ଝରେ ଝରା ଶ୍ରାବଣର ବର୍ଷାଧାରା
ଝରେ ଝରା ଶ୍ରାବଣର ବର୍ଷାଧାରା
🖊️କବିରତ୍ନ ନୂତନ କୁମାର ବେହେରା
ଘନ ଘନ ଝରେ ଝରା ଶ୍ରାବଣର ବର୍ଷାଧାରା
ଅନ୍ଧାର ଘୋଟାଇ ବର୍ଷେ ଅସରା ଅସରା
ଆନନ୍ଦ ମନରେ ସ୍ନାନ କରେ ମା’ ବସୁନ୍ଧରା
ଶୀତଳ ପବନ ବହେ ମୁଲକ ସାରା
ବତୁରି ଯାଏ ତା’ ତନୁତୀର୍ଥର କୋମଳ କୋଳ
ସର୍ବାଙ୍ଗ ଜଳେ ଜଳମୟ ଦିଶେ ଧବଳ
ବଢ଼ିଯାଏ ନଦ ନଦୀ ଝରଣାର ପ୍ରଖର ସ୍ରୋତ
ଲହଡ଼ି ଭାଙ୍ଗି ଦୁଇ କୂଳ ଉଛୁଳି ହୁଏ ପ୍ଳାବିତ
ଧରିତ୍ରୀ ଅମ୍ଵରର ମଧୁର ମିଳନ ପବିତ୍ର ନିର୍ବିକାର
ଦିଗବଳୟର ସୀମାରେଖା ହୁଏ ଏକାକାର
ଭୂପୃଷ୍ଠରେ ପଡ଼େ ନାହିଁ ଟିକିଏ ଖରା
ବଦଳି ଯାଏ ଜୀବଜଗତର ଜୀବନଧାରା
ହୃଦୟର ଅନୁଭବ ଲାଗେ ନିଆରା ନିଆରା
ହୁଏ ସେ ଜୀବନ ଜିଇଁବାର ସାହାରା
ଘନ ଘନ ଝରେ ଝରା ଶ୍ରାବଣର ବର୍ଷାଧାରା
ବୃକ୍ଷଲତା ଉଲ୍ଲସିତେ ଦିଶନ୍ତି ସବୁଜ ସୁନ୍ଦର
ପ୍ରକୃତିରାଣୀର ରୂପ ଲାବଣ୍ୟ ଲାଗେ ମନୋହର
ଆକର୍ଷି ନେଇ ତୃପ୍ତ କରେ ବିଧୁର ଜନଙ୍କ ଅନ୍ତର
ହୃଦୟର ବୀଣା ତୋଳେ ସାତ ସୁର
ଫୁଟି କଦମ୍ବ ମହକି ସଜାଏ ବସୁଧାର ଗଭା
ପ୍ରେମୀ ମନେ ପ୍ରୀତି ସଞ୍ଚାରି ହୁଏ ଉଭା
ଗଗନେ ହସି ଇନ୍ଦ୍ରଧନୁ ବଢ଼ାଇ ଦିଏ ଶୋଭା
କୃଷିକ୍ଷେତ୍ରେ କର୍ଷଣ କରି କୃଷକ ବିକାଶେ ପ୍ରତିଭା
କିଆରି ଭରିଯାଏ ଶସ୍ୟ ଶ୍ୟାମଳେ
ମୃଦୁ ପବନର ହିଲ୍ଲୋଳେ ନାଚେ ଖେଳେ
ଜନ ଜୀବନ ବ୍ୟସ୍ତତାରେ ତର ତର ଦିନ ସାରା
ପୂରଣ କରିବାକୁ ସ୍ବପ୍ନ ତା’ କଳ୍ପିତେ ଅଛି ଯା’ ଅଧୁରା
ଅଭାବ ଦୂରେଇ ଦେବାକୁ ମିଳେ ଇସାରା
ଦୁଃଖ ପରେ ସୁଖ ଆସି ପାଶେ ହାତେ ଦିଏ ଧରା
ଘନ ଘନ ଝରେ ଝରା ଶ୍ରାବଣର ବର୍ଷାଧାରା…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ ।
