ସ୍ଵର୍ଗକୁ ନିଶୁଣି ନାହିଁ

           ସ୍ଵର୍ଗକୁ ନିଶୁଣି ନାହିଁ
      ( ‘ ମ ‘ ଆଦ୍ୟ ଅନୁପ୍ରାସରେ )

  ▪️କବିରତ୍ନ ନୂତନ କୁମାର ବେହେରା

ମର୍ତ୍ତ୍ୟରେ ମଣିଷ ଜନମ ନେଇ  
ମନେ ଭାବି ଚିନ୍ତି କର୍ମ କରେ ସେ ବହୁତ,
ମାନ ଧନ ଜ୍ଞାନ ଅର୍ଜେ କରି କଠିନ ପରିଶ୍ରମ
ମୋକ୍ଷ ପାଇ ଜୀବନେ ହେବ ଚିରୋପକୃତ ।
ମନନ ଚିନ୍ତନେ ତାର କରେ ଅନୁଭବ
ମାଟିରୁ ଆକାଶ ଅସୀମ ଦୂରତା,
ମହିମା ତାର ପ୍ରକାଶି ସେ ବଢ଼ାଏ ମହତ୍ତ୍ଵ
ମଧୁର ସମ୍ପର୍କ ସ୍ଥାପି ପାଏ ସାର୍ଥକତା ।
ମତାନ୍ତରେ ମନାନ୍ତରେ ଭୋଗି ଦୁଃଖ ଯନ୍ତ୍ରଣା
ମାଧ୍ୟମ ଖୋଜେ ପାଇବାକୁ ସୁଖ ଶାନ୍ତି,
ମଳୟ ହୋଇଲେ ପ୍ରଳୟ ଆସେ ଝଡ଼ ଝଞ୍ଜା
ମାର୍ଗଟିଏ ଖୋଜେ ତ୍ରାହି ପାଇବାକୁ ସୂକ୍ଷ୍ମ ଚିନ୍ତି ।
ମର୍ତ୍ତ୍ୟରୁ ସ୍ବର୍ଗରେ ଅଛି ବୋଲି ବେଶି ହସଖୁସି
ମାନସିକତାରେ ଆଣେ ଉଚ୍ଚ ଆଶା,
ମୃତ୍ୟୁ ଆସିବନି ଗଲେ ସଶରୀରେ ସ୍ଵର୍ଗ
ମଧୁମୟ ହେବ ଜୀବନ ରହିବ ତା’ ଭରସା ।
ମଙ୍ଗଳ କାମନା କରି ଅନେକ କିଛି
ମସୁଦା କରେ ଗଢ଼ିବ ଏକ ବିରାଟ ନିଶୁଣି,
ମର୍ତ୍ତ୍ୟରୁ ସ୍ଵରକୁ ଯିବ ସେ ସହଜରେ ଚଢ଼ି
ମାପେ ତା’ ଦୂରତା ହୋଇ ଅଗ୍ରଣୀ ।
ମାତ୍ର ସ୍ଵର୍ଗକୁ ନିଶୁଣି ନାହିଁ
ମାୟା ମୋହରେ ପଡ଼ି ଚିନ୍ତେ ଅଯଥା,
ମିଛରେ ଶୂନ୍ୟକୁ ଜାବୁଡ଼ି ଧରେ ଦୃଢ଼ କରି
ମୀମାଂସା ହୁଏନା ଦ୍ଵନ୍ଦ୍ଵ ଭାଙ୍ଗେ ପରମ୍ପରା ପ୍ରଥା ।
ମନ ହୁଏ ଅନିୟନ୍ତ୍ରିତ କରି ବହୁ କାମନା
ମିଳେ ନାହିଁ ସବୁ କଲେ ବି ଉଦ୍ୟମ,
ମରଣକୁ ଜିଣି ପାରେନା କେହି ସଶରୀରରେ
ମର୍ତ୍ତ୍ୟମଣ୍ଡଳରେ ନେଇ ମଣିଷ ଜନମ ।
ମହାପ୍ରଭୁ ଜଗତର ସୃଷ୍ଟିକର୍ତ୍ତା ଯେ ପରମ
ମହାଚେତନାର ଅଂଶ ରୂପେ ପ୍ରକାଶ,
ମଣି ମୁକ୍ତା ଧନ ସମ୍ପତ୍ତିର ପ୍ରାଚୁର୍ଯ୍ୟେ ନ ଥା’ନ୍ତି
ମଣିଷ ହୃଦୟେ ଥାଇ କରାନ୍ତି ବିକାଶ ।
ମନକୁ ରଖିଲେ କରି ସ୍ଵଚ୍ଛ ସୁନ୍ଦର
ମଳିନ ମୁହଁରେ ଫୁଟଇ ହସ,
ମିଛକୁ ଏଡ଼ି କଲେ ସତ୍ୟର ସାଧନ
ମନ୍ତ୍ରମୁଗ୍ଧ ହୋଇ ଜୀବନ ହୁଅଇ ସରସ ।
ମର୍ତ୍ତ୍ୟରୁ ସ୍ଵର୍ଗକୁ ଯିବାର ସେ ଇଚ୍ଛା
ମହୀମଣ୍ଡଳରେ ସମ୍ଭବ ନୁହେଁ ମଣିଷ ପାଇଁ,
ମହତ ରଖି ଭାବେ ଏଇ ମର୍ତ୍ତ୍ୟ ହିଁ ତାର ସ୍ୱର୍ଗ
ମାନି ନିଏ ସେ ସ୍ଵର୍ଗକୁ ନିଶୁଣି ନାହିଁ ।

    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ ।

Leave a Reply

Your email address will not be published. Required fields are marked *