ଶ୍ରୀମନ୍ଦିରରେ ଆଉ ଚାଲିବନି ନକଲି ଗୁମାସ୍ତାଙ୍କ ରାଜ୍।

ଶ୍ରୀମନ୍ଦିରରେ ଆଉ ଚାଲିବନି ନକଲି ଗୁମାସ୍ତାଙ୍କ ରାଜ୍। ସହଜ ଦର୍ଶନ ସହ ଗଳାବାଟରେ ଦର୍ଶନ କରାଇବା କହି ଭକ୍ତଙ୍କୁ ଚୂନ ଲଗାଉଥିବା ନକଲି ଗୁମାସ୍ତା ଏବେ ସାବଧାନ ହୋଇଯାଆନ୍ତୁ। କାରଣ ଆକ୍ସନ ମୁଡ୍ ରେ ପୁରୀ ପୋଲିସ ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ବାରମ୍ବାର ନକଲି ଗୁମାସ୍ତାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଥିବା ବେଳେ ଗତକାଲିର ଘଟଣା ସୀମା ପାର୍ କରିଛି। ଗତକାଲି ପ୍ରବାସୀ ଭାରତୀୟ ୧୩ ଜଣ ଭକ୍ତଙ୍କ ଠାରୁ ହଜାର ଟଙ୍କା ହିସାବରେ ୧୩ ହଜାର ଟଙ୍କା ଦର୍ଶନ କରାଇବା ନାମରେ ଚୂନ ଲଗାଇ ଛୁ ମାରିଛନ୍ତି ଜଣେ ନକଲି ଗୁମାସ୍ତା। ଯାହାକୁ ନେଇ ପ୍ରବାସୀ ଭାରତୀୟ ମାନେ ଉଦବେଗ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ପ୍ରତିକ୍ରିୟା ରଖିଛନ୍ତି। ଏଭଳି ଘଟଣା ଯାତ୍ରୀ ଏବଂ ଶ୍ରଦ୍ଧାଳୁଙ୍କ ମନରେ ନକରାତ୍ମକ ଭାବନା ଆଣୁଥିବା ବେଳେ ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ପୁରାତନ ପରମ୍ପରା କଳୁଷିତ ହେବାରୁ ଅସଲି ଗୁମାସ୍ତାଙ୍କୁ ପରିଚୟପତ୍ର ପ୍ରଦାନ କରିବା ସହ ନକଲି ଗୁମାସ୍ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଶ୍ରୀମନ୍ଦିରରେ ନକଲି ଗୁମାସ୍ତାଙ୍କ ପ୍ରାଦୁର୍ଭାବ ହ୍ରାସ ପାଇବ ବୋଲି ମତ ସେ ମତ ଦେଇଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିର ଆରମ୍ଭରୁ ଏହି ‘ପଣ୍ଡା-ଗୁମାସ୍ତା’ପରମ୍ପରା ଚାଲି ଆସୁଥିବା ବେଳେ ସମସ୍ତ ରାଜ୍ୟରେ ରାଜାରାଜୁଡା ଶାସନ ସମୟରୁ ଯାତ୍ରୀପଣ୍ଡା ରହିଛନ୍ତି ଓ ସମସ୍ତ ରାଜ୍ୟରେ ଯାତ୍ରୀପଣ୍ଡାଙ୍କ ଜଜମାନ ମଧ୍ୟ ରହିଛନ୍ତି। ତେବେ ଗୁମାସ୍ତା ମାନେ କେବଳ ଯାତ୍ରୀଙ୍କୁ ନେଇ ପଣ୍ଡାଙ୍କ ପାଖରେ ପହଞ୍ଚାଇବା ପରେ ସମ୍ପୃକ୍ତ ପଣ୍ଡା ଯାତ୍ରୀଙ୍କ ଦର୍ଶନ କରାଇବାର ବିଧି ରହିଥିବା କହିଛନ୍ତି ବୁଦ୍ଧିଜୀବୀ ରମେଶପ୍ରସାଦ ସିଂ। କିନ୍ତୁ ଆଜିକାଲି ସେଭଳି ପ୍ରଥା ନ ଥିବାରୁ ନକଲି ଗୁମାସ୍ତାଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଶ୍ରୀ ସିଂ କହିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତ କିଭଳି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରି ଫେରିବେ ସେଥିପାଇଁ ଅଞ୍ଚଳ ଆଧାରରେ ପଣ୍ଡା ସ୍ବୀକୃତ ହୋଇଛନ୍ତି।

ପଣ୍ଡା ଓ ଭକ୍ତଙ୍କ ମଧ୍ୟରେ ସମନ୍ଵୟ ସ୍ଥାପନ କରିବା ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ପ୍ରମୁଖ ଭୁମିକା ନିର୍ବାହ କରନ୍ତି ‘ଗୁମାସ୍ତା’। ପଣ୍ଡା ଓ ଗୁମାସ୍ତାଙ୍କର ଶ୍ରୀମନ୍ଦିର ପରମ୍ପରାରେ ଏକ ସ୍ବତନ୍ତ୍ର ପଦମର୍ଯ୍ୟାଦା ରହିଛି। କିନ୍ତୁ ଏହି‘ଗୁମାସ୍ତା’ ଶବ୍ଦ କ୍ରମଶଃ ମର୍ଯ୍ୟାଦା ହରାଇବାରେ ଲାଗିଛି। ଶ୍ରୀମନ୍ଦିରରେ ନେପାଳ ସମେତ ବିଭିନ୍ନ ରାଜ୍ଯର ଯାତ୍ରୀପଣ୍ଡା ରହିଥିବା ବେଳେ ସେଠାରେ ସେମାନଙ୍କ ଜଜମାନ ମଧ୍ୟ ରହିଛନ୍ତି। କେଉଁ ଅଞ୍ଚଳରୁ କେଉଁ ଯାତ୍ରୀ କେବେ ଶ୍ରୀମନ୍ଦିର ଆସିଥିଲେ ତାହା ପଣ୍ଡାଙ୍କ ଖାତାରେ ଲିପିବଦ୍ଧ ହୋଇ ରହୁଛି।ପଣ୍ଡାଙ୍କ ସ୍ବୀକୃତିପ୍ରାପ୍ତ ଗୁମାସ୍ତାଙ୍କ ଜରିଆରେ ଏହି କାର୍ଯ୍ୟ ଶୃଙ୍ଖଳିତ ଭାବରେ ଚାଲିଥିବା ବେଳେ ଏବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗୁମାସ୍ତାଙ୍କ ନାମରେ ପୁରୀ ଓ ପୁରୀ ଵାହାର କିଛି ନିଶାଖୋର୍ ଯୁବକମାନେ ଭକ୍ତମାନଙ୍କୁ ଲୁଟ୍‌ରାଜକରୁଥିବାରୁ ଏହି ପଦ ପ୍ରତି ଆଉ ସମ୍ମାନ ରହୁନାହିଁ। ସେପଟେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଅନ୍ୟପଟେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ଚୂନ ଲଗାଇବା ଘଟଣାରେ ପୋଲିସ ନିଜ ଆଡୁ ସିଂହଦ୍ଵାର ଥାନାରେ ମାମଲା ରୁଜ୍ଜୁ କରିଥିବା ବେଳେ 5 ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଏସପି ପ୍ରତୀକ୍ ସିଂ। ୫ ଜଣଙ୍କ ଭିତରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ୧୩୦୦୦ ଟଙ୍କା ଚୂନ ଲଗାଇଥିବା ନକଲି ଗୁମାସ୍ତା ହେଉଛନ୍ତି ବିଶ୍ୱରଞ୍ଜନ ନାୟକ ବୋଲି ଏସପି କହିଛନ୍ତି। ତେବେ ଆଗକୁ ନକଲି ଗୁମାସ୍ତାଙ୍କ ଉପରେ ତୀକ୍ଷ୍ନ ନଜର ରଖାଯିବ କହିଛନ୍ତି ପୁରୀ ଏସପି। ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରୁ ନକଲି ଗୁମାସ୍ତାଙ୍କ ପ୍ରାଦୁର୍ଭାବ ବନ୍ଦ ହେଲେ ଆଉ କୌଣସି ଭକ୍ତ ଠକେଇର ଶିକାର ହେଵେନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି

Leave a Reply

Your email address will not be published. Required fields are marked *