ଗୁଜରାଟର ବଡିନାରରେ ଜାହାଜ ମରାମତି କେନ୍ଦ୍ର ନିର୍ମାଣକୁ କ୍ୟାବିନେଟ ଅନୁମୋଦନ
ଗୁଜରାଟର ବଡିନାରରେ ଜାହାଜ ମରାମତି କେନ୍ଦ୍ର ନିର୍ମାଣକୁ କ୍ୟାବିନେଟ ଅନୁମୋଦନ l ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା ଅର୍ଥନୈତିକ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟି ଆଜି ଗୁଜରାଟର ବଡିନାରରେ ଏକ ଅତ୍ୟାଧୁନିକ ଜାହାଜ ମରାମତି କେନ୍ଦ୍ର ନିର୍ମାଣକୁ ଅନୁମୋଦନ କରିଛି। ଏହା ଜାତୀୟ ଜାହାଜ ମରାମତି ଇକୋସିଷ୍ଟମର ବିସ୍ତାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରକଳ୍ପକୁ ଦୀନଦୟାଲ ବନ୍ଦର କର୍ତ୍ତୃପକ୍ଷ (ଡିପିଏ) ଏବଂ କୋଚିନ୍ ସିପୟାର୍ଡ ଲିମିଟେଡ୍ (ସିଏସଏଲ) ଦ୍ୱାରା ମିଳିତ ଭାବରେ ୧୫୭୦ କୋଟି ଟଙ୍କା ବିନିଯୋଗରେ କାର୍ଯ୍ୟକାରୀ କରାଯିବ।ଏହି ପ୍ରକଳ୍ପକୁ ଏକ ବ୍ରାଉନଫିଲ୍ଡ କାରଖାନାଭାବେ ପରିକଳ୍ପନା କରାଯାଇଛି। ଏଥିରେ ରହିଛି ୬୫୦ ମିଟର ଜେଟି, ଦୁଇଟି ବଡ଼ ଭାସମାନ ଡ୍ରାଏ ଡକ୍, ଓ୍ବାର୍କସପ୍ ଏବଂ ସମ୍ପୃକ୍ତ ସାମୁଦ୍ରିକ ଭିତ୍ତିଭୂମି । ଭାଦିନାରର ପ୍ରାକୃତିକ ଗଭୀର ସମୁଦ୍ରକୂଳ, ପ୍ରମୁଖ ଜାହାଜ ଚଳାଚଳ ପଥ ସହିତ ଏହାର ସଂଯୋଗ ଏବଂ ମୁନ୍ଦ୍ରା ଏବଂ କାଣ୍ଡଲା ଭଳି ପ୍ରମୁଖ ବନ୍ଦର ନିକଟରେ ଥିବାରୁ ଏହା ବଡ଼ ବାଣିଜ୍ୟିକ ଓ ବିଦେଶୀ ଜାହାଜ ମରାମତି ଲାଗି ଏକ ଆଦର୍ଶ ସ୍ଥାନ। ଏହି ପ୍ରକଳ୍ପ ଦକ୍ଷତା ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ଏବଂ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ସହିତ ଆଖପାଖ ଅଞ୍ଚଳରେ ସାମୁଦ୍ରିକ ସହାୟକ ସେବା ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ପ୍ରଭାବ:ଭାଦିନାର ଜାହାଜ ମରାମତି କେନ୍ଦ୍ର ଭାରତର ଜାହାଜ ମରାମତି ଭିତ୍ତିଭୂମିକ୍ଷେତ୍ରରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ସିଧାସଳଖ ପୂରଣ କରିବ। ଦେଶରେ ବର୍ତ୍ତମାନ ୨୩୦ ମିଟର ଲମ୍ବରୁ ଅଧିକ ବଡ଼ ଜାହାଜ ମରାମତି କରିବା ପାଇଁ ପର୍ଯ୍ୟାପ୍ତ ଘରୋଇ କ୍ଷମତା ନାହିଁ। କିନ୍ତୁ ଏହି କେନ୍ଦ୍ର ୩୦୦ ମିଟର ପର୍ଯ୍ୟନ୍ତ ଜାହାଜର ମରାମତି ସକ୍ଷମ କରି ଭାରତ ଭିତରେ ବଡ଼ ଜାହାଜର ଉଚ୍ଚସ୍ତରୀୟ ମରାମତି କରିବ ସମ୍ଭବ କରିବ। ଏହା ବିଦେଶୀ ଜାହାଜ କାରଖାନା ଉପରେ ନିର୍ଭରଶୀଳତାକୁ ଯଥେଷ୍ଟ ହ୍ରାସ କରିବ ଏବଂ ବିଦେଶୀ ମୁଦ୍ରା ବ୍ୟୟକୁ କମାଇବ। ପଶ୍ଚିମତଟରେ ବର୍ଦ୍ଧିତ ଟର୍ଣ୍ଣଆରାଉଣ୍ଡ ସମୟ ଓ ସୁଦୃଢ ମରାମତି କ୍ଷମତା ଭାରତୀୟ ବନ୍ଦରଗୁଡ଼ିକର ପ୍ରତିଯୋଗିତାକ୍ଷମତାକୁ ବୃଦ୍ଧି କରିବ। ଏହି ପ୍ରକଳ୍ପ ଜାହାଜ ମରାମତି, ଲଜିଷ୍ଟିକ୍ସ ଏବଂ ଆନୁଷଙ୍ଗିକ ଶିଳ୍ପରେ ପ୍ରାୟ ୨୯୦ ପ୍ରତ୍ୟକ୍ଷ ଏବଂ ପ୍ରାୟ ୧୧୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଏକ ବ୍ୟାପକ ସାମୁଦ୍ରିକ ଶିଳ୍ପ ଇକୋସିଷ୍ଟମକୁ ମଧ୍ୟ ପ୍ରୋତ୍ସାହିତ କରିବ।ଏହି ପଦକ୍ଷେପ ଆଞ୍ଚଳିକ ଅର୍ଥନୈତିକ ବିକାଶରେ ଯୋଗଦାନ ଦେବ ଏବଂ ସାମୁଦ୍ରିକ ଭାରତ ଭିଜନ ୨୦୩୦ ଏବଂ ସାମୁଦ୍ରିକ ଅମୃତ କାଳ ଦୃଷ୍ଟିକୋଣ ୨୦୪୭ ଅନ୍ତର୍ଗତ ଭାରତର ଦୀର୍ଘକାଳୀନ ସାମୁଦ୍ରିକ ଲକ୍ଷ୍ୟ ସାଧନ କରିବ।
