ସ୍ୱଚ୍ଛ ସମୁଦ୍ର କରିଡ଼ର ପ୍ରକଳ୍ପରେ ବେଳାମାର୍ଗ ସଫେଇ ଯୋଜନା
କୋଣାର୍କ,୧୮.୦୮- ପୁରୀ ରୁ କୋଣାର୍କ ୩୦ କିମି ବେଳାମାର୍ଗ ରାସ୍ତା ନିୟମିତ ହେବ ସଫେଇ। ପର୍ଯ୍ୟଟନ ବିଭାଗ ସହଯୋଗରେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ୱଚ୍ଛ ସମୁଦ୍ର କରିଡ଼ର। ଏନେଇ ରାମଚଣ୍ଡୀ ଓସ୍ଵାଲି ପରିସରରେ ଆୟୋଜିତ ହୋଇଯାଇଛି ଏହାର ପରିଚାଳନା ବୈଠକ। ଏହି କାର୍ଯ୍ୟକ୍ରମରେ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ବନଖଣ୍ଡ ଅଧିକାରୀ ମଗର ଧାନୋଜ ରସୋ ପ୍ରମୁଖ ଯୋଗ ଦେଇଥିଲେ। ସ୍ଵଚ୍ଛତା ହେଉଛି ଓଡ଼ିଆ ସମାଜର ମୂଳପିଣ୍ଡ, ସ୍ବଚ୍ଛତା ରଖିଲେ ମା ଲକ୍ଷ୍ମୀ ପ୍ରଵେଶ କରନ୍ତି। ସମୁଦ୍ର ଓ ଜଙ୍ଗଲ ହେଉଛି ଈଶ୍ବରଙ୍କ ବରଦାନ। ତେଣୁ ତାକୁ ଯେତେ ସ୍ବଚ୍ଛତା ରଖିବା ସଜାଇବା , ସେତେ ପର୍ଯ୍ୟଟକ ଆସିବେ ଆମର ସେତେ ରୋଜଗାର ବଢିବ। ପୁରୀ କୋଣାର୍କ ବୁଲି ଆସିଥିବା ପର୍ଯ୍ୟଟକ ବେଳାମାର୍ଗ ପ୍ରତି ବଢୁଛି ଆକୃଷ୍ଟ। ସ୍ଵଚ୍ଛତା ବଜାୟ ରଖିଲେ ପର୍ଯ୍ୟଟକ ବଢ଼ିବେ ଓ ଖୁସି ହେବେ। ଜଙ୍ଗଲ, ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ରହିବ। ଏଥି ସହିତ ସ୍ଥାନୀୟ ମହିଳା ସମେତ ଲୋକଙ୍କ ନିଯୁକ୍ତି ବଢିବ। ବାଲୁଖଣ୍ଡ ଅଭୟାରଣ୍ୟ ସୁରକ୍ଷା, ବୃକ୍ଷ କଟା ସୁରକ୍ଷା, ଜୀବଜନ୍ତୁ ସୁରକ୍ଷା ସହିତ ତାଳବଣିଆ ଠାରୁ ଚନ୍ଦ୍ରଭାଗା ୩୦ କିମି ବିଶିଷ୍ଟ ବେଳାମାର୍ଗ ରାସ୍ତା ଦୈନିକ ହେବ ସଫେଇ। ରାଜପଥ କଡ଼ରେ ଥିବା ଦୋକାନୀ ଗୁଡ଼ିକ ସଫେଇ ନିୟମ ନମାନିଲେ ସେଗୁଡିକୁ ଉଚ୍ଛେଦ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ଏନେଇ ଏଜେନ୍ସି ଜରିଆରେ ସ୍ଥାନୀୟ ବନ ସୁରକ୍ଷା ସମିତି ସହଯୋଗରେ ସ୍ବଚ୍ଛ କର୍ମଚାରୀଙ୍କ ନିଯୁକ୍ତି ସରିଛି। ବାର୍ଷିକ ପ୍ରାୟ ୩କୋଟି ଟଙ୍କା ଖର୍ଚ ହେବ ଜଙ୍ଗଲ, ରାସ୍ତା ଓ ସମୁଦ୍ର ସଫେଇ ନେଇ। ଏହି ଅବସରରେ ଉପ ଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ବନଖଣ୍ଡ ଅଧିକାରୀ ସମ୍ବିତ ପଣ୍ଡା , ନୀଳମାଧବ ସାହୁ, ତହସିଲଦାର ଜୟଦରଥ ଆଚାର୍ଯ୍ୟ, ଗୋପ ବିଡ଼ିଓ ସୂର୍ଯ୍ୟ ଶଙ୍କର ଦାଶ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ, ପର୍ଯ୍ୟଟନ ଅଧିକାରୀ ସରୋଜ ଜେନା, ଓସ୍ଵାଲି ଅଧକ୍ଷ ରଙ୍ଗାଧର ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ୍, ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
