ଶ୍ରୀମନ୍ଦିର ଛତିଶା ବୈଠକ ନିଯୋଗ
ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ଜୁଲାଇ ୨୭ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେ ନେଇ ଛତିଶା ନିଯୋଗ ସେବାୟତ ପ୍ରତିନିଧିଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ। ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଚଳିତବର୍ଷ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଆସନ୍ତା ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ତେବେ ସ୍ନାନଯାତ୍ରାରେ ପହଣ୍ଡି ବିଜେ, ଜଳ ବିଜେ, ଜଳ ଲାଗି, ଛେରା ପହଁରା, ହାତୀବେଶକୁ ଶୃଙ୍ଖଳିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ। ରଥଯାତ୍ରା ସମୟରେ ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ସହିତ ଶୃଙ୍ଖଳିତ ଦର୍ଶନ ନେଇ ସହଯୋଗ ଲୋଡ଼ା ଯାଇଛି। ବିଗତ ବର୍ଷ ଘଟିଥିବା ଅଘଟଣକୁ ସଂଶୋଧନ କରି ଚଳିତ ବର୍ଷ ସମସ୍ତଙ୍କର ସହଯୋଗରେ କିଭଳି ଶୃଙ୍ଖଳିତ ଘୋଷଯାତ୍ରା ଅନୁଷ୍ଠିତ ହେବ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଠାକୁରଙ୍କ ଦୈନନ୍ଦିନ ନୀତି କାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବକ ଛତିଶା ନିଯୋଗ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି। ଜୁନ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରାତଃ ୪ ଟା ୩୦ ରେ ମଙ୍ଗଳାର୍ପଣ, ୫ ଟା ରୁ ୭ ଟା ମଧ୍ୟରେ ଡୋର ଲାଗି, ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ। ୯ ଟା ବେଳେ ମଙ୍ଗଳା ଆଳତି ଅନୁଷ୍ଠିତ ହୋଇ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଦିନ ୧୨ ଟା ରୁ ୨ ଟା ମଧ୍ୟରେ ଜଳ ବିଜେ, ପୂଜା, ସ୍ନାନ ନୀତି ଅନୁଷ୍ଠିତ ହେବ। ୩ ଟା ୩୦ ମିନିଟ ସମୟରେ ଛେରା ପହଁରା ଅନୁଷ୍ଠିତ ହେବା ପରେ ୪ ଟା ରୁ ୫ ଟା ମଧ୍ୟରେ ମହାପ୍ରଭୁଙ୍କ ଚିତାକର୍ଷକ ହାତୀବେଶ ଅନୁଷ୍ଠିତ ହେବ। ରାତି ୧୧ ଟା ରୁ ୨ ମଧ୍ୟରେ ବାହୁଡା଼ ପହଣ୍ଡି ନୀତି ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ଦିନ ସକାଳ ୬ ଟା ରେ ମଙ୍ଗଳାଆଳତି ଅନୁଷ୍ଠିତ ହେବାପରେ ଅନ୍ୟାନ୍ୟ ନୀତିକାନ୍ତି କରାଯାଇ ସକାଳ ୮ ଟା ରୁ ୯ ଟା ମଧ୍ୟରେ ଗୋପାଳ ବଲ୍ଳଭ ଓ ସକାଳଧୂପ ନୀତି ଅନୁଷ୍ଠିତ ହେବ। ୯ ଟା ବେଳେ ରଥପ୍ରତିଷ୍ଠା, ୯ ଟା ୧୫ ରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇ ୯ ଟା ୩୦ ରେ ପହଣ୍ଡି ଆରମ୍ଭ ହେବ। ୧୨ ଟା ୩୦ ରେ ପହଣ୍ଡି ଶେଷ ହୋଇ ୧୨ ଟା ୩୦ ରୁ ୧ ଟା ମଧ୍ୟରେ ମଦନମୋହନ ବିଜେ ହେବେ। ଏହାପରେ ଚିତା ଲାଗି ଏବଂ ବେଶ ଶେଷ ହୋଇ ଦିନ ୨ ଟା ରୁ ୩ ଟା ମଧ୍ୟରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ। ୩ ଟା ରୁ ୪ ଟା ମଧ୍ୟରେ ଚାର ଫିଟା ଓ ଘୋଡା ସାରଥୀ ଲାଗି ପରେ ଅପରାହ୍ନ ୪ ଟାରେ ରଥ ଟଣା ଆରମ୍ଭ ହେବ। ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯାଇଛି। ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
