ଅକ୍ଷୟ ତୃତୀୟା

           ଅକ୍ଷୟ ତୃତୀୟା

   ✍️କବିରତ୍ନ ନୂତନ କୁମାର ବେହେରା

ସରସ ସୁନ୍ଦର କରିବାକୁ ଏ ଜୀବନ
       ସମାଜେ ଗଢା ହୋଇଅଛି ବିଧି ବିଧାନ,
ଜ୍ୟୋତିଷ ଶାସ୍ତ୍ରରେ କରି ନିର୍ଭୁଲ ଗଣନ
      ସ୍ଥିର ହୋଇଛି ବାର ତିଥି ବିଶେଷ ଦିନ।
କୃଷିକାର୍ଯ୍ଯ ଶୁଭାରମ୍ଭେ ଅକ୍ଷୟ ତୃତୀୟା
         ଓଡ଼ିଆଙ୍କ ପରମ୍ପରା ଭାବ ଦିଆନିଆ,
ବୈଶାଖ ଶୁକ୍ଳ ତୃତୀୟା ଅର୍ଜିବାକୁ ପୁଣ୍ୟ
           ଅକ୍ଷିମୁଠି ହୁଏ ଧାନବୁଣାର ପ୍ରକ୍ରିୟା।
ସ୍ମରଣେ ମାଆ ଲକ୍ଷ୍ମୀଙ୍କୁ କରି ଆରାଧନା
       ପାଦପଦ୍ମ ଚିତାଲେଖାରେ ପୂଜା ଅର୍ଚ୍ଚନା,
ଚାଷି ପରିବାରେ ହୁଏ କ୍ଷୀରି ପିଠାପଣା
         କୃଷି ଭିତ୍ତିକ ପର୍ବଭାବରେ ଜଣାଶୁଣା।
ଏଇ ପବିତ୍ର ଦିବସେ ପ୍ରଭୁ ପର୍ଶୁରାମ
       ଅବତାର ନେଇ ଆସିଥିଲେ ଧରାଧାମ,
ରେବତୀଙ୍କୁ ବିବାହ କରି ଶ୍ରୀବଳରାମ
       ପାଳିଥିଲେ ସାଂସାରିକ ଜୀବନର ଧର୍ମ।
ଚନ୍ଦନ ଯାତ୍ରା ଶୁଭାରମ୍ଭ ରଥ ନିର୍ମାଣ
          ଗୃହ ପ୍ରତିଷ୍ଠା ବିବାହ ବ୍ରତୋପନୟନ,
ବହୁ ଶୁଭଲାଭ କର୍ମ ହୁଏ ସମାପନ,
         ଜାତିର ଐତିହ୍ୟପୂର୍ଣ୍ଣ ପବିତ୍ର ଏ ଦିନ।
ଏ ଅକ୍ଷୟ ତୃତୀୟା ଅକ୍ଷୟ ହୋଇ ରହୁ
       ଓଡ଼ିଆ ଜାତିର ଦିନ ସୁଖେ ବିତି ଯାଉ,
ସହୟ ହୁଅନ୍ତୁ ଜଗନ୍ନାଥ ମହାପ୍ରଭୁ
       ତାଙ୍କର ଆଶିଷ ସବୁରି ଉପରେ ଥାଉ।
      
 ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *