ ଜାଣିଲା ଜଗତ।
ଭୃଗୁଙ୍କ ସେ ପୁତ୍ରୀ ହେଲେ ଅନ୍ନଦାତ୍ରୀ,
ହୋଇ ପ୍ରିୟପାତ୍ରୀ ପାଳିଲେ ଧରିତ୍ରୀ।
ଯେତେ ଖାଦ୍ୟ ଶସ୍ୟ ହୁଏ ଯାହା ଦୃଶ୍ୟ
ଲକ୍ଷ୍ମୀଙ୍କ ଆଶିଷ ତହିଁରେ ପ୍ରକାଶ।
ହୁଏ ସବୁ ଜନ୍ମ ଜଗତେ ଅସୀମ,
ଜୀବ କରି ଶ୍ରମ ପାଳଇ ଧରମ।
ସିଂହଦ୍ଵାରେ ସାହା ତୋରଣ ଲକ୍ଷ୍ମୀ ମା’
ଭକ୍ତ ମାଗେ ଯାହା କରନ୍ତି ସେ ସ୍ଵାହା।
ମନ୍ଦିର ପ୍ରବେଶେ ମାତା ଅଗ୍ରେ ଦିଶେ
ପୂଜି ତାଙ୍କୁ ପାଶେ ମଙ୍ଗଳ ମନାସେ।
ପ୍ରତି ଗୁରୁବାର ହୁଏ ଉପଚାର
କରୁଣା ତାଙ୍କର ଝରେ ନିରନ୍ତର।
ମା’ ତୋରଣ ଲକ୍ଷ୍ମୀ ଶ୍ରୀପାଦେ ପ୍ରଣମି
ଦରଶନେ ଥମି ହୁଏ ଅଗ୍ରଗାମୀ।
ବଡ଼ ଠାକୁରାଣୀ କଲ୍ୟାଣକାରିଣୀ
ଆଶିଷ ଦାୟିନୀ ବିଷ୍ଣୁଙ୍କ ଘରଣୀ।
ମନେ ସଞ୍ଚି ଆଶା ରଖେ ଯେ ଭରସା
ମେଣ୍ଟେ କ୍ଷୁଧା ତୃଷା ଘୁଞ୍ଚଇ ଦୁର୍ଦ୍ଦଶା।
ଧ୍ୟାୟୀ ପାଦ ତଳେ ଲକ୍ଷ୍ମୀ କୃପା ବଳେ
ରୁହନ୍ତି ମଙ୍ଗଳେ ସଂସାରେ ସକଳେ।
ଏ ଜନ୍ମ ବୃତ୍ତାନ୍ତ ଶାସ୍ତ୍ରରେ ରଚିତ,
ମହାଲକ୍ଷ୍ମୀ ଜାତ କଲ୍ୟାଣେ ଜଗତ।
ତାଙ୍କ ପାଦପଦ୍ମେ ଭକତ ପ୍ରଣମେ,
ପୂଜି ଭକ୍ତି ପ୍ରେମେ ରହେ ଧରାଧାମେ।
ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
” ନବସୃଜନ ” ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
