ପ୍ରେସ୍ ବିଜ୍ଞପ୍ତି
ପୁଲିସ କର୍ମଚାରୀଙ୍କ ଟିଏ ଭତ୍ତା ହେରଫେର ଘଟଣା: ଏସ୍ପିଙ୍କ ପଦକ୍ଷେପକୁ ଆମ୍ ଆଦ୍ମୀ ପାର୍ଟିର ସ୍ୱାଗତ, ମମତା ଓଝାଙ୍କ ଗିରଫରେ ବିଳମ୍ବକୁ ନେଇ ଉଠାଇଲା ପ୍ରଶ୍ନ
ପୁରୀ, ୨୫ ସେପ୍ଟେମ୍ବର:
ପୁରୀ ପୁଲିସ ବିଭାଗର କର୍ମଚାରୀଙ୍କ ଟିଏ ଭତ୍ତା ଅର୍ଥ ହେରଫେର ଅଭିଯୋଗ ଘଟଣାକୁ ନେଇ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଆଜି ପୁରୀ ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସ୍ କନଫରେନ୍ସ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଶ୍ରୀ ସଞ୍ଜୀବ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଘଟଣାର ସମସ୍ତ ଦିଗର ନିରପେକ୍ଷ ତଦନ୍ତ, ହେରଫେର ହୋଇଥିବା ଅର୍ଥ ପ୍ରାପ୍ୟ କର୍ମଚାରୀମାନଙ୍କୁ ଫେରସ୍ତ ଏବଂ ଦୋଷ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଗ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
ଏହି ଘଟଣାରେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ଯେଉଁ ପଦକ୍ଷେପ ନିଆଯାଇଛି, ବିଶେଷକରି ଅଭିଯୋଗର ତଦନ୍ତ କରି ମାମଲା ଆଗକୁ ବଢ଼ାଇବା ଏବଂ ଜଣେ କର୍ମଚାରୀଙ୍କୁ ଗିରଫ କରିବା ଭଳି ପଦକ୍ଷେପ ପାଇଁ ଆମ୍ ଆଦ୍ମୀ ପାର୍ଟି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ୱାଗତ ଓ ପ୍ରଶଂସା କରୁଛି। ଏହା ଦ୍ୱାରା ତଦନ୍ତ ପ୍ରତି ପୁଲିସ ପ୍ରଶାସନର ଗମ୍ଭୀରତା ପ୍ରକାଶ ପାଉଛି।
କିନ୍ତୁ ଏହି ପଦକ୍ଷେପ ସହିତ ଆଉ କିଛି ଗୁରୁତର ପ୍ରଶ୍ନ ମଧ୍ୟ ଉଠୁଛି।
ମମତା ଓଝା କେତେଦିନ ପର୍ଯ୍ୟନ୍ତ ଫେରାର ରହିବେ?
ଏହି ଘଟଣାରେ ମମତା ଓଝା ଫେରାର ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ତେବେ ପ୍ରଶ୍ନ ହେଉଛି—ସେ କେତେଦିନ ପର୍ଯ୍ୟନ୍ତ ପୁଲିସ ତଦନ୍ତରୁ ଦୂରେ ରହିବେ?
ପୁରୀ ପୁଲିସ ଅତୀତରେ ଦ୍ରୁତ କାର୍ଯ୍ୟାନୁଷ୍ଠାନର ଉଦାହରଣ ଦେଇଛି। ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ପୁରୀ ପୁଲିସ ଗୋଟିଏ ବିଶେଷ ଅଭିଯାନରେ ୨୪ ଘଣ୍ଟା ମଧ୍ୟରେ ୨୩ ଜଣଙ୍କୁ ଗିରଫ କରିଥିବା ସାର୍ବଜନୀନ ଭାବେ କହିଥିଲା।
ତେବେ ଏଠାରେ, ଏକ ସରକାରୀ ବିଭାଗର ଅର୍ଥ ସମ୍ପର୍କିତ ଗୁରୁତର ଅଭିଯୋଗରେ ଜଣେ ଅଭିଯୁକ୍ତ ଦୀର୍ଘ ସମୟ ଧରି ଗିରଫରୁ ବାହାରେ କାହିଁକି?
