ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ସମାପ୍ତ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ସମାପ୍ତ ହେବା ପରେ ବର୍ତ୍ତମାନ ମହାପ୍ରଭୁ ଅଣସରରେ ଅସୁସ୍ଥ ଅବସ୍ଥାରେ ବିରାଜମାନ ଅଛନ୍ତି। ଏହି ସମୟରେ ଶାସ୍ତ୍ର ଅନୁଯାୟୀ ଅଲାରନାଥ ମନ୍ଦିରରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମାନ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି। ଏହି ପବିତ୍ର ଅବସରରେ ଆଜି ହଜାର ହଜାର ଭକ୍ତ ଅଲାରନାଥ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ଆଜି ଅଲାରନାଥ ମନ୍ଦିର ପରିଦର୍ଶନ କରି ସେଠାର ସୁରକ୍ଷା ବ୍ୟବସ୍ଥା, ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ସାମଗ୍ରିକ ବ୍ୟବସ୍ଥାପନାର ତଦାରଖ କରିଥିଲେ। ଏଥିସହିତ ଶ୍ରୀ ମାନସ ରଞ୍ଜନ ବାରିକ, ବ୍ରହ୍ମଗିରି ଥାନା ଅଧିକାରୀ ଶ୍ରୀ ବାମଦେବ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ନିୟୋଜିତ ପୁଲିସ କର୍ମଚାରୀ, ସେବାୟତ ଏବଂ ସ୍ଥାନୀୟ ପ୍ରଶାସନ ଓ ଭକ୍ତଙ୍କ ସହ ଆଲୋଚନା କରି ଭକ୍ତମାନଙ୍କୁ ସୁବିଧାଜନକ ଓ ସୁରକ୍ଷିତ ଦର୍ଶନ ପ୍ରଦାନ ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ।
