ଭଦ୍ରକ ଚରମ୍ପା ଷ୍ଟେସନରେ ଚଳନ୍ତା ଟ୍ରେନକୁ ଗୁଳିମାଡ଼
=ଭଦ୍ରକ ଓ ବାଉଦପୁର ଷ୍ଟେସନ ମଝିରେ ନନ୍ଦନ କାନନ ଏକ୍ସପ୍ରେସ ଟ୍ରେନ ଉପରକୁ ଗୁଳିମାଡ ହୋଇଥିବା ସୂଚନା । ତେବେ ଟ୍ରେନ୍ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ରେ ଗାର୍ଡ ବଗିର ୱିଣ୍ଡୋ କାଚ ଭାଙ୍ଗିଥିବା ବେଳେ ଏଥିରେ କାହାର କ୍ଷତି ହୋଇନଥିବା ପ୍ରାଥମିକ ସୂଚନା ମିଳିଛି । ତେବେ କିଏ ଏଭଳି କାଣ୍ଡ ଘଟାଇଛି ତାହାର ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ଜିଆରପି ପୋଲିସ ଛାନଭିନ୍ କରୁଛି । ଭଦ୍ରକ ଷ୍ଟେସନରୁ ବାହାରିବାର କିଛି ସମୟପରେ ହଠାତ୍ ଟ୍ରେନର ଗାର୍ଡ ବଗି ଉପରକୁ କିଛି ଢେଲା ମାଡ ହେବାର ଭଳି ଶବ୍ଦ ଶୁଭିଥିଲା । ଏହାପରେ ଗାର୍ଡ କ’ଣ ଘଟିଲା ବୋଲି ଦେଖିବାକୁ ଯିବା ସମୟରେ ପୁଣି ଆଉ ଥରେ ଶବ୍ଦ ହୋଇଥିଲା ।ତେବେ ଏହାକୁ ନେଇ ଗାର୍ଡ ମହେନ୍ଦ୍ର ବେହେରା କହିଛନ୍ତି, ଭଦ୍ରକ ଷ୍ଟେସନ ଅତିକ୍ରମ କରି ଗୋଟିଏ ସିଗନାଲ ପାର୍ କରିବା ପରେ ଟ୍ରେନରେ କିଛି ଶବ୍ଦ ସୃଷ୍ଟି ହେବାରୁ ସେ ବାହାରକୁ ଆସି ଦେଖିବା ମାତ୍ରେ ଜଣେ ବ୍ୟକ୍ତି ଟ୍ରେନ୍ ଉପରକୁ ଗୁଳିମାଡ କରୁଥିବାର ଦୃଶ୍ୟ ସେ ଦେଖିବାକୁ ପାଇଥିଲେ । ହେଲେ ବାସ୍ତବରେ ସେ ବ୍ୟକ୍ତି ଜଣଙ୍କ କିଏ ଏବଂ କାହିଁକି ଟ୍ରେନ୍ ଉପରକୁ ଗୁଳିମାଡ କଲେ, ସେନେଇ କିଛି ସ୍ପଷ୍ଟିକରଣ ମିଳିନଥିବା ବେଳେ ଏନେଇ ପୋଲିସ୍ ଏବଂ ଜିଆରପି, ଆରପିଏଫ ଏବଂ ଫରେନସିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
