ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ

ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ, ବନ୍ଦର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଭୁବନେଶ୍ୱର / ପାରାଦୀପ, ୧୩ ନଭେମ୍ବର ୨୦୨୬: ପାରାଦୀପ ବନ୍ଦର ପ୍ରାଧିକରଣ (PPA)ର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ, IRSEE, ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।ଏହି ସାକ୍ଷାତ ଅବସରରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ମହୋଦୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପାରାଦୀପ ବନ୍ଦରଠାରେ ଆୟୋଜିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବ ୨୦୨୬ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଆନୁଷ୍ଠାନିକ ନିମନ୍ତ୍ରଣ ଜଣାଇଥିଲେ। ଏହି ବାର୍ଷିକ ଉତ୍ସବ ଓଡ଼ିଶାର ଗୌରବମୟ ସାମୁଦ୍ରିକ ଐତିହ୍ୟ ଏବଂ ପ୍ରାଚୀନ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରାଇଥାଏ।ଏହା ସହିତ ଅଧ୍ୟକ୍ଷ ମହୋଦୟ ପାରାଦୀପ ବନ୍ଦରର ସାମ୍ପ୍ରତିକ କାର୍ଯ୍ୟଦକ୍ଷତା, ମାଲ ପରିବହନ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧି, ଚାଲୁ ରହିଥିବା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଏବଂ ଭବିଷ୍ୟତର ରଣନୀତିକ ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ବନ୍ଦର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ମାଲ ପରିଚାଳନା କ୍ଷମତା ବୃଦ୍ଧି, ବହୁମୁଖୀ ପରିବହନ ସଂଯୋଗୀକରଣକୁ ସୁଦୃଢ଼ କରିବା, ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟକ୍ଷମତାରେ ଅଧିକ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଓଡ଼ିଶାର ଶିଳ୍ପାୟନ, ବାଣିଜ୍ୟ ଓ ସାମଗ୍ରିକ ଆର୍ଥିକ ପ୍ରଗତିରେ ପାରାଦୀପ ବନ୍ଦରର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।ଏହି ସାକ୍ଷାତ ଅବସରରେ ପାରାଦୀପ ବନ୍ଦର ପ୍ରାଧିକରଣ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ସହିତ ବନ୍ଦର ଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ରାଜ୍ୟର ଆର୍ଥିକ ପ୍ରଗତିରେ ପାରାଦୀପ ବନ୍ଦରର ଅବଦାନକୁ ଅଧିକ ବ୍ୟାପକ କରିବା ନେଇ ମତ ବିନିମୟ ହୋଇଥିଲା।

Leave a Reply

Your email address will not be published. Required fields are marked *