ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

  • ରାଜ୍ୟର ପ୍ରମୁଖ ସଫଳତା ଓ ବିକାଶମୂଳକ ପଦକ୍ଷେପର ଅଗ୍ରଗତି ସଂପର୍କିତ ଆଲୋଚନା 
  • ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
  • ୨୦୨୬-୨୭ ବଜେଟ୍ ଖର୍ଚ୍ଚ ସମୀକ୍ଷା ସହ ଆଗାମୀ ବଜେଟ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ 
  • ବଜେଟ୍ ଅନୁମୋଦନ ଅନୁସାରେ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ଓ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ                
  • ସାମାଜିକ କ୍ଷେତ୍ରଭିତ୍ତିକ ଖର୍ଚ୍ଚକୁ ଗୁରୁତ୍ୱ;  ବ୍ୟବସାୟିକ ସଂସ୍କାର ଓ ଇଜ୍ ଅଫ୍ ଡୁଇଂ ବିଜନେସ୍ କାର୍ଯ୍ୟକାରିତାର ସମୀକ୍ଷା     
  • ଓଡ଼ିଶା ଲୋକସେବା ଅଧିକାର ଆଇନ ଅନ୍ତର୍ଗତ ଅନଲାଇନ୍ ସେବା ଓ ଅଟୋ ଅପିଲ୍ ବ୍ୟବସ୍ଥାର ସମୀକ୍ଷା  
  • ସ୍ୱଚ୍ଛତା, ସମନ୍ୱିତ ପ୍ରଶାସନ ଓ ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ଉପରେ ପ୍ରାଥମିକତା 

ଭୁବନେଶ୍ୱର, ତା- ୧୨.୧୧.୨୦୨୬ 

ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଆଜି  ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ତଥା କମିଶନର ତଥା ଶାସନ ସଚିବମାନେ ବୈଠକରେ ଯୋଗଦେଇଥିଲେ । ବୈଠକରେ  ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ସମୀକ୍ଷା କରାଯାଇଛି । ଏଥିରେ ୨୦୨୬-୨୭ ବଜେଟ୍ ଅନୁମୋଦନ ଅନୁସାରେ ଖର୍ଚ୍ଚ ସମୀକ୍ଷା କରାଯିବା ସହ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟ୍ ଏବଂ ଆଗାମୀ ୨୦୨୭-୨୮ ବାର୍ଷିକ ବଜେଟ୍ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା l  

ମୁଖ୍ୟ ଶାସନ ସଚିବ ଶ୍ରୀମତୀ  ଗର୍ଗ ପ୍ରାରମ୍ଭରେ ଗତ ଅକ୍ଟୋବର ପ୍ରଥମ ସପ୍ତାହରୁ ନଭେମ୍ବର ମାସ ଆଜି ସୁଦ୍ଧା ରାଜ୍ୟର ପ୍ରମୁଖ ସଫଳତା ଓ ବିକାଶମୂଳକ ପଦକ୍ଷେପ  ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।  ଏଥି ମଧ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆର୍‌ବିଆଇ ଡାଟା ସେଣ୍ଟର ଉଦ୍‌ଘାଟନ, କଳିଙ୍ଗନଗରରେ ଶିଳ୍ପ ପ୍ରକଳ୍ପର ଭୂମିପୂଜନ, ଅକ୍ଷୟ ଶକ୍ତି କ୍ଷେତ୍ରରେ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ, ୧୮ଟି ବୁଝାମଣାପତ୍ର ସ୍ୱାକ୍ଷର, ରାଜ୍ୟ କ୍ୟାବିନେଟ୍‌ରେ ପ୍ରମୁଖ ନିଷ୍ପତ୍ତି ଏବଂ ୨,୦୬୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅନ୍ୟତମ ।  ସେହିପରି ଦୁର୍ନୀତି ନିବାରଣ  କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର ୬୫%କୁ ବୃଦ୍ଧି, ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟ, ୬୩୦ଟି ବିଦ୍ୟାଳୟରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟ, ପେନ୍‌ସନ୍ ପରିଚାଳନା ପୋର୍ଟାଲ୍‌ର ଶୁଭାରମ୍ଭ ଏବଂ ସ୍ୱଚ୍ଛ ସର୍ବେକ୍ଷଣରେ ପୁରୀ, ଭୁବନେଶ୍ୱର ଓ ଆସିକାର ସଫଳତା ଆଦି ଉପରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ । ଏଥି ସହିତ  ବାତ୍ୟା “ଅର୍ଣ୍ଣବ” ଏବଂ ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସଂଘଠିତ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ  ତ୍ୱରାନ୍ୱିତ କରିବାରେ ସମ୍ପୃକ୍ତ ସମସ୍ତ ବିଭାଗମାନଙ୍କୁ ମୁଖ୍ୟ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି  ।  

୩୧ ଅକ୍ଟୋବର ୨୦୨୬ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପସ୍ଥାପନ କରାଯାଇଥିଲା । ଅଦ୍ୟବଧି ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା ଖର୍ଚ୍ଚ ଓ ରାଜସ୍ୱ ଆଦାୟ ସଂପର୍କରେ ଆଲୋଚନା କରାଯାଇଥିଲା । ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଏହି ମାସ ସୁଦ୍ଧା ବଜେଟ୍‌ ଅନୁମୋଦନ ଅନୁସାରେ ସାମଗ୍ରିକ ଭାବେ ଖର୍ଚ୍ଚ ୯.୯ ପ୍ରତିଶତ ବୃଦ୍ଧି ପାଇଛି । କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ଗତ ଅକ୍ଟୋବର ତୁଳନାରେ ଉଲ୍ଲେଖନୀୟ  ଭାବେ ୧୧ ପ୍ରତିଶତ ବୃଦ୍ଧି ପାଇଛି । ପୁଞ୍ଜିବ୍ୟୟ ଗତ ବର୍ଷ ଏହି ସମୟ ତୁଳନାରେ ଚଳିତ ବର୍ଷ ୨୭.୨ % କୁ ବୃଦ୍ଧି ଘଟିଛି । ଭିତ୍ତିଭୂମି କ୍ଷେତ୍ରରେ ୧୩.୫ % ବୃଦ୍ଧି ହୋଇଛି । ବୈଠକରେ ବିଭିନ୍ନ ଉତ୍ସରୁ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା କରାଯାଇଥିଲା ।  ବିଭିନ୍ନ ବିଭାଗୱାରୀ ଖର୍ଚ୍ଚ ସମୀକ୍ଷା କରାଯାଇଥିଲା । ମୁଖ୍ୟ ଶାସନ  ସଚିବ ବଜେଟ୍ ଅନୁମୋଦନ ହିସାବରେ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି ହାର ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୨୦୨୭-୨୮ ବାର୍ଷିକ ବଜେଟ୍  ଅଗ୍ରାଧିକାର କ୍ଷେତ୍ର ସହ ବିକଶିତ ଓଡ଼ିଶା ୨୦୩୬ ବିକଶିତ ଭାରତ ୨୦୪୭ ଦୀର୍ଘକାଳୀନ ଲକ୍ଷ୍ୟ ସହିତ ସଂଯୋଜିତ ହେବା ଉପରେ ଗୁରୁତ୍ୱ ଦେଇଥିଲେ ।  ମୁଖ୍ୟ ଶାସନ ସଚିବ ସାମାଜିକ କ୍ଷେତ୍ର ଅନ୍ତର୍ଗତ ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମିକ କଲ୍ୟାଣ, ପଂଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଜନଜାତି ବିକାଶ, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ କାର୍ଯ୍ୟ ଏବଂ ଖର୍ଚ୍ଚ ବୃଦ୍ଧି ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଛନ୍ତି ।  

ବୈଠକରେ ଇଜ ଅଫ ଡୁଇଂ ବିଜନେସ ଅନ୍ତର୍ଗତ ବ୍ୟବସାୟିକ ସଂସ୍କାର ଆକ୍ସନ ପ୍ଲାନ ଏବଂ ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ବିଭିନ୍ନ ଅନ ଲାଇନ ସେବା ପ୍ରଦାନ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଛି l   ଓଡ଼ିଶା ଲୋକ ସେବା ଅଧିକାର ଅଧିନିୟମ ୨୦୧୨ ଅଧିନରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ କରାଯାଇ ସ୍ୱୟଂ କ୍ରିୟ ଅପିଲ ବ୍ୟବସ୍ଥା, କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥା( ସିଏମଏସ) ଏବଂ ଆମସାଥୀ ହ୍ୱାଟ୍ସଆପ୍ ଚାଟବୋଟ୍ ର କାର୍ଯ୍ୟକାରିତା ନେଇ ସମୀକ୍ଷା ଓ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ୩୨ ଟି ବିଭାଗର ୪୫୧ଟି ବିଜ୍ଞପିତ ସେବା ମଧ୍ୟରୁ ୩୭୧ ଟିର ଅନଲାଇନ୍ ସେବା ଉପଲବ୍ଧ ହେଉଛି ଓ ୮୦ ଟିର ଅଫ୍ ଲାଇନ୍ ସେବା ମିଳୁଛି । ୨୪୧ ଟି ସେବା ଅଟୋ ଅପିଲ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ବେଳେ  ୨୬୫ ଟିର ସେବା କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥାରେ ଉପଲବ୍ଧ ଏବଂ ୨୦୮ ଟିର ଆମସାଥୀ ହ୍ୱାଟ୍ସ ଆପ୍ ଚାଟ୍  ବୋଟ୍ ସେବା ସହ ସମନ୍ୱିତ କରାଯାଇଛି ।  ଅଫ୍ ଲାଇନ୍ ସେବାଗୁଡ଼ିକୁ ଅନଲାଇନ୍ ମୋଡରେ ପ୍ରଦାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ସମନ୍ୱିତ ପ୍ରଶାସନ, ସ୍ୱଚ୍ଛତା ଓ ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।  ବିଭାଗୀୟ ସଚିବମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *