ଓଡ଼ିଶାରେ ପ୍ରଥମ ଥର ପାଇଁ ଶ୍ରୀ ନୀଳମାଧବଙ୍କ ୧୪ ବେଶ ପ୍ରଦର୍ଶନ ହେବ
ଓଡ଼ିଶାରେ ପ୍ରଥମ ଥର ପାଇଁ ଶ୍ରୀ ନୀଳମାଧବଙ୍କ ୧୪ ବେଶ ପ୍ରଦର୍ଶନ ହେବ ।
ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ, ଇଣ୍ଡିଆ, ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ, ବିଶ୍ୱ ସନାତନ ଟ୍ରଷ୍ଟ ଓ ଫ୍ୟାସନ୍ କ୍ଲବ୍, ଭୁବନେଶ୍ୱରର ମିଳିତ ସହଯୋଗରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଶ୍ରୀ ନୀଳମାଧବଙ୍କ ପ୍ରମୁଖ ୧୦ ବେଶ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତିର ସୁନା ବେଶ ଓ ପଦ୍ମ ବେଶର ଦିବ୍ୟ ପ୍ରଦର୍ଶନ ଅନୁଷ୍ଠିତ ହେବ।
ଏହି ପ୍ରଦର୍ଶନ ଆସନ୍ତା ସେପ୍ଟେମ୍ବର ୧୪ ରୁ ୨୦ ତାରିଖ ୨୦୨୬ ପର୍ଯ୍ୟନ୍ତ, ପ୍ୟାସନ୍ କ୍ଲବ୍, ୟୁନିଟ୍-୪, ଏମ୍.ଏଲ୍.ଏ କଲୋନୀ ପାର୍କ, ଭୁବନେଶ୍ୱରରେ ଗଣେଶ ପୂଜା ଅବସରରେ ପ୍ରଦର୍ଶିତ ହେବ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ କରାଯାଇଥିଲା। ଏ ନେଇ ଭକ୍ତ ସାଲବେଗ ପୀଠ ବଡ଼ଦାଣ୍ଡ ପୁରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଦେଉଳ ପୁରୋହିତ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥି ଭାବେ ଶ୍ରୀ ଦୁର୍ଗା ପ୍ରସାଦ ଦାସ ମହାପାତ୍ର (ବରିଷ୍ଠ ଦଇତାପତି), ଡଃ ଶରତ ମହାନ୍ତି (ସଭାପତି, ଚୂନରା ସେବକ), ବିଶିଷ୍ଟ ସମାଜସେବୀ ଶ୍ରୀ ଚକ୍ରଧର ମହାପାତ୍ର, ଡଃ ବଳରାମ ଦାଶ, ପ୍ରମୁଖ ଉପସ୍ଥିତ ରହି ଘୋଷଣା କରିଥିଲେ।
ସମସ୍ତ ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ଶ୍ରୀ ନୀଳମାଧବଙ୍କ ମହିମା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଡଃ ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ଭକ୍ତ ସମାଜର ସମ୍ପାଦକ ଡଃ ଶଶୀକାନ୍ତ ରଥ, ପ୍ୟାସନ୍ କ୍ଲବ୍ ର ସଭାପତି ଶ୍ରୀ ତପନ କୁମାର ପଲେଇ ଉପସ୍ଥିତ ଥିଲେ।
୧୪ ବେଶ ସମ୍ଭାର: ଗଜାନନ/ହାତୀ ବେଶ, ନବଯୌବନ ବେଶ, ସୁନା ବେଶ/ରାଜ ବେଶ, ବନ ଭୋଜି ବେଶ, କାଳୀୟ ଦଳନ ବେଶ, ପ୍ରଲମ୍ବାସୁର ବଧ ବେଶ, କୃଷ୍ଣ-ବଳରାମ ବେଶ, ବଳି ବାମନ ବେଶ, ରାଧା-ଦାମୋଦର ବେଶ, ଲକ୍ଷ୍ମୀ-ନାରାୟଣ ବେଶ, ବଙ୍କଚୂଡ଼ା ବେଶ, ତ୍ରିବିକ୍ରମ/ଅଡ଼କିଆ ବେଶ, ଲକ୍ଷ୍ମୀ-ନୃସିଂହ/ଡାଳିକିଆ ବେଶ ଓ ପଦ୍ମ ବେଶ।
ସମସ୍ତ ଭକ୍ତମାନଙ୍କୁ ଏହି ଦୁର୍ଲଭ ବେଶ ଦର୍ଶନ କରି ପ୍ରଭୁ କୃପା ଲାଭ କରିବାକୁ ଅନୁରୋଧ କରାଯାଇଛି।
