ପୂର୍ବତଟ ରେଳପଥ ଦ୍ୱାରା ‘ଅପରେସନ ନାର୍କୋସ୍’ ଅଭିଯାନ ।

ଭୁବନେଶ୍ୱର, ସେପ୍ଟେମ୍ବର ୧୯, ୨୦୨୬ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) “ଅପରେସନ ନାର୍କୋସ୍” ଅଧୀନରେ ରେଳପଥ ମାଧ୍ୟମରେ ନିଶାଦ୍ରବ୍ୟ ଓ ସାଇକୋଟ୍ରୋପିକ୍ ଦ୍ରବ୍ୟର ବେଆଇନ ଚାଲାଣ ବିରୋଧରେ ଗୁଇନ୍ଦା ସୂଚନା ଆଧାରିତ ଅଭିଯାନକୁ ତୀବ୍ର କରିଛି। ଏହା “ନଶା ମୁକ୍ତ ଭାରତ” ପ୍ରତି ପୂର୍ବତଟ ରେଳପଥର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।ଏହି ଅଭିଯାନର ଅଂଶ ସ୍ୱରୂପ, ପୂର୍ବତଟ ରେଳପଥ ୧୮ ଟି ନୂଆ କୁକୁର ଛୁଆଙ୍କୁ ସାମିଲ କରିଛି, ଯେଉଁଥିରେ ୧୫ ଟି ସ୍ୱତନ୍ତ୍ର ନିଶାଦ୍ରବ୍ୟ ସନ୍ଧାନୀ କୁକୁର ଅଛନ୍ତି। ଏହାଫଳରେ ପୂର୍ବତଟ ରେଳପଥର ସନ୍ଧାନୀ କୁକୁର ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି।। ଏଥିମଧ୍ୟରୁ ୨୦ଟି କୁକୁରକୁ ସ୍ୱତନ୍ତ୍ର ଭାବେ ନିଶାଦ୍ରବ୍ୟ ଚିହ୍ନଟ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏମାନେ ଟ୍ରେନ୍, ପ୍ଲାଟଫର୍ମ, ଲଗେଜ୍, ପାର୍ସଲ୍ ଅଞ୍ଚଳ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ଯାଞ୍ଚ କାର୍ଯ୍ୟରେ ସହାୟତା କରିବେ। ସାମିଲ ହୋଇଥିବା ନୂତନ କୁକୁର ଗୁଡିକର ସ୍ୱତନ୍ତ୍ର ପ୍ରଶିକ୍ଷଣ ୨୫ ଅକ୍ଟୋବର ୨୦୨୬ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୨୦୨୭ ସୁଦ୍ଧା ସେମାନେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବେ।ପୂର୍ବତଟ ରେଳପଥ ରେଳ ସୁରକ୍ଷା ବଳ (ଆରପିଏଫ୍) ନିଶାଦ୍ରବ୍ୟ ଚାଲାଣ ରୋକିବା ପାଇଁ ସିସିଟିଭି ନିରୀକ୍ଷଣ, ବ୍ୟାଗେଜ୍ ସ୍କାନର୍, ଡ୍ରୋନ୍ ନିରୀକ୍ଷଣ ଓ ଉନ୍ନତ ବିଶ୍ଳେଷଣ ପ୍ରଣାଳୀର ବ୍ୟବହାର କରୁଛି। ଏଥିସହ ଜିଆରପି, ରାଜ୍ୟ ପୁଲିସ ଓ ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହିତ ସମନ୍ୱୟ ରଖି ଗୁଇନ୍ଦା ସୂଚନା ଆଦାନପ୍ରଦାନ ଓ ମିଳିତ ଅଭିଯାନ କରୁଛି ।ଜାନୁଆରୀ ରୁ ଅଗଷ୍ଟ ୨୦୨୬ ମଧ୍ୟରେ, ‘ଅପରେସନ୍ ନାର୍କୋସ୍’ ଅଧୀନରେ ୭୫ ଟି ମାମଲା ଚିହ୍ନଟ କରାଯାଇଛି, ପ୍ରାୟ ୩.୬୦ କୋଟି ଟଙ୍କା ମୂଲ୍ୟର ୧,୦୭୯.୬୪୨ କିଲୋଗ୍ରାମ ଗଞ୍ଜେଇ ଏବଂ ୬୦ ବୋତଲ କୋଡିନ୍-ଭିତ୍ତିକ କଫ୍ ସିରପ୍ ଜବତ କରାଯାଇଛି ଏବଂ ନିଶାଦ୍ରବ୍ୟ କାରବାରରେ ସଂପୃକ୍ତ ୯୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *