ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ଏଏସଆଇ ଡିଜି

ASI DG AT TEMPLE

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ଏଏସଆଇ ଡିଜି ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଡିଜି ୟଦୁବୀର୍ ସିଂ ରାୱତ। ମହାପ୍ରଭୁଙ୍କ ଦର୍ଶନ ପରେ ଏଏସଆଇ ଡିଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଆସି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହ ସାକ୍ଷାତ କରିବା ସହ ମନ୍ଦିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଉପରେ ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଏଏସଆଇ ଡିଜି ୟଦୁବୀର୍ ସିଂ ରାୱତ। ଶ୍ରୀମନ୍ଦିର ହେଉଛି ପ୍ରାଚୀନ ମନ୍ଦିର,,ପୂର୍ବେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ବହୁତ୍ କମ୍ ଭକ୍ତଙ୍କ ଆଗମନ ହେଉଥିଲା। ଏବେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ଅନୁଧ୍ୟାନ କରିବାକୁ ପର୍ଯ୍ୟାପ୍ତ ସମୟ ମିଳୁନାହିଁ। କିନ୍ତୁ ଶ୍ରୀମନ୍ଦିର ପରିଚାଳନା ସମିତିର ସହଯୋଗ ସହ ବିଭିନ୍ନ ସଂରକ୍ଷଣ ଜନିତ ପ୍ରସଙ୍ଗ ଉପରେ ଆଲୋକପାତ କରାଇବା ଯୋଗୁଁ ଏହାକୁ ଅନୁଧ୍ୟାନ କରିବା ପାଇଁ ସହାୟକ ହେଉଛି ବୋଲି କହିଛନ୍ତି ଏଏସଆଇ ଡିଜି। ଏହାସହ ଶ୍ରୀମନ୍ଦିର ଗର୍ଭଗୃହରେ ଦୀର୍ଘବର୍ଷ ଧରି ଲାଗିଥିବା ଆଇରନ୍ ବିମ୍ କୁ ଅନୁଧ୍ୟାନ କରାଯିବା ସହ ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପ,ମେଘନାଦ ପ୍ରାଚୀର ଓ ଅନ୍ୟାନ୍ୟ ପାର୍ଶ୍ୱଦେବାଦେବୀ ମନ୍ଦିରକୁ ଯାଞ୍ଚ କରାଯିବ ବୋଲି କହିଛନ୍ତି ଏଏସଆଇ ଡିଜି। ସେପଟେ ଶ୍ରୀମନ୍ଦିର ଐତିହ୍ୟ କୀର୍ତ୍ତିରାଜି ଚତୁର୍ପାର୍ଶ୍ୱରେ NMA ACT ଉଲଙ୍ଘନ କରି ଅନେକ ନିର୍ମାଣ ଚାଲିଥିବାର ଅଭିଯୋଗ ଆସିଛି। ତେଣୁ ଆଗକୁ NMA ଆଇନ୍ ରେ ଶଂସୋଧନ କରାଯାଇ ବେଆଇନ୍ ନିର୍ମାଣକୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ଏଏସଆଇ ଡିଜି। ଏହାସହ କୋଣାର୍କ ମନ୍ଦିରର ବାଲି କଢାଯିବା ଭିତ୍ତିଭୂମିକୁ ନେଇ ଯାଞ୍ଚ କରାଯାଇଛି ଏବଂ ଏହି ଯାଞ୍ଚରେ ଜଣାପଡିଛି 5 ମିଟର ପର୍ଯ୍ୟନ୍ତ ଭିତ୍ତିଭୂମି ବହୁତ୍ ସୁଦୃଢ ରହିଛି। ଏହାସହ ପ୍ରାଚୀନ କୀର୍ତ୍ତିରାଜିର ଯେଉଁ କିଛି ଛୋଟଛୋଟ ଅବକ୍ଷୟ ରହିଛି ସେଗୁଡିକ ମରାମତି କରାଯିବ ବୋଲି କହିଛନ୍ତି ଏଏସଆଇ ଡିଜି।

Leave a Reply

Your email address will not be published. Required fields are marked *