ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ
ଭୁବନେଶ୍ୱର ୦୪.୦୯.୨୦୨୬ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୩ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାବୁ ସିଂଙ୍କ ଅଧ୍ୟକ୍ଷତାରେ ତା. ୦୨.୦୯.୨୦୨୬ରିଖଠାରୁ ତା. ୦୭.୦୯.୨୦୨୬ରିଖ ପର୍ଯ୍ୟନ୍ତ କମିଟି ଉତ୍ତର ପ୍ରଦେଶ ରାଜ୍ୟ ଗସ୍ତରେ ଯାଇଛନ୍ତି । ଉକ୍ତ ଗସ୍ତରେ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଶ୍ରୀଯୁକ୍ତ (ଡ.) ବ୍ୟମୋକେଶ ରାୟ, ଶ୍ରୀଯୁକ୍ତ ସୁନିଲ କୁମାର ମହାନ୍ତି, ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଓ ଶ୍ରୀଯୁକ୍ତ ନିଳମାଧବ ହିକ୍କା ଇତ୍ୟାଦି ମାନ୍ୟବର ବିଧାୟକମାନେ କମିଟିଙ୍କ ଗସ୍ତରେ ସାମିଲ ଅଛନ୍ତି ଏବଂ ଉକ୍ତ ଗସ୍ତରେ ବିଧାନସଭା ତରଫରୁ କମିଟି ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଓ ଶ୍ରୀ ନିରଞ୍ଜନ କର, ଓଏସ୍ଡ଼ି ତଥା ଯୁଗ୍ମ ସଚିବ (ରିପୋଟିଂ) ମଧ୍ୟ କମିଟିଙ୍କ ଗସ୍ତରେ ସାମିଲ ହୋଇ ପୂର୍ଣ୍ଣ ସହାୟତା କରୁଛନ୍ତି ।ତା. ୦୩.୦୯.୨୦୨୬ରିଖ ଦିନ ବାହାର ରାଜ୍ୟ ଗସ୍ତରେ ଥିବା ଷ୍ଟାଣ୍ଡିଂ କମିଟି ଉତ୍ତର ପ୍ରଦେଶ ରାଜ୍ୟ ବିଧାନସଭା ପରିଦର୍ଶନ କରିବା ସହିତ ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସତିଶ ମାହାନା ଓ ବିଧାନସଭା ସଚିବ ଶ୍ରୀଯୁକ୍ତ ପ୍ରଦିପ କୁମାର ଦୁବେ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ବିଧାନସଭା ପରିଚାଳନା, ସ୍ଥାୟୀ କମିଟି ଗଠନ ଓ ଅନ୍ୟାନ୍ୟ କମିଟିଙ୍କ କାର୍ଯ୍ୟ ପରିଚାଳନା ଏବଂ ଏହାର କ୍ଷମତା,

ବିଧାନସଭାରେ କାର୍ଯ୍ୟକାରୀ ହେଉଥିବା ଇ-ବିଧାନ ସିଷ୍ଟମ୍ର ଉପଯୋଗ, ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବା ଓ ପାରିତ କରିବା ପଦ୍ଧତି ଏବଂ ଏଠାରେ ମାନ୍ୟବର ବିଧାୟକମାନଙ୍କୁ ଦିଆଯାଉଥିବା ସୁବିଧାସୁଯୋଗ ସହିତ ନିର୍ମାଣ ବିଭାଗ ଓ ଗୃହ ଓ ନଗର ଉନ୍ନୟନ, ଡ୍ରେନେଜ୍ ସିଷ୍ଟମ୍ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏତଦ୍ବ୍ୟତୀତ କମିଟି ବିଧାନସଭା ଗ୍ୟାଲେରୀ ପରିଦର୍ଶନ କରିବା ସହିତ ବିଧାନସଭା କାର୍ଯ୍ୟ ପରିଚାଳନା ସମ୍ପର୍କିତ ସମସ୍ତ ସୂଚନା କିପରି ବିଧାୟକ ଓ ସାଧାରଣରେ ଉପଲବ୍ଧ କରାଯାଇପାରୁଛି, ସେ ସମ୍ପର୍କରେ ବିଶେଷ ସୂଚନା ପ୍ରାପ୍ତ କରିଥିଲେ ଏବଂ ବିଧାନସଭା ଚାଲିଥିବାବେଳେ କିପରି ୟୁଟୁ୍ୟବ୍ ଓ ସିଧାପ୍ରସାରଣ କରାଯାଉଛି, ସେ ସମ୍ପର୍କରେ ମଧ୍ୟ ବିଶେଷ ସୂଚନା ପ୍ରାପ୍ତ କରିଥିଲେ । ଉତ୍ତରପ୍ରଦେଶ ପରି ଓଡ଼ିଶା ରାଜ୍ୟ ବିଧାନସଭାରେ ମଧ୍ୟ ଅନୁରୂପ ଭାବରେ କିପରି ସଂସ୍କାର ଅଣାଯାଇପାରିବ ସେ ଦିଗରେ ମଧ୍ୟ ପର୍ଯ୍ୟାଲୋଚନା କରାଯାଇଥିଲା । ବିଭୂତି ନାୟକଲୋକସମ୍ପର୍କ ଅଧିକାରୀ l
