ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ପାଇଁ ନୂଆଦିଲ୍ଲୀ ଭାରତୀୟ ଜନ ସଂଚାର ସଂସ୍ଥାନ ଠାରେ ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର, ୬/୦୭/୨୦୨୬ ଓଡ଼ିଶା ସୂଚନା ସେବା (ଓଆଇଏସ) ଅଧିକାରୀମାନଙ୍କ ପାଇଁ “ଗଣମାଧ୍ୟମ ଓ ଯୋଗାଯୋଗ” ବିଷୟ ସଂପର୍କିତ ଆୟୋଜିତ ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୩ ଜୁଲାଇ ୨୦୨୬ରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି)ରେ ସଫଳତାର ସହ ସମାପ୍ତ ହୋଇଛି । ଓଡ଼ିଶାରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ଲୋକ ସମ୍ପର୍କ ଅଧିକାରୀ, ରାଜସ୍ୱ ଆୟୁକ୍ତ (ଆରଡିସି) କାର୍ଯ୍ୟାଳୟରେ ଅବସ୍ଥାପିତ ଉପନିର୍ଦ୍ଦେଶକ(ଲୋକ ସଂପର୍କ), ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଏବଂ ଉପଖଣ୍ଡ କାର୍ଯ୍ୟାଳୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଏସଡିଆଇପିଆରଓ) ଭାବେ କାର୍ଯ୍ୟରତ ବିଭିନ୍ନ ବ୍ୟାଚ୍‌ର ୧୯ ଜଣ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ପାଇଁ ୨୯ ଜୁନରୁ ୩ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗଣମାଧ୍ୟମ ପରିଚାଳନା, ଜନସମ୍ପର୍କ, ରଣନୈତିକ ଯୋଗାଯୋଗ କୌଶଳ, ଡିଜିଟାଲ ଯୋଗାଯୋଗ, ଗଣମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ପ୍ରୟୋଗ ଏବଂ ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ପହଞ୍ଚ କ୍ଷେତ୍ରରେ ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତାକୁ ସୁଦୃଢ଼ କରିବା ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ ଥିଲା । ଏଥିରେ ଆଇଆଇଏମସି, ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି), ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ପ୍ରସାର ଭାରତୀ, ଜାତୀୟ ଟେଲିଭିଜନ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ସଂସ୍ଥାର ବିଶିଷ୍ଟ ଅଧ୍ୟାପକ ଓ ବିଷୟ ବିଶେଷଜ୍ଞମାନେ ବିଭିନ୍ନ ଅଧିବେଶନରେ ଯୋଗଦେଇ ସୋମାନଙ୍କର ପ୍ରାୟୋଗିକ ଅନ୍ତର୍ଦୃଷ୍ଟି ଏବଂ କ୍ଷେତ୍ରଭିତ୍ତିକ ଅଭିଜ୍ଞତା ବାଣ୍ଟିଥିଲେ । ଉଦଯାପନୀ ସମାରୋହରେ ପତ୍ର ସୂଚନା କାର୍ଯ୍ୟାଳୟର ପୂର୍ବତନ ମହାନିର୍ଦ୍ଦେଶକ ଶ୍ରୀ ଜୟଦୀପ ଭଟ୍ଟନାଗର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ଜନସେବାର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ଫଳପ୍ରଦ ଯୋଗାଯୋଗର ପ୍ରୟୋଗ କରିବା ସହ ରାଜ୍ୟ ଓ ଦେଶର ବିକାଶ ଲକ୍ଷ୍ୟ ପୂରଣରେ ଅବଦାନ ରଖିବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଆଇଆଇଏମସି, ନୂଆଦିଲ୍ଲୀର କୁଳପତି ଡ. ପ୍ରଜ୍ଞା ପାଲିୱାଲ ଗୌର, କାର୍ଯ୍ୟନିର୍ବାହୀ ଶିକ୍ଷା କେନ୍ଦ୍ର(ସିଇଇ)ର ମୁଖ୍ୟ ପ୍ରଫେସର (ଡ.) ସୁନେତ୍ରା ସେନ ନାରାୟଣ ଏବଂ ରେଜିଷ୍ଟ୍ରାର ଶ୍ରୀ ଏଲ୍. ମଧୁ ନାଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମଗ୍ର ପ୍ରଶିକ୍ଷଣ ଅବଧିରେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା ଓ ମତବିନିମୟ କରିଥିଲେ । ଆଇଆଇଏମସି କାର୍ଯ୍ୟନିର୍ବାହୀ ଶିକ୍ଷା କେନ୍ଦ୍ରର ପ୍ରଶିକ୍ଷଣ ସହଯୋଗୀ ଶ୍ରୀମତୀ ମନପାହ କୋନ୍ୟାକ ବିଭିନ୍ନ ଅଧିବେଶନର ସମନ୍ୱୟ ଓ ସଞ୍ଚାଳନ କରିଥିଲେ । ଅଂଶଗ୍ରହଣକାରୀ ଓଡ଼ିଶା ସୂଚନା ସେବା ଅଧିକାରୀମାନେ କହିଥିଲେ ଯେ, ଏହି ପ୍ରଶିକ୍ଷଣ ସେମାନଙ୍କର ଗଣମାଧ୍ୟମ ପରିଚାଳନା ଓ କୌଶଳଗତ ଯୋଗାଯୋଗ କ୍ଷମତାକୁ ଆହୁରି ସୁଦୃଢ଼ କରିବା ସହିତ ‘ବିକଶିତ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ ଗଠନ ଦିଗରେ ରାଜ୍ୟର ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବ । ଏହି ପ୍ରଶିକ୍ଷଣ ସୁଯୋଗ ପାଇଁ ସେମାନେ ଓଡ଼ିଶା ସରକାର ତଥା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଆଇଆଇଏମସିରେ ପ୍ରଦାନ କରାଯାଇଥିବା ପ୍ରାୟୋଗିକ ପ୍ରଶିକ୍ଷଣ ସେମାନଙ୍କୁ ଅଧିକ ଦକ୍ଷତା ଓ ବୃତ୍ତିଗତତାର ସହ ଜନସେବା ପ୍ରଦାନ କରିବାରେ ସହାୟତା କରିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ କରିଥିବା ଅଧିକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅଂଶଗ୍ରହଣକାରୀମାନେ ମୁଖ୍ୟ ଅତିଥି, ବିଶିଷ୍ଟ ଅତିଥି ଏବଂ ଅଧ୍ୟାପକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନେ ଅଧିକାରୀମାନଙ୍କ ଭବିଷ୍ୟତ କାର୍ଯ୍ୟ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ଯୋଗାଯୋଗ, ଗଣମାଧ୍ୟମ ପରିଚାଳନା ଏବଂ ଜନସାଧାରଣଙ୍କ ନିକଟରେ ପହଞ୍ଚ କ୍ଷମତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆଗାମୀ ଦିନରେ ଅଧିକ ସଂଖ୍ୟକ ଓଡ଼ିଶା ସୂଚନା ସେବା (ଓଆଇଏସ) ଅଧିକାରୀଙ୍କୁ ନୂଆଦିଲ୍ଲୀସ୍ଥିତ ଆଇଆଇଏମସି ଏବଂ ଅନ୍ୟାନ୍ୟ ସଂସ୍ଥାକୁ ଏପରି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ପ୍ରେରଣ କରାଯିବ ।

Leave a Reply

Your email address will not be published. Required fields are marked *