ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉପରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର- ତା୨୧/୦୪/୨୬- ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ଅବ୍ୟାହତ ରହିଛି । ମାତ୍ର କଳାବଜାରୀ ଓ ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖୁଥିବା ବ୍ୟକ୍ତିଙ୍କ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ ଅଧିକାରୀ ମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଯାଞ୍ଚ କରୁଛନ୍ତି । ଏହି ଟିମ ଗୁଡିକ ଦୈନିକ ଭିତ୍ତିରେ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ କରୁଛନ୍ତି ।ଏ ଦିଗରେ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଆଜି ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଯାକ ଜିଲ୍ଲାର ୨୭୪୬ଟି ସ୍ଥାନରେ ଯାଞ୍ଚ କରାଯାଇଛି । ସେଥିମଧ୍ୟରୁ ଗ୍ୟାସ ଏଜେନ୍ସି ଓ ଅନ୍ୟ ସ୍ଥାନ ରହିଛି । ଏହି ସବୁ ସ୍ଥାନରୁ ୫୩୦୮ଟି ସିଲିଣ୍ଡର ଜବତ କରାଯାଇଛି । ଏତଦବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ ୩୯୭ ମାମଲା ରୁଜୁ କରାଯିବା ସହ ୩୧ଟି ଏଫଆଇଆର ଦାଖଲ କରାଯାଇଛି। ଏପରିକି କଳାବଜାରୀ ଓ ବେଆଇନ୍ ସିଲିଣ୍ଡର ଗଛିତ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି ।
