ଚିନ୍ମୟ ଅମୃତ ମହୋତ୍ସବ ବିଶ୍ବ ସମ୍ମିଳନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଚିନ୍ମୟ ଅମୃତ ମହୋତ୍ସବ ବିଶ୍ବ ସମ୍ମିଳନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ l ଚିନ୍ମୟ ମିଶନ ଦଶନ୍ଧି ଦଶନ୍ଧି ଧରି ସମାଜର ସେବା କରିବା ସହ ଭାରତର ଆଧ୍ୟାତ୍ମିକ ଜ୍ଞାନକୁ ବିଶ୍ୱରେ ପ୍ରସାର କରିଆସୁଛି: ପ୍ରଧାନମନ୍ତ୍ରୀଚିନ୍ମୟ ମିଶନ କେବଳ ଏକ ଅନୁଷ୍ଠାନ ନୁହେଁ, ଏହା ଏକ ଗଭୀର ଚିନ୍ମୟ ଚିନ୍ତାଧାରା; ଯାହାର ପ୍ରତିଷ୍ଠା କରିଥିଲେ ଜଣେ ‘ଚିନ୍ମୟ’ ଋଷି। ଏହାର ଦଶନ୍ଧି ଦଶନ୍ଧିର ଯାତ୍ରା ଚିନ୍ମୟ ସଂକଳ୍ପରେ ପରିପୂର୍ଣ୍ଣ; ଯାହା ‘ଚିନ୍ମୟ’, ତାହା ସ୍ୱାଭାବିକ ଭାବେ ଅମର ଏବଂ ଶାଶ୍ୱତ ଅମୃତରେ ପରିପୂର୍ଣ୍ଣ: ପ୍ରଧାନମନ୍ତ୍ରୀଆମ ରାଷ୍ଟ୍ର ହେଉଛି ଆମ ସଂସ୍କୃତିର ଜନ୍ମଭୂମି; ଏହି ରାଷ୍ଟ୍ର ହିଁ ଆମ ଅସ୍ତିତ୍ୱର ମୂଳଦୁଆ: ପ୍ରଧାନମନ୍ତ୍ରୀଚିନ୍ମୟ ମିଶନର ପ୍ରୟାସ ଯୋଗୁଁ ଆଜି ଲକ୍ଷ ଲକ୍ଷ ଯୁବକଯୁବତୀ ଭାରତର ସାଂସ୍କୃତିକ ଦୂତ ଭାବେ କାର୍ଯ୍ୟ କରୁଛନ୍ତି; ଏହି ଯୁବପିଢ଼ି ଭାରତୀୟ ମୂଲ୍ୟବୋଧକୁ ନୂଆ ପିଢ଼ି ପାଖରେ ପହଞ୍ଚାଉଛନ୍ତି: ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଚିନ୍ମୟ ଅମୃତ ମହୋତ୍ସବ ବିଶ୍ୱ ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସନ୍ଥମାନଙ୍କ ସ୍ନେହ ଓ ଆଶୀର୍ବାଦ ଯୋଗୁଁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ତାଙ୍କ ପାଇଁ ଏକ ଗଭୀର ଆଧ୍ୟାତ୍ମିକ ଅନୁଭୂତି। ଚିନ୍ମୟ ମିଶନ କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ଜଣେ ଋଷିଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅମର ଚେତନା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦଶନ୍ଧି ଦଶନ୍ଧି ଧରି ଏହି ମିଶନ ପବିତ୍ର ସଂକଳ୍ପ ଓ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିଆସୁଛି। ଏହି ଦୃଷ୍ଟିରୁ ମହୋତ୍ସବର ନାମ ‘ଚିନ୍ମୟ ଅମୃତ ମହୋତ୍ସବ’ ଅତ୍ୟନ୍ତ ପ୍ରାସଙ୍ଗିକ ମନେହେଉଛି।