PMFBYର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ
*PMFBYର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ* ପୁରୀ: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ଫସଲ କଟା ପରୀକ୍ଷଣ (CCE) ସମ୍ପର୍କିତ ଜିଲ୍ଲାସ୍ତରୀୟ ପୁନଃସତେଜନ ପ୍ରଶିକ୍ଷଣ ଶିବିର ଜିଲ୍ଲା ପରିଷଦ, ପୁରୀର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟାନନ୍ଦ ସେଠୀ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିବା ସହ ଅଂଶଗ୍ରହଣକାରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ସେ ଚାଷୀମାନଙ୍କ ସ୍ୱାର୍ଥ ସୁରକ୍ଷା ଓ ଫସଲ ବୀମା ଯୋଜନାର ସଫଳ ରୂପାୟନରେ ସଠିକ୍ ଫସଲ କଟା ପରୀକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଥିରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ (DPMU), କୃଷି ଓ ରାଜସ୍ୱ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ସମେତ ରାଜ୍ୟ ସମବାୟ ବିଭାଗ ଓ ORSACର ଅଧିକାରୀମାନେ ଯୋଗଦେଇଥିଲେ। DPMU, ପୁରୀର ଉପନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ନିଜ ଅଭିଭାଷଣରେ PMFBY ଅଧୀନରେ CCEର ଗୁରୁତ୍ୱ ଏବଂ ଏହାର ଫଳାଫଳ ଚାଷୀମାନଙ୍କ ବୀମା ସୁବିଧା ଓ କ୍ଷତିପୂରଣ ନିର୍ଦ୍ଧାରଣରେ କିପରି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ, ସେ ସମ୍ପର୍କରେ ବୁଝାଇଥିଲେ। ସମସ୍ତ ବକ୍ତା ନିଜ ନିଜ ଅଭିଭାଷଣରେ ଏହି ଯୋଜନା ରାଜ୍ୟର କୃଷକ ସମାଜ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଉଲ୍ଲେଖ କରିବା ସହ ଯୋଗ୍ୟ ଓ ପ୍ରକୃତ ହିତାଧିକାରୀ ଚାଷୀମାନେ ଯେପରି ନ୍ୟାୟସଙ୍ଗତ ଭାବେ ଏହାର ସୁଫଳ ପାଇପାରିବେ, ସେଥିପାଇଁ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ସର୍ବୋଚ୍ଚ ସଚ୍ଚୋଟତା, ନିଷ୍ଠା, ସ୍ୱଚ୍ଛତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ ଶିବିରରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀ ରଙ୍କନିଧି ନାୟକ ଏବଂ DPMU, ପୁରୀର ସହକାରୀ ନିର୍ଦ୍ଦେଶିକା ଶ୍ରୀମତୀ ସଂଘମିତ୍ରା ମହାନ୍ତି RI, VAW ଓ ବ୍ଲକ୍ ପରିସଂଖ୍ୟାନ କର୍ମଚାରୀଙ୍କୁ CCEର ବୈଷୟିକ ଦିଗ, ଅନ୍ଲାଇନ୍ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଡେଲାଙ୍ଗ ବ୍ଲକ୍ର ପରିସଂଖ୍ୟାନ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଶାନ୍ତ ମଲ୍ଲିକ CCE ଆପ୍ର ବ୍ୟବହାର ପ୍ରଦର୍ଶନ କରିଥିଲେ।ଶେଷରେ ଅତିଥି ଓ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଅର୍ପଣ ସହ ପ୍ରଶିକ୍ଷଣ ଶିବିରର ପରିସମାପ୍ତି ଘୋଷଣା କରାଯାଇଥିଲା।
