ମହାପ୍ରଭୁଙ୍କୁ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ
ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା। କଡ଼ା ସୁରକ୍ଷା ମଧ୍ୟରେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ଶ୍ରୀମନ୍ଦିର ଠାରେ ପହଞ୍ଚିବା ପରେ ପ୍ରଥମେ ହାତ, ଗୋଡ ଧୋଇ ଅରୁଣ ସ୍ତମ୍ଭ ନିକଟରେ ପ୍ରଣିପାତ କରିଥିଲେ। ପରେ ସେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଏବଂ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଆସାମ ନିର୍ବାଚନ ପରେ ହିମନ୍ତ ବିଶ୍ଵ ଶର୍ମା ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ନେଇ ଚର୍ଚ୍ଚା ହୋଇଥିଲା।ଦର୍ଶନ ପରେ ହିଁମନ୍ତ ବିଶ୍ଵ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି ବହୁତ୍ ସୁନ୍ଦର୍ ଭାବରେ ଆଜି ମହାପ୍ରଭୁଙ୍କ ଦର୍ଶନ ହେଲା।ମହାପ୍ରଭୁଙ୍କ ଡାକରାରେ ଅନେକ ଥର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଛି। ଆଜି ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ୍ ଭାଗ୍ୟବାନ ମନେ କରୁଛି। ମହାପ୍ରଭୁଙ୍କ ଦର୍ଶନ ନ କଲେ କାର୍ଯ୍ୟ ଅଧୁରା ରହିଯାଏ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ସେପଟେ ବରିଷ୍ଠ ସେବାୟତ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ମହାପ୍ରଭୁଙ୍କ ଦର୍ଶନ କରି ଭାବବିଭୋର ହୋଇପଡିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ। କଳ୍ପ ବୃକ୍ଷ ରେ ମାନସିକ ପୂଜା କରିଥିଲେ।