ଆଧୁନିକ ପ୍ରଯୁକ୍ତିବିଦ୍ୟା କିପରି ଏହି କାର୍ଯ୍ୟକ୍ରମର ଆବେଗିକ ସମ୍ପର୍କକୁ ବଢ଼ାଇଥିଲା, ତାହା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପୂଜ୍ୟ ଗୁରୁଦେବ ସ୍ୱାମୀ ଚିନ୍ମୟାନନ୍ଦଙ୍କ ସହ ହୋଲୋବଟ୍‌ ମାଧ୍ୟମରେ ହୋଇଥିବା ଆଲୋଚନାର ଅନୁଭୂତି ବାଣ୍ଟିଥିଲେ। ଏହି ଅନୁଭୂତି ତାଙ୍କୁ ୩୩ ବର୍ଷ ପଛକୁ ନେଇଯାଇଥିଲା ବୋଲି ସେ କହିଥିଲେ। ଏହା ସହ ୧୯୯୩ ମସିହାରେ ଗୁଜରାଟର ବଡ଼ୋଦରାଠାରେ ଗୁରୁଦେବଙ୍କ ସହ ହୋଇଥିବା ସାକ୍ଷାତକୁ ସେ ମନେ ପକାଇଥିଲେ। ଗୁରୁଦେବଙ୍କ ସ୍ନେହପୂର୍ଣ୍ଣ ବ୍ୟବହାର, ତାଙ୍କ ସହ ହୋଇଥିବା ଆଲୋଚନା ଓ ଆଶୀର୍ବାଦକୁ ପୁଣିଥରେ ସାକ୍ଷାତର ଅନୁଭୂତି ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଏଭଳି ଆବେଗିକ ସ୍ମୃତିକୁ ସାକାର କରିଥିବାରୁ ଚିନ୍ମୟ ମିଶନର ସଦସ୍ୟମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ। “ମୋ ପାଇଁ ଏହା ଏକ ଅତ୍ୟନ୍ତ ଆବେଗିକ ଅନୁଭୂତି,” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।୧୯୯୩ ମସିହା ଫେବୃଆରୀ-ମାର୍ଚ୍ଚ ମାସରେ ବିଶ୍ୱ ଧର୍ମ ସଂସଦର ଶତବାର୍ଷିକୀ ଅବସରରେ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଚିକାଗୋ ଆମନ୍ତ୍ରଣ କରିବା ପାଇଁ କରିଥିବା ନିଜର ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ଅଭିଭାଷଣର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହି ଶତବାର୍ଷିକୀ ପାଳନ କରାଯାଉଥିଲା। ଏହି କାର୍ଯ୍ୟକ୍ରମ ପାଇଁ ଗୁରୁଦେବ ସ୍ୱାମୀ ଚିନ୍ମୟାନନ୍ଦ ଆମେରିକାର ବିଭିନ୍ନ ସ୍ଥାନରେ ଲୋକଙ୍କୁ ନିରନ୍ତର ଏକତ୍ରିତ କରିଥିଲେ। ଶେଷରେ ଅଗଷ୍ଟ ୩ ତାରିଖରେ ସାନ୍‌ ଡିଏଗୋଠାରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ସେପ୍ଟେମ୍ବର ୧୧ ତାରିଖରେ ଚିକାଗୋଠାରେ ଆୟୋଜିତ ସମ୍ମିଳନୀରେ ଗୁରୁଦେବଙ୍କ ଅନୁପସ୍ଥିତିକୁ ସମସ୍ତେ ଗଭୀର ଭାବେ ଅନୁଭବ କରିଥିବା କଥା ସେ ମନେ ପକାଇଥିଲେ। ଗୁରୁଦେବଙ୍କ ସହ ତାଙ୍କର ଶେଷ ଆଲୋଚନା ଯୁବଶକ୍ତିର ବିକାଶକୁ ନେଇ ହୋଇଥିଲା। “ଏହାର ମୁଖ୍ୟ ସାରମର୍ମ ଥିଲା ଯୁବଶକ୍ତିର ବିକାଶ ଏବଂ ଯୁବଶକ୍ତି ମାଧ୍ୟମରେ ଏକ ସଶକ୍ତ ଓ ସମର୍ଥ ଭାରତ ଗଠନ!” ବୋଲି ଶ୍ରୀ ମୋଦୀ କହିଥିଲେ। ସେହି ସାକ୍ଷାତର କିଛି ବର୍ଷ ପରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାଠାରୁ ଆରମ୍ଭ କରି ଦୀର୍ଘ ୨୫ ବର୍ଷ ଧରି ସରକାରର ମୁଖ୍ୟ ଭାବେ ନିରନ୍ତର ଜନସେବା କରିବାର ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଯୁବପିଢ଼ି ସର୍ବଦା ତାଙ୍କ ନୀତି ଓ ପଦକ୍ଷେପର କେନ୍ଦ୍ରରେ ରହିଆସିଛନ୍ତି। ଚିନ୍ମୟ ଅମୃତ ମହୋତ୍ସବର ଯୁବ ସ୍ୱେଚ୍ଛାସେବୀମାନଙ୍କ ଉଦ୍ୟମକୁ ପ୍ରଶଂସା କରି ସେ କହିଥିଲେ ଯେ ସେମାନେ ବଡ଼ ବଡ଼ ଦାୟିତ୍ୱ ତୁଲାଇବା ସହ ୩୦୦ ଦିନ ମଧ୍ୟରେ ୪୦ ହଜାର କିଲୋମିଟର ଯାତ୍ରା କରି ଏକ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ସହ ଯୋଡ଼ି ହୋଇପାରିଛନ୍ତି। “ଏହି ଉଲ୍ଲେଖନୀୟ ପ୍ରୟାସ ପାଇଁ ସମଗ୍ର ଦଳକୁ ଅଭିନନ୍ଦନ’’ ପ୍ରଧାନମନ୍ତ୍ରୀ କହିଥିଲେ।ଉପନିଷଦର ମହାବାକ୍ୟ “ବୟମ୍ ଅମୃତସ୍ୟ ପୁତ୍ରାଃ” (ଆମେ ଅମୃତର ସନ୍ତାନ) ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ହଜାର ହଜାର ବର୍ଷ ଧରି ଜ୍ଞାନ ଓ ଆଲୋକର ସନ୍ଧାନରେ ଉଦ୍ୟମରତ ରହିଆସିଛି। ଏହାର କାରଣ ହେଉଛି ଭାରତର ଚେତନା ଓ ଜ୍ଞାନ ପରମ୍ପରା ଅମର। ଏହି ଭାବନାରୁ ପ୍ରେରଣା ପାଇ ସେ ସ୍ୱାଧୀନତାର ୭୫ତମ ବର୍ଷପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନର ଆହ୍ୱାନ ଦେଇଥିଲେ। ଏହା ଏକ ବିକଶିତ ଭାରତ ଗଠନର ଆଧାର ହେବା ସହ ମାନବତା ପ୍ରତି ଭାରତର ହଜାର ହଜାର ବର୍ଷର ଚିନ୍ତାଧାରାକୁ ପୁନର୍ଜୀବିତ କରିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅବସରରେ ଅନେକ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ସଂଗଠନ ପବିତ୍ର ସଂକଳ୍ପ ଗ୍ରହଣ କରିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ଅମୃତକାଳ ଅଭିଯାନ ସହ ଚିନ୍ମୟ ମିଶନ ଯୋଡ଼ି ହୋଇଥିବାରୁ ଖୁସି ପ୍ରକାଶ କରିଥିଲେ। “ଏହା ହିଁ ଆମେ ଅମୃତସ୍ୟ ପୁତ୍ରାଃ ବା ଅମୃତର ସନ୍ତାନ ହେବାର ପ୍ରକୃତ ପ୍ରମାଣ,” ଶ୍ରୀ ମୋଦୀ କହିଥିଲେ।