ନିମାପଡ଼ା ମେଡିକାଲରେ ଅଲଟ୍ରାସାଉଣ୍ଡ୍ ଓ ଡ଼ିଜିଟାଲ ଏକ୍ସରେ ଲୋକାର୍ପିତ।
ନିମାପଡ଼ା ( ) ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଲଟ୍ରାସାଉଣ୍ଡ୍ ଏବଂ ଡ଼ିଜିଟାଲ ଏକ୍ସରେ ମେସିନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକାର୍ପିତ ଜରିଛନ୍ତି। ସାଧାରଣ ଲୋକ ଅଲଟ୍ରାସାଉଣ୍ଡ୍, ଏକ୍ସରେ ନିମନ୍ତେ ବାହାରକୁ ଯିବାକୁ ପଡୁଥିଲା, ବିଶେଷକରି ଗର୍ଭବତୀ ମହିଳାମାନେ ପରୀକ୍ଷା ନିମନ୍ତେ ଭୁବନେଶ୍ୱର, ପୁରୀ ଯାଉଥିଲେ। ଅସୁବିଧାର ସମ୍ମୁଖୀନ ହେବାସହ ଖର୍ଚ୍ଚାନ୍ତ ହେଉଥିଲେ। ଏବେ ବିନା ଖର୍ଚ୍ଚରେ ଏହି ସୁବିଧା ପାଇ ପାରିବେ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏଚ୍ଡିଏଫ୍ସି ବ୍ୟାଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) ଅଧୀନରେ ଅଲଟ୍ରାସାଉଣ୍ଡ୍ ମେସିନ ଏବଂ ଗେଲ୍ ଇଣ୍ଡିଆ ଲିମିଟେଡ଼ ସହବନ୍ଧନରେ ଡ଼ିଜିଟାଲ ଏକ୍ସରେ ଉପଲବ୍ଧ ହୋଇପାରିଛି। ଶ୍ରୀମତୀ ପରିଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ଉପସ୍ଥିତ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟ ମାନଙ୍କୁ ସ୍ୱାସ୍ଥ୍ୟସେବାର ମାନ ବାବଦରେ ପଚାରି ବୁଝିଥିଲେ। ଏହାପରେ ରୋଗୀ କଲ୍ୟାଣ ସମିତି ବୈଠକ ରେ ଯୋଗଦେଇ ସ୍ୱାସ୍ଥ୍ୟ ସେବାର ସ୍ଥିତି ଓ ଉନ୍ନତିକରଣ ସମ୍ବନ୍ଧୀୟ ସମୀକ୍ଷା କରିଥିଲେ। ଶ୍ରୀମତୀ ପରିଡ଼ାଙ୍କ ଦୃଢ଼ ଇଛାଶକ୍ତି, ପ୍ରଗାଢ଼ ଉଦ୍ୟମ ବଳରେ ରାଜ୍ୟର ସର୍ବପ୍ରଥମ ସ୍ୱୟଂଚାଳିତ ସ୍ୱାସ୍ଥ୍ୟ ଏଟିଏମ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକାର୍ପିତ ହେବାପରେ ଆଜି ଅଲଟ୍ରା ସାଉଣ୍ଡ୍ ମେସିନ ଓ ଡ଼ିଜିଟାଲ ଏକ୍ସରେ ଉପଲବ୍ଧ ହୋଇପାରିଛି। ଖୁବ୍ କମଦିନ ମଧ୍ୟରେ ବ୍ଲଡ଼ବ୍ୟାଙ୍କର ସୁବିଧା ମଧ୍ୟ ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ ସୁବ୍ରତ ମହାପାତ୍ର କହିଛନ୍ତି। ଏହାସହ ନିମାପଡ଼ା ଜୟଶ୍ରୀ ଛକଠାରୁ ବାଲିପାଟଣା ରାସ୍ତାରେ ସରଦେଇପୁର ପର୍ଯ୍ୟନ୍ତ ଦୀର୍ଘ ୧୬କି.ମି. ରାସ୍ତା ଚଉଡା ତଥା ପ୍ରଶସ୍ତିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ଜୟଦେବ ଓ ନିମାପଡ଼ା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଏହା ଏକ ବଡ଼ ଉପହାର ବୋଲି କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ, ପୂର୍ବରୁ ଏହି ରାସ୍ତା କେବଳ ମରାମତି ରାସ୍ତା ଭାବେ ପରିଚିତ ଥିଲା। ପ୍ରତି ୨ମାସରେ ଥରେ ମରାମତି ହେଉଥିଲା, ସ୍ଥାୟୀ କାମ ହେଉନଥିଲା। ଏବେ ୨୩ କୋଟି ଟଙ୍କା ବ୍ୟୟ ବରାଦରେ ରାସ୍ତାକୁ ପୂର୍ଣ୍ଣାଙ୍ଗ ପ୍ରଶସ୍ତିକରଣ କରାଯିବ ଓ ଆସନ୍ତା ନଭେମ୍ବର ୨୦୨୭ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ୨ଟି ନିର୍ବାଚନ ମଣ୍ଡଳୀର ଜନସାଧାରଣ ଏଥିରେ ଉପକୃତ ହେବେ। ଏହି ରାସ୍ତାର ଲମ୍ବ ୧୬କି.ମି. ହୋଇଥିବା ବେଳେ ଏହାର ଚଉଡା ପ୍ରାୟ ୧୫ମିଟର ରହିବ। ରାସ୍ତାରେ ଥିବା ଡ୍ରେନ୍, କଲଭର୍ଟ ସବୁ ମରାମତି କରାନଯାଇ ନୂତନ ଭାବେ ନିର୍ମାଣ କରାଯିବ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହାକୁ ପୂର୍ଣ୍ଣାଙ୍ଗ କରିବାପାଇଁ ଆପଣ ମାନଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଚିନ କୁମାର ସାହୁ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଏମପି ପ୍ରତିନିଧି ମୀନଲତା ମହାନ୍ତି, ବିଧାୟିକା ପ୍ରତିନିଧି ଯଚିନ୍ଦ୍ର ସ୍ୱାଇଁ, ବିଜେପି ଯୁବମୋର୍ଚ୍ଚା ସଭାପତି ସାଇ ପ୍ରୀତମ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
