ପୁରୀରେ ପହଞ୍ଚିଲ ୩୮୦ କିଲୋ ବାସୁଙ୍ଗା ପାଟ।

ପୁରୀରେ ପହଞ୍ଚିଲ ୩୮୦ କିଲୋ ବାସୁଙ୍ଗା ପାଟ। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପୂଜାର୍ଚ୍ଚନା ଏହି ବାସୁଙ୍ଗା ପାଟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ପହଂଚିଛି। ବାସୁଙ୍ଗା ପାଟ ହେଉଛି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଗୁରୁତ୍ୱପୂର୍ଣ୍ଣ ରିତିନୀତିରେ ବ୍ୟବହୃତ ଏକ ଅତ୍ୟନ୍ତ ପବିତ୍ର ଓ ବିଶେଷ ପ୍ରକାରର ରେଶମ ଡୋରୀ। ବାସୁଙ୍ଗା ପାଟ ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡିତ ଏକ ପାରମ୍ପରିକ ରେଶମୀ ପଟ୍ଟବସ୍ତ୍ର, ଯାହା ଓଡ଼ିଶାର ରେଶମ ଓ ହସ୍ତତନ୍ତ ଐତିହର ପ୍ରତୀକ। ଏହା ଆଧ୍ୟାତ୍ମିକ ଶିଷ୍ଟାଚାର, ପାରମ୍ପରିକ କାରୁକୃତି ଓ ଦେଶଜ ପ୍ରଯୁକ୍ତି ଜ୍ଞାନର ଏକ ଦୁର୍ଲଭ ସମନ୍ୱୟ।ବାସୁଙ୍ଗା ପାଟ ପ୍ରାକୃତିକ ମଲବେରୀ ରେଶମ ସୂତାରୁ ପ୍ରସ୍ତୁତ କରାଯାଏ ଓ କଇଁଥ ଫଳର ଅଠାରେ ରଙ୍ଗ ଦିଆଯାଇଥାଏ। ବାସୁଙ୍ଗା କେବଳ ଏକ ଧାର୍ମିକ ସାମଗ୍ରୀ ନୁହେଁ ବରଂ ଏହା ଶ୍ରଦ୍ଧା, କାରୁକୃତି ଓ ପାରମ୍ପରିକତାର ଏକ ପବିତ୍ର ପ୍ରତୀକ । ଏହି ବାସୁଙ୍ଗା ତିଆରି ନିମନ୍ତେ କରୁଣା ସିଲ୍କ ଭଳି ପଦ୍ଧତିର ବ୍ୟବସ୍ଥା କରାଯାଇଛି। କରୁଣା ସିଲ୍କ ହେଉଛି ପାରମ୍ପରିକ ରେଶମର ଏକ ଅହିଂସାମୂଳକ ଓ ସୁସ୍ଥାୟୀ ବିକଳ୍ପ, ଯାହା ରେଶମ କୀଟମାନଙ୍କୁ କୌଣସି କ୍ଷତି ନକରି ପ୍ରସ୍ତୁତ କରାଯାଏ।ଏହି ପ୍ରକ୍ରିୟାରେ ସମସ୍ତ ରେଶମ କୀଟମାନଙ୍କୁ ସମ୍ପୂର୍ଣ୍ଣ ପ୍ରଜାପତି ହେବା ପର୍ଯ୍ୟନ୍ତ ବଞ୍ଚିବାକୁ ଦିଆଯାଏ, ସେମାନେ ନିଜ ସ୍ୱାଭାବିକ ଜୀବନଚକ୍ର ସମ୍ପୂର୍ଣ୍ଣ କରି ପ୍ରାକୃତିକ ଭାବେ ରେଶମ କୋଷରୁ ବାହାରିଆସନ୍ତି। ପୁରାତନ ସ୍ପିନିଂ ପ୍ରକ୍ରିୟା ମାଧ୍ୟମରେ ପୁପାକୁ ହତ୍ୟା କରି ସୂତା ରିଲିଂ କରିବା ପାରମ୍ପରିକ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଯାଏ। ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ (SERIFED) ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ୧୯୮୧ ମସିହାରୁ ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟକୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଉଛି। ବାସୁଙ୍ଗା ପାଟ ସହ ବିଜେ ଡୋରି ମଧ୍ୟ ଆସି ପହଂଚିଛି।ଏହା ମହାପ୍ରଭୁଙ୍କ ଅଣସର ଓ ପହଣ୍ଡି ସମୟରେ ବ୍ୟବହୃତ ହେବ l

Leave a Reply

Your email address will not be published. Required fields are marked *