“ବୟଂ ରାଷ୍ଟ୍ରେ ଜାଗୃୟାମ ପୁରୋହିତାଃ” ଅର୍ଥାତ୍ ରାଷ୍ଟ୍ରକୁ ଜାଗ୍ରତ ଓ ଉନ୍ନତ କରିବା ପାଇଁ ଆମେ ସର୍ବଦା ସଚେତନ ରହିବା-ଏହି ବୈଦିକ ବାଣୀର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ଚିନ୍ମୟାନନ୍ଦ ଆଧ୍ୟାତ୍ମିକତା ସହ ଜାତୀୟ ପ୍ରାଥମିକତା ସମ୍ପର୍କରେ ମଧ୍ୟ ସମାନ ଭାବେ ମୁଖର ଥିଲେ। ରାଷ୍ଟ୍ର ଆମ ସଂସ୍କୃତିର ଜନ୍ମଭୂମି ଏବଂ ଆମ ଅସ୍ତିତ୍ୱର ମୂଳଦୁଆ ହୋଇଥିବାରୁ ଆଧ୍ୟାତ୍ମିକ ବିକାଶ ବ୍ୟକ୍ତିଗତ ଉନ୍ନତି ଓ ଜାତୀୟ ପ୍ରଗତିକୁ ପ୍ରେରଣା ଦେବା ଉଚିତ ବୋଲି ସେ ଶିକ୍ଷା ଦେଇଥିଲେ। ଜାତୀୟ ଆତ୍ମସମ୍ମାନ ଜାଗ୍ରତ କରିବା ଉଦ୍ଦେଶ୍ୟରେ ସ୍ୱାମୀଜୀ ଗୀତା ଜ୍ଞାନଯଜ୍ଞ ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ଉପନିଷଦ, ବେଦାନ୍ତ ଓ ଧର୍ମଗ୍ରନ୍ଥର ଜ୍ଞାନକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଯାଇଥିଲା। ଆଜି ଚିନ୍ମୟ ମିଶନର ଲକ୍ଷ ଲକ୍ଷ ଯୁବକଯୁବତୀ ଭାରତୀୟ ମୂଲ୍ୟବୋଧର ପ୍ରଚାରକ ତଥା ସାଂସ୍କୃତିକ ଦୂତ ଭାବେ ଏହି ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି। “ପୂଜ୍ୟ ଗୁରୁଦେବଙ୍କ ଏହି ଅବଦାନ ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ନବଜାଗରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ,” ପ୍ରଧାନମନ୍ତ୍ରୀ କହିଥିଲେ।୨୦୧୫ ମସିହାରେ ଗୁରୁଦେବଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରାଯାଇଥିବା କଥା ମନେ ପକାଇ ପ୍ରଧାନମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଜୀବନକୁ ଜ୍ଞାନ, କର୍ମ ଓ ଭକ୍ତିର ଏକ ଅଦ୍ଭୁତ ସମନ୍ୱୟ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କ ଗୁରୁ ସ୍ୱାମୀ ଶିବାନନ୍ଦଙ୍କ “ଯାଅ, ସିଂହ ପରି ଗର୍ଜନ କର” ଆଶୀର୍ବାଦକୁ ସ୍ୱାମୀ ଚିନ୍ମୟାନନ୍ଦ ନିଜ ଜୀବନରେ ସାକାର କରିଥିଲେ ବୋଲି ସେ କହିଥିଲେ। ସ୍ୱାମୀଜୀଙ୍କ ଅନ୍ତରର ଦୃଢ଼ ବିଶ୍ୱାସ ଶ୍ରୋତାମାନଙ୍କ ଉପରେ ଗଭୀର ପ୍ରଭାବ ପକାଉଥିଲା। ତାଙ୍କର ‘ଆର୍ଟ ଅଫ୍ ମ୍ୟାନ୍ମେକିଂ’ (ମଣିଷ ଗଢ଼ିବାର କଳା) ରେଡିଓ କାର୍ଯ୍ୟକ୍ରମ ମଧ୍ୟ ଅସଂଖ୍ୟ ଲୋକଙ୍କୁ ଜୀବନର ସଠିକ୍ ଦିଗ ଦେଖାଇଥିଲା। “ତାଙ୍କ ସ୍ୱରରେ ଥିବା ଆତ୍ମବିଶ୍ୱାସ ଓ ଅନ୍ତରର ଶକ୍ତି ଶ୍ରୋତାମାନଙ୍କ ହୃଦୟରେ ତାଙ୍କ ଚିନ୍ତାଧାରାର ଗଭୀର ଛାପ ଛାଡ଼ିଯାଉଥିଲା,” ବୋଲି ଶ୍ରୀ ମୋଦୀ କହିଥିଲେ। ମହାପୁରୁଷମାନଙ୍କ ମିଶନ ଓ ଆଦର୍ଶ ସେମାନଙ୍କ ଜୀବନକାଳ ପରେ ମଧ୍ୟ ଜୀବନ୍ତ ରହିଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଚିନ୍ମୟ ମିଶନ ଦ୍ୱାରା ଗଢ଼ି ଉଠିଥିବା ବ୍ୟାପକ ଶିକ୍ଷା ନେଟୱର୍କର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଦେଶରେ ବର୍ତ୍ତମାନ ଚିନ୍ମୟ ମିଶନର ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ନିୟୋଜିତ ଅଛନ୍ତି। “ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନେ ଆଧୁନିକ ଶିକ୍ଷା ଲାଭ କରିବା ସହ ଭାରତୀୟ ମୂଲ୍ୟବୋଧକୁ ମଧ୍ୟ ଗ୍ରହଣ କରୁଛନ୍ତି,” ପ୍ରଧାନମନ୍ତ୍ରୀ କହିଥିଲେ।ସ୍ୱାମୀ ଚିନ୍ମୟାନନ୍ଦଙ୍କ ପରି ଚିନ୍ତାନାୟକମାନଙ୍କ ସ୍ୱାଧୀନତା ପରବର୍ତ୍ତୀ ଦୃଷ୍ଟିକୋଣ ସହିତ ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ସମନ୍ୱିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଭାରତ ଗଠନ ପାଇଁ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ କରିବା ଦିଗରେ ଦେଶ ସକ୍ରିୟ ଭାବେ ନିଜର କର୍ତ୍ତବ୍ୟ ପୂରଣ କରୁଛି। ସେ ଜାତୀୟ ଶିକ୍ଷା ନୀତିର ପ୍ରଣୟନ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ଏଥିରେ ଭାରତୀୟ ଜ୍ଞାନ ପରମ୍ପରା, ମାତୃଭାଷାରେ ଶିକ୍ଷା, ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରାଯାଇଛି। “ଏହି ନୂତନ ଶିକ୍ଷା ନୀତିରେ ଏସବୁକୁ ଗୁରୁତ୍ୱ ଦିଆଯାଇଛି,” ବୋଲି ଶ୍ରୀ ମୋଦୀ କହିଥିଲେ।ଭାରତୀୟ ଐତିହ୍ୟର ସଂରକ୍ଷଣ ପାଇଁ ସ୍ୱାମୀଜୀଙ୍କ ଆଜୀବନ ସମର୍ପଣ ଭାବକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, କନ୍ୟାକୁମାରୀ ସମୁଦ୍ର ମଧ୍ୟରେ ବିବେକାନନ୍ଦ ଶିଳା ସ୍ମାରକୀ ନିର୍ମାଣ କରିବା ପାଇଁ ଏକନାଥ ରାଣାଡେଙ୍କ ସଂକଳ୍ପକୁ ଗୁରୁଦେବ ଦୃଢ଼ ସମର୍ଥନ ଦେଇଥିଲେ ଏବଂ ଏହି ପ୍ରକଳ୍ପ ପାଇଁ ପ୍ରଥମ ଆର୍ଥିକ ସହଯୋଗ ମଧ୍ୟ ପ୍ରଦାନ କରିଥିଲେ। ଏହି ସ୍ମାରକୀ ଆଜି ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି ବୋଲି ସେ କହିଥିଲେ। “ସ୍ୱାମୀଜୀଙ୍କ ଜୀବନର ଅନ୍ୟ ଏକ ଲକ୍ଷ୍ୟ ଥିଲା ଭାରତୀୟ ଐତିହ୍ୟ ପ୍ରତି ଗର୍ବବୋଧ ସୃଷ୍ଟି କରିବା ଏବଂ ଏହାର ସଂରକ୍ଷଣ କରିବା,” ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ଯାଏ ସମଗ୍ର ଦେଶରେ ସୃଷ୍ଟିହୋଇଥିବା ବ୍ୟାପକ ସାଂସ୍କୃତିକ ନବଜାଗରଣ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ଧାମର ବ୍ୟାପକ ନବୀକରଣ, ଅଯୋଧ୍ୟାର ଶ୍ରୀରାମ ମନ୍ଦିର, ଉଜ୍ଜୟିନୀର ମହାକାଳ ମହାଲୋକ, କେଦାରନାଥ ଓ ବଦ୍ରିନାଥର ପୁନରୁଦ୍ଧାର ସହିତ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାଂସ୍କୃତିକ ସ୍ଥଳଗୁଡ଼ିକର ସାମିଲ ହେବା ସମ୍ପର୍କରେ କହିଥିଲେ। ପୂର୍ବରୁ ଭାରତରୁ ଚୋରି ହୋଇଥିବା ପ୍ରାଚୀନ କଳାକୃତିଗୁଡ଼ିକ ବିଦେଶରେ ନିର୍ବିଘ୍ନରେ ବିକ୍ରି ହେଉଥିବାବେଳେ ଏହାର ବିରୋଧରେ କୌଣସି ପଦକ୍ଷେପ ନିଆଯାଉ ନଥିଲା। ଏହାର ବିପରୀତ, ଗତ ୧୨ ବର୍ଷ ମଧ୍ୟରେ ଦେଶର ଐତିହ୍ୟ ସମ୍ପଦକୁ ଫେରାଇ ଆଣିବା ଦିଗରେ ହୋଇଥିବା ଉଦ୍ୟମକୁ ସେ ଉଲ୍ଲେଖ କରିଥିଲେ। “ଗତ ୧୨ ବର୍ଷ ମଧ୍ୟରେ ଆମେ ଏପରି ୬୫୦ରୁ ଅଧିକ ପ୍ରାଚୀନ ମୂର୍ତ୍ତି ମଧ୍ୟ ଫେରାଇ ଆଣିଛୁ,” ବୋଲି ଶ୍ରୀ ମୋଦୀ କହିଥିଲେ।ସ୍ୱାମୀଜୀ ଭାରତୀୟ ଦର୍ଶନକୁ ବିଶ୍ୱଦରବାରରେ ପହଞ୍ଚାଇଥିବାବେଳେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ୱକୁ ଭାରତ ସହ ଯୋଡ଼ୁଛି ବୋଲି ପ୍ରଧାନମନ୍ତ୍ରୀ ତୁଳନା କରିଥିଲେ। ଐତିହ୍ୟକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ନୂତନ ଗର୍ବବୋଧ ଏବଂ ଔପନିବେଶିକ ମାନସିକତାରୁ ମୁକ୍ତି ଏହା ପ୍ରମାଣ କରୁଛି ଯେ, ଭାରତ ପ୍ରାଚୀନ ଋଷି ଓ ଦେଶଭକ୍ତମାନେ ଦେଖାଇଥିବା ପଥରେ ଆଗକୁ ବଢ଼ୁଛି। ଏହି ଯାତ୍ରାରେ ସେମାନଙ୍କ ବୌଦ୍ଧିକ ଐତିହ୍ୟ ଦେଶର ସବୁଠାରୁ ବଡ଼ ଶକ୍ତି ହୋଇ ରହିଛି ବୋଲି ସେ କହିଥିଲେ।“ଆମ ଐତିହ୍ୟକୁ ନେଇ ଏହି ଆତ୍ମବିଶ୍ୱାସ ଏବଂ ଦାସତ୍ୱର ମାନସିକତାରୁ ମୁକ୍ତି ପାଇଥିବାର ଏହି ଦୃଢ଼ ବିଶ୍ୱାସ ହିଁ ପ୍ରମାଣ କରୁଛି ଯେ, ଦେଶ ଏବେ ସେହି ପଥରେ ଆଗକୁ ବଢ଼ୁଛି,” ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।ବିଭିନ୍ନ ସଂଗଠନର ଲକ୍ଷ୍ୟ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ସମସ୍ତଙ୍କ ପଥ ଶେଷରେ ଦେଶର ବିକାଶ ଓ ଗୌରବ ରୂପକ ଏକକ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସ୍ୱାମୀ ଚିନ୍ମୟାନନ୍ଦ ନିଜ ସମୟର ଆହ୍ୱାନ ଓ ସମସ୍ୟା ଅନୁଯାୟୀ ନିଜର ସଂକଳ୍ପ ନିର୍ଦ୍ଧାରଣ କରିଥିବା ପରି ଆଜିର ପିଢ଼ିକୁ ମଧ୍ୟ ଆଧୁନିକ ସମାଜର ବିକୃତି ଓ ଆହ୍ୱାନଗୁଡ଼ିକର ମୁକାବିଲା କରିବାକୁ ହେବ ବୋଲି ସେ କହିଥିଲେ। ବିଭାଜନକାରୀ ଶକ୍ତି ବିରୋଧରେ ସମାଜକୁ ଏକଜୁଟ କରିବା, ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତ୍ୟେକ ନାଗରିକଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ସହ ଯୋଡ଼ିବା ପାଇଁ ସକ୍ରିୟ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ। “ଆଜି ଆମକୁ ବିଭାଜନକାରୀ ଶକ୍ତି ବିରୋଧରେ ସମାଜକୁ ଏକଜୁଟ କରିବାକୁ ହେବ,” ଶ୍ରୀ ମୋଦୀ ଆହ୍ବାନ ଦେଇଥିଲେ।୨୦୪୭ ମସିହାରେ ଭାରତର ସ୍ୱାଧୀନତାର ଶତବାର୍ଷିକୀ ସହ ଚିନ୍ମୟ ମିଶନର ଶତବାର୍ଷିକୀ ମଧ୍ୟ ପାଳିତ ହେବାର ଐତିହାସିକ ସଂଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉଭୟ ଯାତ୍ରାର ଲକ୍ଷ୍ୟ ସମାନ ଏବଂ ଏହାକୁ ଏକାଠି ଆଗକୁ ବଢ଼ିବାକୁ ହେବ। ଚିନ୍ମୟ ମିଶନର ବିଶ୍ୱବ୍ୟାପୀ ଆଚାର୍ଯ୍ୟ, ସାଧକ ଓ ସ୍ୱେଚ୍ଛାସେବୀଙ୍କ ପରିବାର ଗୁରୁଦେବଙ୍କ ଆଦର୍ଶ ଓ ଦଶନ୍ଧି ଦଶନ୍ଧିର ଅଭିଜ୍ଞତାକୁ ଉପଯୋଗ କରି ବିକଶିତ ଭାରତ ଗଠନରେ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ବିଶ୍ୱାସ ପ୍ରକାଶ କରିଥିଲେ। ଏଥିସହ ସେ ନିଜର ପାର୍ବଣ ଶୁଭେଚ୍ଛା ଜଣାଇଥିଲେ। “ଅର୍ଥାତ୍, ଚିନ୍ମୟ ମିଶନର ଶତବାର୍ଷିକୀ ଯାତ୍ରା ଏବଂ ବିକଶିତ ଭାରତ ଗଠନର ଯାତ୍ରା ଏକାଠି ଆଗକୁ ବଢ଼ିବ,” ସେ କହିଥିଲେ।

Leave a Reply

Your email address will not be published. Required fields are marked *