ଓଡ଼ିଶାଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ରପୁରୀ-କୋରାପୁଟ-ପୁରୀ ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ରପୁରୀ-କୋରାପୁଟ-ପୁରୀ ନୂଆ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀମୋଦୀଜୀଙ୍କ ନେତୃତ୍ୱରେ ଦେଶରେ ଏକ ଟ୍ରାନସ୍‌ଫର୍ମେସନର ଯୁଗ ଆସିଛି- ମୁଖ୍ୟମନ୍ତ୍ରୀଉତ୍ତର ଓଡିଶା ପାଇଁ ଏକ ନୂଆ ଟ୍ରେନ ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ଘୋଷଣା କଲେ ରେଳମନ୍ତ୍ରୀରେଳବାଇ କ୍ଷେତ୍ରରେ ମୋଦୀଜୀ ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି- କେନ୍ଦ୍ର ରେଳମନ୍ତ୍ରୀଭୁବନେଶ୍ୱର, ୦୬ ଜୁଲାଇ ୨୦୨୬ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଦେଶରେ ଏବେ ଏକ ଟ୍ରାନସ୍‌ଫର୍ମେସନର ଯୁଗ ଆସିଛି। ସଡକ ଠାରୁ ଆରମ୍ଭ କରି ରେଳ, ବିମାନସେବା ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ରେଳ ଷ୍ଟେସନଠାରେ ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନର ଶୁଭାରମ୍ଭ ଅବସରରେ କହିଛନ୍ତି। ପୁରୀ ରେଳ ଷ୍ଟେସନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋଦୀଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଠନ ପାଇଁ ଯେଉଁ ଅଭିଯାନ ଚାଲିଛି ସେଥିରେ ଅଶ୍ୱିନୀ ବୈଷ୍ଣବଜୀ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ପୂର୍ବରୁ ଏହି ଟ୍ରେନର ଲୋକାର୍ପଣ ଚଳିତ ବର୍ଷ ଭକ୍ତମାନଙ୍କ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କର ଏକ ସୁନ୍ଦର ଉପହାର ବୋଲି ସେ କହିଥିଲେ। ଏହି ଟ୍ରେନ ସପ୍ତାହକୁ ତିନି ଦିନ ଚାଲିବ ଏବଂ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାକୁ ଯୋଡି ସମସ୍ତଙ୍କ ପାଇଁ ଏକ ସୁଖଦ ଯାତ୍ରାର ଅନୁଭବ ଆଣିବ। ଦକ୍ଷିଣ ଓ ପଶ୍ଚିମ ଓଡିଶାର ଯେଉଁ ଲୋକମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିବେ କିମ୍ବା ଭୁବନେଶ୍ୱରକୁ କୌଣସି କାମରେ ଆସିବେ ସେମାନଙ୍କ ପାଇଁ ଏହି ଟ୍ରେନ ଏକ ଆଶୀର୍ବାଦ ସ୍ୱରୂପ ହେବ ବୋଲି ସେ କହିଛନ୍ତି।

ସେ ପୁଣି କହିଥିଲେ ବର୍ତ୍ତମାନ ରାଜ୍ୟର ସବୁ ଜିଲ୍ଲାରେ ରେଳ ଯୋଗାଯୋଗ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି। ଓଡିଶାରେ ବର୍ତ୍ତମାନ ୯୭ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଓଡିଶାର ୫୯ ରେଳ ଷ୍ଟେସନକୁ ‘ଅମୃତ ଭାରତ’ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିରେ ୧୮୪ କୋଟି ଟଙ୍କା ଖର୍ଚ୍ଚରେ ପୁରୀ ଷ୍ଟେସନର କାମ ମଧ୍ୟ ଚାଲୁ ରହିଛି। ପୁରୀର ସାଂସ୍କୃତିକ ଓ ଆଧ୍ୟତ୍ମିକ ବୈଭବକୁ ଦୃଷ୍ଟିରେ ରଖି ଏହାର ଡିଜାଇନ କରାଯାଇଛି। ଆସନ୍ତା ବର୍ଷ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଉପକୂଳ ଓଡିଶାକୁ ପଶ୍ଚିମ ଓ ଦକ୍ଷିଣ ଓଡିଶା ସହ ଯୋଡିବା ପାଇଁ ବହୁ ଦିନରୁ ଜନସାଧାରଣଙ୍କ ଦାବୀ ରହିଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ଚିଠି ଦ୍ୱାରା ଅନୁରୋଧ କରିଥିଲେ ବୋଲି ପ୍ରକାଶ କରି ଶ୍ରୀ ବୈଷ୍ଣବ କହିଥିଲେ ଯେ, ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ ଓଡିଶାର ଅନେକ ଜିଲ୍ଲାକୁ ପୁରୀ ସହ ଯୋଡିବ। ଦୁଇ ବର୍ଷ ତଳେ ଆମେ ଓଡିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲୁ ୫ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରିବୁ ବୋଲି । ଦୁଇ ବର୍ଷରେ ୯୭ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ଜାତୀୟ ରାଜପଥ କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳଜୀଙ୍କ ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନା ପରି ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡିବା ପାଇଁ ମୋଦୀଜୀ ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ କେନ୍ଦ୍ର ରେଳମନ୍ତ୍ରୀ ପୁରୀ-କୋରାପୁଟ ଟ୍ରେନ ପରି ଉତ୍ତର ଓଡିଶା ପାଇଁ ଏକ ଟ୍ରେନ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଜେନା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଉପତ୍ୟକାରୁ ଉପକୂଳକୁ ଯୋଡିବ ଏହି ନୂତନ ଟ୍ରେନ। ୫ ବର୍ଷରେ ରେଳ ବିକାଶ ପାଇଁ ଯେଉଁ କଥା ଦେଇଥିଲେ ଆଜି ଦୁଇ ବର୍ଷରେ ତାହା ପୂରଣ ହେବାକୁ ଯାଉଛି । ଏହା ହେଉଛି ଡବଲ ଇଞ୍ଜିନ ସରକାରର କମାଲ୍। ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଏହି ଟ୍ରେନ ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନରେ ସମସ୍ତ ସୁବିଧା କରାଯାଉଛି। ରଥଯାତ୍ରା ଅବସରରେ ୩୦୦ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ସେ କହିଥିଲେ।ଏହି ଅବସରରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଏବଂ ପୁରୀ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *