ବୈକୁଣ୍ଠ ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ।

ବୈକୁଣ୍ଠ ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ।ଭକ୍ତଙ୍କ ଭୟନାଶନ ପାଇଁ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ଜଗତଠାକୁର ।କାର୍ତ୍ତୀକ ମାସ ମହାପଞ୍ଚୁକର ଚତୁର୍ଥ ଦିନ କାର୍ତ୍ତୀକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀନୃସିଂହ ବେଶରେ ଶୋଭିତ ହେଲେ ଶ୍ରୀଜୀଉ ।ଚଳିତଥର ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ଅନୁଷ୍ଠିତ ହେଉଥିବା ବେଳେ ନୀତିବହୁଳ ଦୃଷ୍ଟିରୁ ମହାପ୍ରଭୁଙ୍କ ଦୁଇଦିନ ପହୁଡ ନୀତି ହୋଇନାହିଁ।ତେବେ ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ମହାପ୍ରଭୁଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥିଲା।ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି। ପ୍ରଭୁ ବଳଭଦ୍ର ମଧ୍ୟ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୂଷଳ ଧାରଣ କରିଥାନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ର ମସ୍ତକରେ ଯେଉଁ ଚୂଳ ଧାରଣ କରିଥାନ୍ତି ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ ବାଗିଆ ଲଗାଯାଇଥାଏ। ତେଣୁ ଏହି ବେଶକୁ ଆଡକିଆ ବେଶ ମଧ୍ୟ କୁହାଯାଏ। ତେବେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ବ୍ରତଧାରୀ ମାନେ ତୀର୍ଥପୁଷ୍କରିଣୀରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତକୁ ଉଦଯାପିତ କରିବେ। ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣମୀ। ଆ କା ମା ବୈ,,ପାନ ଗୁଆ ଥୋଇ ଧ୍ୱନିରେ ଗୁଞ୍ଜରିତ ହେବ ଗଗନପଵନ। ଆଜି ମଧ୍ୟରାତ୍ରରୁ ହିଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ତେଣୁ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ନୀତିକାନ୍ତି କିଭଳି ହୋଇପାରିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ କେନ୍ଦ୍ରାଞ୍ଚଳ ଆଇଜି ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଚନ୍ତି।

ତେବେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଲକ୍ଷଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବଗଲାଧର୍ମଶାଳା ଠାରୁ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ରେ ଭକ୍ତମାନେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଅନ୍ୟ ତିନିଦ୍ବାର ଦେଇ ପ୍ରସ୍ଥାନ କରିବେ। ଭକ୍ତଙ୍କ ପାଦର ସୁରକ୍ଷା ପାଇଁ ବା ଖରା ଦାଉରୁ ରକ୍ଷା ପାଇଁ ମୁଣ୍ଡ ଉପରେ ସେଡ୍ ଓ ତଳେ ରେଡ୍ କାରପେଟ୍ ବିଛାଯାଇଛି। ଭକ୍ତଙ୍କ ଆନୁସଙ୍ଗିକ ସୁବିଧା ପାଇଁ ବଡଦାଣ୍ଡର ଉଭୟପାର୍ଶ୍ୱରେ ପିଇବା ପାଣି,,ମୋବାଇଲ ଟଏଲଟ୍ ବ୍ୟବସ୍ଥା,, ଅସ୍ଥାୟୀ ମେଡିକାଲ,, ଚପଲ ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମୁଦାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବେଳାଭୂମି,,ତୀର୍ଥପୁଷ୍କରିଣୀରେ ସୁରକ୍ଷିତ ସ୍ନାନ ଓ ଡଙ୍ଗା ଭସା ପାଇଁ ଲାଇଫଗାର୍ଡଙ୍କ ସହ ଅଗ୍ନିଶମ ବିଭାଗ, ଓ ଓଡ୍ରାଫ୍ ଟିମ୍ ମୁତୟନ ହେଵେ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି। ସେପଟେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହବିଷ୍ୟାଳି ମା ମାନେ ବେଳାଭୂମିରେ ଓ ବିଭିନ୍ନ ତୀର୍ଥପୁଷ୍କରିଣୀରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଉଦଯାପିତ କରିବେ।ତେବେ କେଵଳ ପୁରୀ ସହରରେ ନୁହେଁ ବରଂ କୋଣାର୍କ,, ଚନ୍ଦ୍ରଭାଗା,, ବାଲିହରଚଣ୍ଡୀ ବେଳାଭୂମିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜ କହିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *