ମୁରବି
ମୁରବି
( ରାଗ — ଘଣ୍ଟାରବ ବା
ଚଳଘଣ୍ଟ କେଦାର )
🔹କବିରତ୍ନ ନୂତନ କୁମାର ବେହେରା
ବୃକ୍ଷର ଶ୍ରେଷ୍ଠ ଯେ ମୂଳ
ବିସ୍ତାରଇ ଶାଖା ଡ଼ାଳ’,
ଖାଦ୍ୟସାର ଖାଇ’ ବଞ୍ଚି ସେ ବଞ୍ଚାଇ’
ଦେଇଥାଏ ଫୁଲ ଫଳ’ ।୧।
ସଂସାର ହୋଇଲେ ବୃକ୍ଷ
ସେ ବୃକ୍ଷେ ମଣିଷ ଦକ୍ଷ,
ତା’ ଦେହର ଅଙ୍ଗେ ବିଭିନ୍ନ ପ୍ରତ୍ୟଙ୍ଗେ
ସବୁଠୁ ସାର ଯେ ମୁଖ ।୨।
ଶରୀରର ମୁଖ ପରି
ଗୃହରେ ମୁରବି ଶିରୀ,
ପରିବାର ଗଢ଼ି ପାଳୁଥାଏ ଲଢ଼ି
କଲ୍ୟାଣ କରେ ସବୁରି ।୩।
ମୁଖର ନିଃସୃତ ବାଣୀ
ପ୍ରକାଶେ ସେ ମନ ଜାଣି,
ପ୍ରେରଣା ଯୋଗାଇ ଆଗକୁ ନିଅଇ
ସେବା ଯତ୍ନେ ରଖେ ଋଣୀ ।୪।
ପରିବାରରେ ମୁରବି
ଯେସନେ ଆକାଶେ ରବି,
ଶକ୍ତିର ଆଧାର ହୋଇ ଦିଏ ବର
ବୁଦ୍ଧି ଜ୍ଞାନେ ଯେତେ ଭାବି ।୫।
ମୁରବିଙ୍କ ନ୍ୟାୟ ନୀତି
ନେଇ ହୁଅଇ ପ୍ରଗତି,
ଗୃହ ମଧ୍ୟେ ସ୍ରଷ୍ଟା ରୂପେ ମାର୍ଗଦ୍ରଷ୍ଟା
ପରିବାରର ସେ ଜ୍ୟୋତି ।୬।
ହୋଇ ତାଙ୍କ ଅନୁଗାମୀ
ସର୍ବେ ହୁଅନ୍ତି ଅଗ୍ରଣୀ,
ମୁରବି ଯେ ମୁଖ୍ୟ ହୋଇଥାନ୍ତି ସଖ୍ୟ
ଅନୁରାଗେ ଥା’ନ୍ତି ଜିଣି ।୭।
ବଂଶ ଗୋତ୍ର ଆଭିଜାତ୍ୟ
ତାଙ୍କଠୁ ଆସେ ଯା’ ସତ୍ୟ,
ସଂସ୍କାର ସଂସ୍କୃତି ନିୟତି ପ୍ରକୃତି
ପ୍ରକାଶିତ ହୁଏ ନିତ୍ୟ ।୮।
ମୁରବି ସର୍ବଦା ପୂଜ୍ୟ
ଜୀବନ ଅଙ୍କେ ସେ ଭାଜ୍ୟ,
ତାଙ୍କ ଆଶୀର୍ବାଦ ଘୁଞ୍ଚାଏ ବିପଦ
ସଫଳ ହୁଅଇ କାର୍ଯ୍ୟ ।୯।
ମୁରବିଙ୍କର ମୁରବି
ମହାପ୍ରଭୁ ଅନୁଭବୀ,
ଆତ୍ମାର ସମୀପେ ପରମାତ୍ମା ରୂପେ
ପ୍ରକାଶନ୍ତି ତାଙ୍କ ଛବି ।୧୦।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
