ରଥଯାତ୍ରା ପାଇଁ ଟିପିସିଓଡିଏଲ୍ର ବ୍ୟାପକ ପ୍ରସ୍ତୁତି
ପୁରୀ ୪/୭ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ନିରବଚ୍ଛିନ୍ନ, ନିର୍ଭରଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ ସେବା ଯୋଗାଇବା ପାଇଁ ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ପକ୍ଷରୁ ସମସ୍ତ ପ୍ରକାରର ବିଦ୍ୟୁତ ଭିତ୍ତିଭୂମି ଓ ପରିଚାଳନାଗତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକାଧିକ ବୈଠକ ର ନିଷ୍ପତ୍ତି ଅନୁସାରେ ଟିପିସିଓଡିଏଲ ତାହାର କାର୍ଯ୍ୟ କୁତ୍ବରାନ୍ବିତ କରିଛି।ରଥଯାତ୍ରା ସମୟରେ ପୁରୀ ସହରର ବିଦ୍ୟୁତ ଚାହିଦା ପ୍ରାୟ ୯୨ ଏମ୍ଭିଏ ହେବାର ଆକଳନ କରାଯାଇଛି। ଏହି ଚାହିଦା ପୂରଣ ପାଇଁ OPTCLର ତିନୋଟି ଗ୍ରିଡ୍ ସବ୍ଷ୍ଟେସନ୍ ଏବଂ N-2 ରିଡଣ୍ଡେନ୍ସି ସହିତ ରିଙ୍ଗ୍-ମେନ୍ ବିଦ୍ୟୁତ ବିତରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ପୁରୀକୁ ବିଦ୍ୟୁତ ଯୋଗାଉଥିବା ସମସ୍ତ ୭ଟି ୩୩/୧୧ କେଭି ପ୍ରାଥମିକ ସବ୍ଷ୍ଟେସନ୍ର ପ୍ରତିଷେଧକ ରକ୍ଷଣାବେକ୍ଷଣ ସଫଳତାର ସହ ସମାପ୍ତ ହୋଇଛି।ବିଦ୍ୟୁତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ନୂତନ ଭୂତଳ (Underground) ଫିଡର, ଟ୍ରାନ୍ସଫର୍ମର କ୍ଷମତା ବୃଦ୍ଧି, ଗୁରୁତ୍ୱପୂର୍ଣ୍ଣ ଇଣ୍ଟରଲିଙ୍କିଂ କାର୍ଯ୍ୟ, ବିତରଣ ଟ୍ରାନ୍ସଫର୍ମର ଓ କମ୍ପାକ୍ଟ ସବ୍ଷ୍ଟେସନ୍ର ଉନ୍ନତୀକରଣ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ ରାସ୍ତା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯାଇଛି।ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ୨୪×୭ କଣ୍ଟ୍ରୋଲ୍ ରୁମ୍, ମାଷ୍ଟର କଣ୍ଟ୍ରୋଲ୍ ସେଣ୍ଟର, ଫ୍ୟୁଜ୍ କଲ୍ ସେଣ୍ଟର, ମୋବାଇଲ୍ ପାଟ୍ରୋଲିଂ ଟିମ୍ ଏବଂ ପ୍ରାୟ ୮୦୦ ଜଣ TPCODL ଓ ବିଜନେସ୍ ଆସୋସିଏଟ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି।ରଥଯାତ୍ରା ସମୟରେ ଆଲୋକୀକରଣ ଓ ଜରୁରୀ ବିଦ୍ୟୁତ ବ୍ୟାକ୍-ଅପ୍ ପାଇଁ ୨୧ଟି ଡିଜି ସେଟ୍ ଏବଂ ପ୍ରତିଦିନ ପ୍ରାୟ ୮୦୦ଟି ଏଲଇଡି ଲାଇଟ୍ ବିଭିନ୍ନ କୌଶଳଗତ ସ୍ଥାନରେ ବ୍ୟବସ୍ଥା କରାଯାଇଛି। ସେହିପରି ମୋବାଇଲ୍ ଟ୍ରାନ୍ସଫର୍ମର, କେବୁଲ୍ ଫଲ୍ଟ ଲୋକେଟର, କ୍ରେନ୍ ଏବଂ ପର୍ଯ୍ୟାପ୍ତ ବିଦ୍ୟୁତ ସାମଗ୍ରୀ ମହଜୁଦ ରଖାଯାଇଛି, ଯାହାଦ୍ୱାରା ଯେକୌଣସି ବିଘ୍ନକୁ ତୁରନ୍ତ ଦୂର କରାଯାଇପାରିବ।ଜନସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଲିକେଜ୍ କରେଣ୍ଟ ପରୀକ୍ଷା, ସୁରକ୍ଷା ଅଧିକାରୀଙ୍କ ନିୟୋଜନ, ସୁରକ୍ଷା ଉପକରଣର ବ୍ୟବସ୍ଥା ଓ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏଥିସହ ରଥଯାତ୍ରା ସମୟରେ ଭକ୍ତମାନଙ୍କ ପାଇଁ ମୋବାଇଲ୍ ଚିକିତ୍ସା ସେବା ଓ ପିଏମ୍ ସୂର୍ଯ୍ୟ ଘର ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସ୍ବାଇଁ କହିଛନ୍ତି।।ରଥଯାତ୍ରା ପରି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେ କୌଣସି ଅବହେଳା ଗ୍ରହଣୀୟ ନୁହେଁ।ତେଣୁ ନିଷ୍ଠାର ସହ ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ୱ ପ୍ରଦାନ କରିଛନ୍ତି।
