୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ
୧୦ ଦଫା ଦାବି ନେଇ, ଓଡିଶା ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗତ ସେପ୍ଟେମ୍ବର ୨୫ ଓ ୨୬ ତାରିଖ ଦୁଇଦିନ କାର୍ଯ୍ଯ ସହ ଆନ୍ଦୋଳନ କରିବା ପରେ ଆଜି ଠାରୁ ଓଡିଶା ନର୍ସିଂ କର୍ମଚାରୀ ସଂଘ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସରକାର ଏସମା ଲାଗୁ କରିବା ପରେ ମଧ୍ୟ ଏହି ଆନ୍ଦୋଳନ ଜାରି ରହିଛି।ଏହି ୧୦ ଦଫା ଦାବି ମଧ୍ଯରେ ରହିଛି, ୨୦୧୩ ପୂର୍ବରୁ ଥିବା ୬ ବର୍ଷର ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରୀରେ ମିଶାଇବା, ପ୍ରମୋଶନ ପାଇଁ ସ୍ଥିରୀକୃତ ସମୟ ସୀମାକୁ କୋହଳ କରିବା, ନର୍ସିଂ ଅଫିସରମାନଙ୍କୁ ସିଏଚ୍ଓ ପୋଷ୍ଟରୁ ଫେରାଇ ଆଣିବା, ଅବଶିଷ୍ଟ ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରିବା, କଟକରେ ଥିବା ରିଜିଓନାଲ ସ୍ପାଇନାଲ୍ ଇଞ୍ଜୁରୀ ସେଣ୍ଟର ଥିବା ନର୍ସିଂ ଅଫିସରମାନଙ୍କୁ ନିୟମିତ କରିବା, ଆରବିଏସକେ ଅଧିନରେ ଥିବା ନର୍ସିଂ ଅଫିସରମାନଙ୍କୁ ନିୟମିତ କରିବା, ନର୍ସିଂ କାର୍ଡରେ ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ କରାଯିବା, କେବିକେ ଏଲାଉନ୍ସ ଦେବା ଏବଂ କଟକ ଏଏଚପିଜିଆଇସିରେ କାର୍ଯ୍ଯରତ ନର୍ସିଂ ଅଫିସରମାନଙ୍କୁ ନର୍ସିଂ କାର୍ଡରେ ମିଶାଇବା।ଏହି ଆନ୍ଦୋଳନ ଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ସରକାର ଯେ ପର୍ଯ୍ୟନ୍ତ ଦାବୀ ଗୁଡିକ ଆଲୋଚନା ମାଧ୍ୟମରେ ସମାଧାନ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।ରିପୋର୍ଟ -ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି
