ଆର୍ଏନ୍ କାଓ ସ୍ମାରକୀ ବତ୍କୃତା- ୨୦୨୬
ଆର୍ଏନ୍ କାଓ ସ୍ମାରକୀ ବତ୍କୃତା- ୨୦୨୬ lରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (R&AW)ର ପ୍ରତିଷ୍ଠାତା ଶ୍ରୀ ରାମେଶ୍ୱର ନାଥ କାଓଙ୍କ ସ୍ମୃତିଚାରଣ କରି ୧୫ ମେ, ୨୦୨୬ରେ, ‘ଆର.ଏନ. କାଓ ସ୍ମାରକୀ ବକ୍ତୃତା-୨୦୨୬’ ଆୟୋଜିତ ହୋଇଛି। ସଂଗଠନ ଦ୍ୱାରା ଏହି ବାର୍ଷିକ ବତ୍କୃତା ମାଳା କାର୍ଯ୍ୟକ୍ରମକୁ ୨୦୦୭ ମସିହାରେ ଶ୍ରୀ କାଓଙ୍କ ସ୍ମୃତିରେ ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ମାନ୍ୟବର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ‘ମାଦକ ଦ୍ରବ୍ୟ: ଏକ ସୀମାହୀନ ବିପଦ, ଏକ ସାମୂହିକ ଦାୟିତ୍ୱ’ ଶୀର୍ଷକ ବିଷୟରେ ଆର.ଏନ. କାଓ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ।ନିଜ ଅଭିଭାଷଣରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ୨୦୪୭ ସୁଦ୍ଧା ଏକ ‘ନିଶାମୁକ୍ତ ଭାରତ’ ଗଠନ ପାଇଁ ଜାତୀୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେ କହିଥିଲେ ଯେ ଭାରତୀୟ ସୁରକ୍ଷା ଏଜେନ୍ସି ନିଶା କାରବାର ସିଣ୍ଡିକେଟଗୁଡ଼ିକୁ ମୂଳପୋଛ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଏବଂ ଏହି ଲକ୍ଷ୍ୟ ହାସଲ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ସେ ସ୍ପଷ୍ଟ ଭାବରେ ଦୋହରାଇଥିଲେ ଯେ ନିଶା ଦ୍ରବ୍ୟ ପ୍ରତି ଭାରତର ‘ଶୂନ୍ୟ ସହନଶୀଳତା’ ନୀତି ଅଧୀନରେ, ଦେଶ ଏହା ସୁନିଶ୍ଚିତ କରିବ ଯେ ଗୋଟିଏ ଗାମ୍ ମାଦକ ଦ୍ରବ୍ୟ ମଧ୍ୟ ଦେଶ ଭିତରକୁ ପ୍ରବେଶ କରିପାରିବ ନାହିଁ କିମ୍ବା ଭାରତକୁ ଏକ ଟ୍ରାଞ୍ଜିଟ୍ ରୁଟ୍ ଭାବରେ ବ୍ୟବହାର କରି ବାହାରକୁ ଯାଇପାରିବ ନାହିଁ।ମାଦକ ଦ୍ରବ୍ୟ ଚୋରା ଚାଲାଣ କେବଳ ପୋଲିସ କିମ୍ବା ଆଣ୍ଟି-ନାର୍କୋଟିକ୍ସ ଏଜେନ୍ସି ଦ୍ୱାରା ପରିଚାଳିତ ଏକ ଆଇନ ଶୃଙ୍ଖଳା ବିଷୟ ନୁହେଁ, ବରଂ ସମାଜ ଏବଂ ଆମର ଭବିଷ୍ୟତ ପିଢ଼ି ଉପରେ ଏହାର ଏକ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥାଏ। ଏଣୁ ସାଧାରଣ ସ୍ତରରେ ମଧ୍ୟ ଏ ନେଇ ବ୍ୟାପକ ପ୍ରତିକ୍ରିୟା ଆବଶ୍ୟକ ବୋଲି ଶ୍ରୀ ଶାହ କହିଥିଲେ। ସେ କହିଛନ୍ତି, ଆତଙ୍କବାଦୀ ଏବଂ ଅପରାଧିକ ନେଟୱାର୍କକୁ ପାଣ୍ଠି ଯୋଗାଇବା ଏବଂ ଏକ ସମାନ୍ତରାଳ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଡ୍ରଗ୍ସ କାରବାରରୁ ପ୍ରାପ୍ତ ଅର୍ଥକୁ ବ୍ୟବହାର କରାଯାଇଥାଏ। ଆହୁରି ମଧ୍ୟ ମାଦକ ଦ୍ରବ୍ୟ ସେବନ ଅଜାଣତରେ ମାନବ ଶରୀରକୁ ସ୍ଥାୟୀ କ୍ଷତି ପହଞ୍ଚାଇଥାଏ ବୋଲି ସେ କହିଛନ୍ତି। ଏହି ବିପଦକୁ ହରାଇବା ପାଇଁ ବିଶ୍ୱର ସମସ୍ତ ଦାୟିତ୍ୱବାନ ଦେଶ ଏକତ୍ର କାର୍ଯ୍ୟ କରିବା ଆବଶ୍ୟକ। ଏଥିପାଇଁ ଏବେ ମଧ୍ୟ ସମୟ ରହିଛି, କିନ୍ତୁ ଯଦି ବିଶ୍ୱ ସମୁଦାୟ ଏ ନେଇ ଏବେ ମିଳିତ ପ୍ରୟାସ ଆରମ୍ଭ ନ କରନ୍ତି, ତେବେ ଦଶ ବର୍ଷ ପରେ ବିଶ୍ୱ ଏହାର କ୍ଷତିକୁ ସୁଧାରିବା ପାଇଁ ବହୁତ ବିଳମ୍ବ ହୋଇଯାଇଥିବା ଅନୁଭବ କରିବ ବୋଲି କହିଛନ୍ତି ଶ୍ରୀ ଶାହ। ଶ୍ରୀ ଅମିତ ଶାହ ନିଶା ଦ୍ରବ୍ୟ ବିରୋଧରେ ଯୁଦ୍ଧ ପାଇଁ ଏକ ସମନ୍ୱିତ ବିଶ୍ୱସ୍ତରୀୟ ପ୍ରୟାସ ପାଇଁ ଆହ୍ୱାନ ଦେଇଥିଲେ ଏବଂ ଏହି ସମସ୍ୟାର ସମାଧାନ ପାଇଁ ଏକ ସମନ୍ୱିତ ଆଇନଗତ ଢାଞ୍ଚାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ କେଉଁଗୁଡ଼ିକୁ ନିୟନ୍ତ୍ରିତ ପଦାର୍ଥ ଭାବରେ ନିର୍ଦ୍ଧାରିତ କରାଯିବ ସେ ସମ୍ବନ୍ଧରେ ବିଶ୍ୱସ୍ତରୀୟ ସମାନତା ଏବଂ ମାଦକ ଦ୍ରବ୍ୟ ଚୋରା ଚାଲାଣ ପାଇଁ ସମାନ ମାନଦଣ୍ଡର ଦଣ୍ଡବିଧାନ ନହେବା ପର୍ଯ୍ୟନ୍ତ, ନିଶା ମାଫିଆମାନେ ଏହି ନୀତିଗତ ଅସଙ୍ଗତିର ସୁଯୋଗ ନେଉଥିବେ। ଏହାଦ୍ୱାରା ଏହିପରି ବିପଦ ବିରୋଧରେ ଲଢ଼ିବା ପାଇଁ ହେଉଥିବା ପ୍ରୟାସ ଦୁର୍ବଳ ହୋଇଯିବ। ମାଦକ ଦ୍ରବ୍ୟ ଚୋରା ଚାଲାଣକୁ ପ୍ରତିହତ କରିବା ପାଇଁ ଆନ୍ତର୍ଜାତିକ ସହଯୋଗର ପରିସର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ଦର୍ଶାଇ ସେ ମାଦକ ଦ୍ରବ୍ୟର କନସାଇନମେଣ୍ଟକୁ ରୋକିବା ଏବଂ ଡ୍ରଗ୍ସ କାରବାରର କିଙ୍ଗପିନ୍ ମାନଙ୍କୁ ଗିରଫ ବା ପ୍ରତ୍ୟାର୍ପଣ କରିବା ପାଇଁ ରିଅଲ-ଟାଇମ୍ ଗୋପନ ସୂଚନା ଆଦାନପ୍ରଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ ବିଗତ ଦୁଇ ବର୍ଷ ମଧ୍ୟରେ ଭାରତ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କର ସହାୟତାରେ ୪୦ ରୁ ଅଧିକ ଆନ୍ତଃରାଷ୍ଟ୍ରୀୟ ଅପରାଧୀଙ୍କୁ ଭାରତ ଫେରାଇ ଆଣିବାରେ ସଫଳ ହୋଇଛି। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏ ଦିଗରେ ଆହୁରି ଅନେକ କାର୍ଯ୍ୟ କରିବା ବାକି ଅଛି। ସେ କହିଥିଲେ ଯେ ଜାତୀୟ ସୁରକ୍ଷା, ଜନସ୍ୱାସ୍ଥ୍ୟ ରକ୍ଷା ଏବଂ ନାର୍କୋ-ଷ୍ଟେଟ୍ସ ବା ମାଦକ ଦ୍ରବ୍ୟ ନିୟନ୍ତ୍ରିତ ରାଷ୍ଟ୍ରମାନଙ୍କୁ ବିକଳ୍ପ ଶକ୍ତି କେନ୍ଦ୍ର ହେବାରୁ ବଞ୍ଚିତ କରୁଛନ୍ତି। ଏଥି ପାଇଁ ମାଦକ ଦ୍ରବ୍ୟ ବିରୋଧରେ ଯୁଦ୍ଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହି ସତ୍ୟ ଉପରେ ସମସ୍ତ ଦାୟିତ୍ୱବାନ ଦେଶ ଏକ ସହମତିରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ନିବିଡ଼ ଆନ୍ତର୍ଜାତିକ ସମନ୍ୱୟ ପାଇଁ ଆହ୍ୱାନ ଦେଇଥିଲେ। ଏହା ବ୍ୟତୀତ, ଏହି ବିପଦର ସୀମାହୀନ ପ୍ରକୃତିକୁ ଦୃଷ୍ଟିରେ ରଖି ସେ ସେଠାରେ ଉପସ୍ଥିତ ଥିବା ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଏବଂ କୂଟନୀତିଜ୍ଞମାନଙ୍କୁ ମାଦକ ଦ୍ରବ୍ୟ ବିରୋଧରେ ଭାରତର ଏହି ଯୁଦ୍ଧରେ ସାମିଲ ହେବାକୁ ଆହ୍ୱାନ କରିଥିଲେ, ଏବଂ ବିଶ୍ୱର ସାମାଜିକ ଗଠନକୁ ସୁରକ୍ଷିତ ରଖିବା ପାଇଁ ଏକ ନିଶାମୁକ୍ତ ବିଶ୍ୱ ଗଠନ ଦିଗରେ ଗମ୍ଭୀର ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଶ୍ରୀ ଶାହ ଏହା ମଧ୍ୟ କହିଛନ୍ତି ଯେ ୮ ବିଲିୟନ ଜନସଂଖ୍ୟା, ୧୯୫ଟି ଦେଶ ଏବଂ ୨୫୦,୦୦୦ କିଲୋମିଟର ଆନ୍ତର୍ଜାତିକ ସୀମା ବିଶିଷ୍ଟ ଏହି ବିଶ୍ୱ, ଖଣ୍ଡ ବିଖଣ୍ଡିତ ଆଭିମୁଖ୍ୟ ମାଧ୍ୟମରେ ମାଦକ ଦ୍ରବ୍ୟ ସମସ୍ୟାର ମୁକାବିଲା କରିପାରିବ ନାହିଁ। ମାଦକ ଦ୍ରବ୍ୟ ବିରୋଧରେ ଲଢ଼େଇରେ, ଗୁପ୍ତ ସୂଚନା ଆଦାନପ୍ରଦାନ, ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଏବଂ ସୀମାପାର କାର୍ଯ୍ୟାନୁଷ୍ଠାନ ଦ୍ୱାରା ଦେଶଗୁଡ଼ିକ ମଧ୍ୟରେ ସାମୂହିକ ସଂକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ।ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଦକ ଦ୍ରବ୍ୟ ବିରୋଧରେ ଲଢ଼େଇ ଭୂ-ରାଜନୈତିକ ମତଭେଦ ଏବଂ ବ୍ୟକ୍ତିଗତ ଜାତୀୟ ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରହିବା ଉଚିତ। ବିଶ୍ୱକୁ ନାର୍କୋ ନେଟୱାର୍କ ଏବଂ ନାର୍କୋ-ଟେରର ରାଷ୍ଟ୍ର ଉଭୟଙ୍କ ବିରୋଧରେ ଏକ ସମୟରେ ଲଢ଼ିବାକୁ ହେବ। ଏହି ଲଢ଼େଇରେ, ନିଷିଦ୍ଧ ପଦାର୍ଥର ଏକ ସାଧାରଣ ସଂଜ୍ଞା, ମାଦକ ଦ୍ରବ୍ୟ ଚୋରା ଚାଲାଣ ପାଇଁ ମାନଦଣ୍ଡିତ ଦଣ୍ଡବିଧାନ, ଡ୍ରଗ୍ସ କିଙ୍ଗପିନମାନଙ୍କ ପ୍ରତ୍ୟାର୍ପଣ ଏବଂ ଗୁପ୍ତ ସୂଚନା ଆଦାନପ୍ରଦାନ ପାଇଁ ବିଶ୍ୱକୁ ସମାନ ଆଇନ ଗ୍ରହଣ କରିବାକୁ ହେବ।ଏହି କାର୍ଯ୍ୟକ୍ରମରେ ଶ୍ରୀ ଆର.ଏନ. କାଓଙ୍କ ପରିବାର ସଦସ୍ୟ, R&AW ର ପୂର୍ବତନ ସଚିବମାନେ, ୪୦ ରୁ ଅଧିକ ଦେଶର ରାଷ୍ଟ୍ର ଦୂବଇ ହାଇକମିଶନର ଏବଂ କୂଟନୀତିଜ୍ଞଙ୍କ ସମେତ ଭାରତୀୟ ସୁରକ୍ଷା ବ୍ୟବସ୍ଥାର ପଦାଧିକାରୀମାନେ ଯୋଗ ଦେଇଥିଲେ।