ଏହାର ସ୍ପଷ୍ଟ ଉତ୍ତର ପୁରୀ ପୁଲିସ ପ୍ରଶାସନ ଦେବା ଆବଶ୍ୟକ।
ଆମେ ପୁଲିସକୁ ଦୋଷୀ କହୁନାହୁଁ; କିନ୍ତୁ ତଦନ୍ତର ସ୍ୱଚ୍ଛତା ପାଇଁ ଏହି ବିଳମ୍ବର କାରଣ ଲୋକଙ୍କ ସମ୍ମୁଖରେ ସ୍ପଷ୍ଟ ହେବା ଦରକାର।
ମମତା ଓଝାଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫର ରେକର୍ଡ ମଧ୍ୟ ତଦନ୍ତର ଅଂଶ ହେଉ
ଆମ୍ ଆଦ୍ମୀ ପାର୍ଟି ଆଉ ଏକ ଗୁରୁତର ବିଷୟ ଉପରେ ପୁଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛି।
ମମତା ଓଝାଙ୍କ ସମ୍ପୂର୍ଣ୍ଣ ଚାକିରି ଇତିହାସ, ପୁରୀରେ ତାଙ୍କର ପୋଷ୍ଟିଂ, ଟ୍ରାନ୍ସଫର, ପୁନଃ ପୁରୀରେ ପୋଷ୍ଟିଂ ଏବଂ ସେ କେଉଁ କେଉଁ ଦାୟିତ୍ୱରେ ଥିଲେ—ଏସବୁ ରେକର୍ଡ ମଧ୍ୟ ତଦନ୍ତ କରାଯାଉ।
ଯଦି ତାଙ୍କର ପୋଷ୍ଟିଂ ଓ ଟ୍ରାନ୍ସଫର ସମ୍ପର୍କରେ କୌଣସି ଅସାମାନ୍ୟତା ଥାଏ, ତେବେ ତାହାର କାରଣ ମଧ୍ୟ ତଦନ୍ତ ହେବା ଆବଶ୍ୟକ। କୌଣସି ବ୍ୟକ୍ତିଙ୍କ ବିରୋଧରେ ପୂର୍ବନିର୍ଣ୍ଣିତ ଅଭିଯୋଗ ନୁହେଁ, ବରଂ ତଥ୍ୟ ଓ ସରକାରୀ ରେକର୍ଡ ଆଧାରରେ ଏହି ତଦନ୍ତ ହେବା ଦରକାର।
ଏହି ସମସ୍ତ ପ୍ରଶ୍ନର ସ୍ୱଚ୍ଛ ଉତ୍ତର ନମିଳିଲେ ପୁରୀ ପୁଲିସର ତଦନ୍ତ ପ୍ରକ୍ରିୟା ଓ ନିରପେକ୍ଷତାକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ ବୋଲି ଆମ୍ ଆଦ୍ମୀ ପାର୍ଟି କହିଛି।
ଦଶହରା ସୁଦ୍ଧା ପ୍ରାପ୍ୟ ଅର୍ଥ ଫେରସ୍ତ ହେଉ
ଆମ୍ ଆଦ୍ମୀ ପାର୍ଟିର ମୁଖ୍ୟ ଦାବି ହେଉଛି—ଏହି ଘଟଣା ୨୦୨୪ ମସିହାରୁ ଆରମ୍ଭ ହୋଇଥିବା ନେଇ ଯେଉଁ ଅଭିଯୋଗ ଓ ତଥ୍ୟ ସାମ୍ନାକୁ ଆସିଛି, ତାହାର ସମ୍ପୂର୍ଣ୍ଣ ତଦନ୍ତ କରାଯାଉ।
ଆଗାମୀ ଦଶହରା ସୁଦ୍ଧା ଯେଉଁ ପୁଲିସ କର୍ମଚାରୀମାନଙ୍କର ପ୍ରାପ୍ୟ ଟିଏ ଭତ୍ତା ଅର୍ଥ ମିଳିନାହିଁ, ସେମାନଙ୍କର ସମସ୍ତ ପ୍ରାପ୍ୟ ଅର୍ଥ ଫେରସ୍ତ କରାଯାଉ।
ଏଥିସହିତ ଅଡିଟ୍ ଓ ତଦନ୍ତରେ ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ, ସେମାନଙ୍କଠାରୁ ଅର୍ଥ ଆଦାୟ କରାଯାଇ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯାଉ।
ଆମ୍ ଆଦ୍ମୀ ପାର୍ଟିର ପ୍ରଶ୍ନ ସ୍ପଷ୍ଟ—
ଯଦି ସାଧାରଣ ଅପରାଧରେ ପୁରୀ ପୁଲିସ ଦ୍ରୁତ ଗିରଫ କରିପାରୁଛି, ତେବେ ସରକାରୀ ଅର୍ଥ ହେରଫେର ଭଳି ଗୁରୁତର ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାରେ ବିଳମ୍ବ କାହିଁକି?
ଏହି ପ୍ରଶ୍ନର ଉତ୍ତର ମଧ୍ୟ ପୁରୀ ପୁଲିସ ପ୍ରଶାସନକୁ ଦେବାକୁ ପଡ଼ିବ।
ଆଜିର ପ୍ରେସ କନଫରେନ୍ସ ରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି, ଜିଲ୍ଲା ଉସଭାପତି ଶ୍ରୀଯୁକ୍ତ ଅନିଲ କୁମାର ସେନାପତି ଏବଂ ନଗର ସଭାପତି ଶ୍ରୀଯୁକ୍ତ ରମାକାନ୍ତ ସ୍ୱାଇଁ ଉପସ୍ଥିତ ଥିଲେ ।
— ଆମ୍ ଆଦ୍ମୀ ପାର୍ଟି, ପୁରୀ ଜିଲ୍ଲା
