ପବିତ୍ର ଗୁରୁ ଦିବସ
ପବିତ୍ର ଗୁରୁ ଦିବସ ଅବସରରେ କୁଣ୍ଢେଇବେଣ୍ଟସାହି ସ୍ଥିତ ପଥର ଆଖଡ଼ା ପ୍ରାଙ୍ଗଣରେ ତଥା ବିଶେଷ ସହଯୋଗରେ ଶ୍ରୀକ୍ଷେତ୍ର ନାଟ୍ୟଶାଳା ଏବଂ ରୁପା ଆଣ୍ଡ ଟ୍ରୁପ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ମହାସମାରୋହରେ ପାଳିତ ହୋଇଯାଇଛି । ଦୁଇ ଅନୁଷ୍ଠାନର ସମସ୍ତ ଶିକ୍ଷାନବିଶ ଏବଂ ଗୁରୁମାନେ ଉପସ୍ଥିତ ହୋଇଥିଲେ । ପ୍ରାରମ୍ଭରେ ଆଖେଡାରେ ପ୍ରତିଷ୍ଠିତ ମହାବୀରଙ୍କ ସମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ସମସ୍ତଙ୍କ ମିଳିତ କଣ୍ଠରେ ଓଁକାର ଧ୍ବନି ଏବଂ ଗୁରୁ ପ୍ରାର୍ଥନାରେ ପ୍ରକମ୍ପିତ ହୋଇଥିଲା ଆଖଡା ପରିସର । ଏଥିରେ ମୁଖ୍ୟ ଅତିଥି ଭାବେ ଆଖେଡାର ସହ ସମ୍ପାଦକ ତଥା ଆଇନଜୀବୀ ରାମଚନ୍ଦ୍ର ମହାପାତ୍ର ଯୋଗଦେଇ କହିଲେ ଗୁରୁ ହିଁ ଇଶ୍ବର । ଗୁରୁ ହେଉଛନ୍ତି ଶିକ୍ଷାଦାତା, ପ୍ରେରଣାଦାତା ଓ ସତ୍ଯମାର୍ଗ ପ୍ରଦର୍ଶକ । ଗୁରୁ ହେଉଛନ୍ତି ଶାଶ୍ଵତ । ଏକ ଆଦର୍ଶ ସମାଜ ଗଠନରେ ଗୁରୁଙ୍କ ଭୂମିକା ଅତୁଳନୀୟ । ଗୁରୁଙ୍କ ଆଶୀର୍ବାଦରେ ଶିଷ୍ଯ ଶୀର୍ଷ ସ୍ଥାନରେ ପହଞ୍ଚିଥାଏ । ଶ୍ରୀ ମହାପାତ୍ରଙ୍କୁ ଉପଢୌକନ ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଦୁଇ ଅନୁଷ୍ଠାନର ଗୁରୁ ଲଷ୍ମୀଧର ପୂଜାପଣ୍ଡା ,ସୁଶ୍ରୀ ରୂପଲତା ମହାନ୍ତି ଓ ପ୍ରଖ୍ୟାତ ନୃତ୍ଯ ଗୁରୁ ବିଜୟୀ ଲଷ୍ମୀ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ସହ ମାନପତ୍ର ,ବିଭିନ୍ନ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ସମସ୍ତ କଳାକାର ମାନେ ଗୁରୁମାନଙ୍କୁ ପୁଷ୍ପ, ଚନ୍ଦନ ଓ ସିନ୍ଦୁର ଲଗାଇ ପୂଜାର୍ଚ୍ଚନା କରି ଗୁରୁ ପୂଜନ କରିଥିଲେ । ଗୁରୁ ଏବଂ ଅତିଥି ମାନଙ୍କର ଆଶୀର୍ବଚନ ପରେ ରୁପା ଆଣ୍ଡ ଟ୍ରୁପର ଆଠଜଣ ନୃତ୍ଯ ଶିଳ୍ପୀ ଓଡିଶୀ ନୃତ୍ୟ ଛନ୍ଦରେ ଗଣେଶ ବନ୍ଦନା ନୃତ୍ଯ ପରିବେଷଣ କରିଥିଲେ ।
