୩୧ ବର୍ଷର ଗୌରବମୟ ସେବା ପରେ ଜନ୍ମମାଟିକୁ ଫେରିଲେ ସୁବେଦାର
୩୧ ବର୍ଷର ଗୌରବମୟ ସେବା ପରେ ଜନ୍ମମାଟିକୁ ଫେରିଲେ ସୁବେଦାର ମେଜର ଯାଜପୁର ରେଳ ଷ୍ଟେସନରେ ବିପୁଳ ସମ୍ବର୍ଦ୍ଧନା ଦେଶମାତୃକାର ସେବାରେ ନିଜ ଜୀବନର ଦୀର୍ଘ ୩୧ ବର୍ଷ ଉତ୍ସର୍ଗ କରିବା ପରେ ଭାରତୀୟ ସେନାର ସୁବେଦାର ମେଜର ପ୍ରଦୀପ୍ତ କୁମାର ସାହୁ ଅବସର ଗ୍ରହଣ କରି ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି। ଜାଜପୁର ରୋଡ୍ ରେଳ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଲୋକମାନେ ଓ ଶୁଭେଚ୍ଛୁମାନେ ବିପୁଳ ସ୍ୱାଗତ ଓ ସମ୍ମାନ ଜଣାଇଥିଲେ।ଢେଙ୍କାନାଳ ଜିଲ୍ଲା ଭୁବନ ନିକଟ ନୟା ନୀଳକଣ୍ଠ ପୁର ଗ୍ରାମରେ ଜନ୍ମିତ ଶ୍ରୀ ସାହୁ ଏବେ ଯାଜପୁର ରୋଡ଼ ଉମାପଦା ଗ୍ରାମରେ ଘର କରି ବାସିନ୍ଦା ଭାବେ ସପରିବାର ରହୁଛନ୍ତି। ୧୯୯୫ ମସିହା ନଭେମ୍ବର ୩ ତାରିଖରେ ଭାରତୀୟ ସେନାରେ ଯୋଗଦେଇଥିବା ଶ୍ରୀ ସାହୁ ଦୀର୍ଘ ୩୧ ବର୍ଷ ଧରି ଆର୍ମି ଅର୍ଡନାନ୍ସ କର୍ପସ୍ (Army Ordnance Corps) ରେ ନିଷ୍ଠା, ଶୃଙ୍ଖଳା ଓ ଦେଶପ୍ରେମର ସହିତ ଦାୟିତ୍ୱ ନିର୍ବାହ କରିଛନ୍ତି। ତାଙ୍କର ସେବା ଜୀବନରେ ଜମ୍ମୁ-କାଶ୍ମୀର, ଡେରାଡୁନ, ସିକନ୍ଦରାବାଦ ସମେତ ଦେଶର ବିଭିନ୍ନ ସମ୍ବେଦନଶୀଳ ଓ ଦୁର୍ଗମ ଅଞ୍ଚଳରେ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି।ବିଶେଷକରି ଲେହ-ଲଦାଖର ହାଡ଼ଭଙ୍ଗା ଶୀତ ଓ ପ୍ରାୟ ମାଇନସ ୪୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ମଧ୍ୟ ସେ ଅବିଚଳିତ ମନୋବଳରେ ଦେଶସେବା କରିଥିଲେ। ଦେଶର ସୁରକ୍ଷା ଓ ସେନାର କର୍ତ୍ତବ୍ୟକୁ ସର୍ବୋଚ୍ଚ ସ୍ଥାନ ଦେଇ ନିଜ ପରିବାର ଓ ବ୍ୟକ୍ତିଗତ ସୁଖକୁ ପଛରେ ରଖି ସେ ଦେଶମାତୃକା ପାଇଁ ନିଜର ଅମୂଲ୍ୟ ଯୌବନ ଉତ୍ସର୍ଗ କରିଛନ୍ତି।ଅବସର ପରେ ନିଜ ଅନୁଭବ ବ୍ୟକ୍ତ କରି ଶ୍ରୀ ସାହୁ କହିଛନ୍ତି, “ଭାରତ ମାତାର ସେବା କରିବା ମୋ ଜୀବନର ସବୁଠାରୁ ବଡ଼ ଗୌରବ। ମୁଁ ଭାରତ ପାଇଁ ୩୧ ବର୍ଷ ସେବା କରିପାରିଥିବାରୁ ନିଜକୁ ଗର୍ବିତ ଓ ଧନ୍ୟ ମନେ କରୁଛି। ଏହି ଦୀର୍ଘ ଯାତ୍ରାରେ ମୋର ପିତାମାତା, ପତ୍ନୀ ଓ ପରିବାରର ଅକୁଣ୍ଠ ସମର୍ଥନ ଓ ତ୍ୟାଗ ମୋତେ ଦେଶସେବା ପାଇଁ ସବୁବେଳେ ପ୍ରେରଣା ଦେଇଛି। ସେମାନଙ୍କ ପ୍ରତି ମୁଁ ଚିରକୃତଜ୍ଞ।”ଜଣେ ସୈନିକଙ୍କ ପାଇଁ ଅବସର ହେଉଛି କେବଳ ଚାକିରିର ସମାପ୍ତି ନୁହେଁ, ବରଂ ଏକ ଗୌରବମୟ ଅଧ୍ୟାୟର ଶେଷ। ଶ୍ରୀ ସାହୁଙ୍କ ୩୧ ବର୍ଷର ନିଷ୍ଠାପୂର୍ଣ୍ଣ ସେବା ଆଗାମୀ ପିଢ଼ି ପାଇଁ ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା ଓ ତ୍ୟାଗର ଏକ ଉଜ୍ଜ୍ୱଳ ଉଦାହରଣ ହୋଇ ରହିବ। ରେଳ ଷ୍ଟେସନରେ ବରିଷ୍ଠ ସାମ୍ବାଦିକ ଡ଼. ଚିନ୍ତାମଣି ପାଢ଼ୀ, ସୁଜିତ କୁମାର ମଲ୍ଲିକ, ପ୍ରଶାନ୍ତ କୁମାର ପାତ୍ର, ଦେବେନ୍ଦ୍ର କୁମାର ନାୟକ, ଜ୍ଞାନରଞ୍ଜନ ଓଝା,ପଦ୍ମଲୋଚନ ନାୟକ,ସ୍ମୃତି ରଞ୍ଜନ ନାୟକ ଓ ପତ୍ନୀ ମମତା ରାଣୀ ସାହୁ ପ୍ରମୁଖ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଦେଶର ସୀମାରେ ଜାଗ୍ରତ ରହୁଥିବା ପ୍ରତ୍ୟେକ ସୈନିକଙ୍କ ତ୍ୟାଗ ଓ ସେବା ପାଇଁ ସମଗ୍ର ଦେଶ ବାସୀ ସଦା ସର୍ବଦା କୃତଜ୍ଞ ରହିବା ଉଚିତ ବୋଲି ଶ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।l
