ସଂଘର୍ଷ ରୁ ସଫୋଳତା ପାଇଥିବା BSF ଯବାନ ଲିପୁନ ନାୟକଙ୍କୁ ସମ୍ବର୍ଦ୍ଧନା
ସଂଘର୍ଷ ରୁ ସଫୋଳତା ପାଇଥିବା BSF ଯବାନ ଲିପୁନ ନାୟକଙ୍କୁ ସମ୍ବର୍ଦ୍ଧନା
ବଡ଼ଚଣା: ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଦେଶସେବାର ଅଦମ୍ୟ ଇଚ୍ଛା ଥିଲେ ଜୀବନରେ ସଫଳତା ହାସଲ କରିହୁଏ। ଏହାର ଏକ ଉଦାହରଣ ହେଉଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ଘୁମୁରି ପଞ୍ଚାୟତ ଅନ୍ତର୍ଗତ ଶକୁନ୍ତଳାପୁରର ଲିପୁନ ନାୟକ।ଲିପୁନ ନାୟକ ଜଣେ ଗରିବ ଚାଷୀ ଅର୍ଜୁନ ନାୟକଙ୍କ ପୁଅ। ଆର୍ଥିକ ଅନଟନ ସତ୍ତ୍ୱେ ଅର୍ଜୁନ ନାୟକ ନିଜ କଠିନ ପରିଶ୍ରମରେ ପୁଅକୁ ପାଠ ପଢ଼ାଇବା ସହ ତାଙ୍କ ସ୍ୱପ୍ନ ପୂରଣ ପାଇଁ ସବୁବେଳେ ସହଯୋଗ କରିଥିଲେ।ଛୋଟବେଳୁ ଦେଶସେବା କରିବା ଓ BSFରେ ଯୋଗଦେବା ଲିପୁନଙ୍କର ଏକମାତ୍ର ସ୍ୱପ୍ନ ଥିଲା। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସେ ନିରନ୍ତର କଠିନ ପରିଶ୍ରମ କରିଥିଲେ। ଶେଷରେ ତାଙ୍କ ପରିଶ୍ରମର ଫଳ ମିଳିଛି ଏବଂ ସେ ସଫଳତାର ସହ BSF ପ୍ରଶିକ୍ଷଣ ଶେଷ କରିଛନ୍ତି।ପ୍ରଶିକ୍ଷଣ ଶେଷ କରି ଆଜି ନିଜ ଗାଁ ଶକୁନ୍ତଳାପୁରସ୍ଥିତ ବାସଭବନକୁ ଫେରିବା ପରେ ପରିବାର, ବନ୍ଧୁବର୍ଗ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା।ଏହି ଅବସରରେ ସେବା ହିଁ ଧର୍ମ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମଧ୍ୟ ଲିପୁନ ନାୟକଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟ୍ରଷ୍ଟର ସଦସ୍ୟମାନେ ଲିପୁନଙ୍କୁ ଅଞ୍ଚଳର ଗର୍ବ ବୋଲି ଅଭିହିତ କରିବା ସହ ତାଙ୍କ ସଫଳତା ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା ବୋଲି କହିଥିଲେ।ଦେଶ ପ୍ରତି ତାଙ୍କର ଭଲପାଇବା, କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ଭାବକୁ ଟ୍ରଷ୍ଟ ପକ୍ଷରୁ ପ୍ରଶଂସା କରାଯାଇଥିଲା। ଆଗାମୀ ଦିନରେ ସେ ନିଷ୍ଠା ଓ ସାହସର ସହ ଦେଶସେବା କରନ୍ତୁ ବୋଲି ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଯାଇଥିଲା।ଜଣେ ଗରିବ ଚାଷୀଙ୍କ ପୁଅରୁ ଦେଶର ସୁରକ୍ଷା ବାହିନୀର ଯବାନ ହେବା ପର୍ଯ୍ୟନ୍ତ ଲିପୁନଙ୍କ ଏହି ଯାତ୍ରା ନିଶ୍ଚିତ ଭାବେ ଅନେକ ଯୁବକଙ୍କୁ ସ୍ୱପ୍ନ ଦେଖିବା, ପରିଶ୍ରମ କରିବା ଓ ଦେଶସେବା ପାଇଁ ଆଗେଇ ଆସିବାକୁ ପ୍ରେରଣା ଦେବ।
