ନିର୍ମାଣ ଓ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ଓ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ।
ଯାଜପୁର, ତା ୨୯.୦୮.୨୦୨୬ ରିଖ: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଯାଜପୁର ପକ୍ଷରୁ ଯାଜପୁର ରୋଡ୍ସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲାର ପଞ୍ଜୀକୃତ ନିର୍ମାଣ ଓ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସହାୟତା ରାଶି ଏବଂ ପରିଚୟ ପତ୍ର (Identity Card) ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି। ଏହି ବୃହତ୍ ସମାରୋହରେ ଜିଲ୍ଲାର ମୋଟ ୫୪୩ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୨ କୋଟି ୧୮ ଲକ୍ଷ ଟଙ୍କାର ବିଭିନ୍ନ କଲ୍ୟାଣକାରୀ ଆର୍ଥିକ ସହାୟତା ସିଧାସଳଖ ଡିବିଟି (DBT) ମାଧ୍ୟମରେ ପ୍ରଦାନ କରାଯିବା ସହ ନୂତନ ଶ୍ରମିକମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ, ଲୋକସଭା, ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଏବଂ କୋରେଇର ମାନ୍ୟବର ବିଧାୟକ ଶ୍ରୀ ଆକାଶ ଦାସନାୟକ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ, ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ଶିବ ଶଙ୍କର ମିଶ୍ର, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସତ୍ୟ ନାରାୟଣ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମାନ୍ୟବର ସାଂସଦ ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଶ୍ରମିକ ସମାଜର ଆର୍ଥିକ ଉନ୍ନତି ଓ ନିରାପତ୍ତା ଉପରେ ଗୁରୁତ୍ବ ଦେଇ କହିଲେ ଶ୍ରମିକ ଭାଇ ଓ ଭଉଣୀମାନେ ହେଉଛନ୍ତି ଆମ ସମାଜ ଓ ବିକାଶର ମୂଳଦୁଆ। ପ୍ରତ୍ୟେକ ନିର୍ମାଣ ଓ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ନିରାପତ୍ତା ଏବଂ ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଶିକ୍ଷା, ବିବାହ, ପ୍ରସୂତି ଓ ମୃତ୍ୟୁକାଳୀନ ସହାୟତା ରାଶି ଡିବିଟି (DBT) ମାଧ୍ୟମରେ ସିଧାସଳଖ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି, ଯାହାଫଳରେ ସ୍ୱଚ୍ଛତା ବଜାୟ ରହିବା ସହ ସେମାନେ ପ୍ରକୃତ ସୁବିଧା ପାଇପାରୁଛନ୍ତି। ଜିଲ୍ଲାର କୌଣସି ଯୋଗ୍ୟ ଶ୍ରମିକ ଯେପରି ସରକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଶ୍ରମ ବିଭାଗ ନିରନ୍ତର କାର୍ଯ୍ୟ କରୁଛି।” ଉକ୍ତ ବୈଠକରେ ଯୋଗଦେଇ କୋରେଇ ବିଧାୟକ ଶ୍ରୀ ଦାସନାୟକ ସାଧାରଣ ନିର୍ମାଣ ଓ ଅଣସଂଗଠିତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ସରକାରୀ ଯୋଜନାର ସଫଳ ରୂପାୟନ ସହ କୋରେଇ ଅଞ୍ଚଳର ଶ୍ରମିକଙ୍କ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ଆଶ୍ୱାସନା ଦେଇଥିଲେ। ଏଥି ସହ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସାହୁ ସଭାପତିତ୍ୱ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।ସରକାରୀ ସହାୟତା ବାବଦକୁ ୩୫୨ ଜଣ ଶ୍ରମିକଙ୍କ ପିଲାମାନଙ୍କୁ ୪୦,୦୧,୮୦୦ ଟଙ୍କାର ଶିକ୍ଷା ସହାୟତା, ୯୧ ଜଣ ହିତାଧିକାରୀଙ୍କୁ ୪୪,୭୫,୦୦୦ ଟଙ୍କାର ବିବାହ ସହାୟତା (ପ୍ରତି ହିତାଧିକାରୀ ୫୦,୦୦୦ ଟଙ୍କା), ୪୪ ଜଣ ମୃତ ଶ୍ରମିକଙ୍କ ପରିବାରକୁ ୧,୩୦,୦୦,୦୦୦ ଟଙ୍କାର ମୃତ୍ୟୁକାଳୀନ ସହାୟତା, ୪୫ ଜଣଙ୍କୁ ୨,୨୫,୦୦୦ ଟଙ୍କାର ଅନ୍ତ୍ଯେଷ୍ଟିକ୍ରିୟା ଖର୍ଚ୍ଚ ଏବଂ ୧୧ ଜଣଙ୍କୁ ୧,୧୦,୦୦୦ ଟଙ୍କାର ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଥିଲା।ଶ୍ରମିକମାନଙ୍କ ଆବେଦନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସହଜ କରିବା ପାଇଁ ସରକାରୀ ପୋର୍ଟାଲ୍ (www.nirmanshramik.odisha.gov.in / www.ouwssb-labour.odisha.gov.in) ଏବଂ ‘ଓଡ଼ିଶା ଶ୍ରମିକ ସାଥୀ’ ମୋବାଇଲ୍ ଆପ୍ ସମ୍ପର୍କରେ ଶ୍ରମିକମାନଙ୍କୁ ସଚେତନ କରାଯାଇଥିଲା। ଶ୍ରମିକମାନେ ନିଜେ କିମ୍ବା ‘ମୋ ସେବା କେନ୍ଦ୍ର’ ମାଧ୍ୟମରେ ଆବେଦନ କରିପାରିବେ ଏବଂ ‘ଓଡ଼ିଶା ଶ୍ରମିକ ସାଥୀ’ ମୋବାଇଲ୍ ଆପ୍ ସମ୍ପର୍କରେ ଶ୍ରମିକମାନଙ୍କୁ ସଚେତନ କରାଯାଇଥିଲା। ଅଭିଯୋଗ ପାଇଁ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1800-3456703 ଉପଲବ୍ଧ ରହିଛି। ଏଥିସହିତ ୧୪ ବର୍ଷରୁ କମ୍ ଶିଶୁଙ୍କୁ କାମରେ ଲଗାଇବା ଦଣ୍ଡନୀୟ ଅପରାଧ (ଫାଇନ୍ ₹୫୦,୦୦୦ କିମ୍ବା ୨ ବର୍ଷ ଜେଲ୍) ବୋଲି ସତର୍କ କରାଯିବା ସହ ଶିଶୁ ଶ୍ରମିକ ନିରୋଧ ପାଇଁ ଚାଇଲ୍ଡ ଲାଇନ୍ ନମ୍ବର 1098 ରେ ସୂଚନା ଦେବାକୁ ଶ୍ରମ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।ଶ୍ରମ ବିଭାଗ ପକ୍ଷରୁ ସମସ୍ତ ନିର୍ମାଣ ଓ ଅଣସଂଗଠିତ ଶ୍ରମିକ ଭାଇ-ଭଉଣୀମାନଙ୍କୁ ସଚେତନ ହୋଇ ସରକାରୀ ଯୋଜନାରେ ନିଜକୁ ପଞ୍ଜୀକୃତ କରି ସମସ୍ତ ସୁବିଧା ହାସଲ କରିବାକୁ ଆହ୍ୱାନ ଦିଆଯାଇଛି।ସହକାରୀ ଶ୍ରମ ଅଧିକାରୀଣୀ ସତ୍ୟରୂପା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶ୍ରମ ଅଧିକାରୀଣୀ ନୀଳିମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
