ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ । ଜିଲ୍ଲାର ୩ ଲକ୍ଷ ୬ ହଜାର ୪୭୩ ଜଣ ମହିଳା ହିତାଧିକାରୀ ଉପକୃତ ।

ଢ଼େଙ୍କାନାଳ, ୨୮ ଅଗଷ୍ଟ ୨୦୨୬- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ଯ ସରକାରଙ୍କ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲାର ଲାଠିପଡ଼ା ପଡ଼ିଆ ଠାରେ ଆୟୋଜିତ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚ଼ରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ରାଜ୍ୟର ୧,୦୩, ୨୬, ୧୬୨ ଜଣ ମହିଳା ହିତାଧିକାରୀଙ୍କୁ ଡ଼ି.ବି.ଟି. ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏଁ ମୋଟ୍ ୫୧୬୩ କୋଟି ୮ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଆଜି ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚ଼ନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଆଜି ଢ଼େଙ୍କାନାଳ ଜିଲ୍ଲାର ୩ ଲକ୍ଷ ୬ ହଜାର ୪୭୩ ଜଣ ମହିଳା ହିତାଧିକାରୀ ଉପକୃତ ହେବେ ବୋଲି କହି, ଏହି ଅର୍ଥ ଅର୍ଥ ରାଶି ବିନିଯୋଗ କରି ଛୋଟ ଛୋଟ ବ୍ୟବସାୟ କରି ପରିବାରର ଆର୍ଥିକ ସ୍ଥିତି ସୁଧାରିବାକୁ ପରାମର୍ଶ ଦେଇଛନ୍ତି । ମା’ ମାନଙ୍କ ଉଦ୍ୟମ ଯୋଗୁଁ ପରିବାର ସମୃଦ୍ଧ ହେଉଛି, ସମାଜ ଆଗକୁ ବଢୁଛି ବୋଲି ମତବ୍ୟକ୍ତ କରିଛନ୍ତି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି ବୋଲି ସେ ପ୍ରକାଶ କରିଥିଲେ । ସମସ୍ତ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ ପ୍ରକାଶ କରିଛନ୍ତି । ଆତ୍ମ ନିର୍ଭରଶୀଳ ହୋଇ ରାଜ୍ୟକୁ ଆଗେଇ ନେବାରେ ସହାୟକ ହେବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପ-ଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀ, ସୁଭଦ୍ରା ଯୋଜନାର ହିତାଧିକାରୀମାନେ ଯୋଗ ଦେଇଥିଲେ । ଶ୍ରୀ ସୁଶାନ୍ତ ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *