ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷା କ୍ଷେତ୍ର ବୈଠକ

ଭୁବନେଶ୍ୱର, ୩୧/୭/୨୦୨୬: ଆସନ୍ତା ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକମାଳା ( ବ୍ରିକ୍ସ ଇଣ୍ଡିଆ ଚେୟାରସିପ୍ ଏଜୁକେସନ ଟ୍ରାକ୍ ମିଟିଙ୍ଗ୍ସ) ଅନୁଷ୍ଠିତ ହେବ । ଏହି ଆନ୍ତର୍ଜାତୀୟସ୍ତରୀୟ ବୈଠକର ସୁପରିଚାଳନା ଓ ସଫଳ ଆୟୋଜନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହୋଟେଲ ମେ ଫେୟାର ଲାଗୁନ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୧ଟି ବ୍ରିକ୍ସ ସଦସ୍ୟ ଦେଶର ୮ ଜଣ ଶିକ୍ଷାମନ୍ତ୍ରୀଙ୍କ ସହ ୪୦ ଜଣ ବରିଷ୍ଠ ପଦାଧିକାରୀ, ଭାରତ ସରକାରଙ୍କ ପଦାଧିକାର ଓ ଅନ୍ୟ ଅତିଥିମାନଙ୍କୁ ମିଶାଇ ମୋଟ ୨୦୦ ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ । ଅଗଷ୍ଟ ୫ ତାରିଖରେ ଏଠାରେ “ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀଙ୍କ ତୃତୀୟ ବୈଠକ” ଅନୁଷ୍ଠିତ ହେବ । ଅଗଷ୍ଟ ୬ ତାରିଖରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରସମୂହର ଶିକ୍ଷା ମନ୍ତ୍ରୀବୃନ୍ଦ ଓ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନା କରିବେ । ୭ ତାରିଖରେ ” ବ୍ରିକ୍ସ ଶିକ୍ଷା ମନ୍ତ୍ରୀଙ୍କ ୧୩ ତମ ବୈଠକ” ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପଦାଧିକାରୀମାନେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ବ୍ରିକ୍ସ-ଭାରତ ଅଧ୍ୟକ୍ଷତାର ଥିମ୍ ରହିଛି- ଜନକୈନ୍ଦ୍ରିକ ଏବଂ ମାନବ-କଲ୍ୟାଣ ପ୍ରାଥମିକତା ଦୃଷ୍ଟିଭଙ୍ଗୀକୁ ଆଧାର କରି ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସହନଶୀଳତା, ନବସୃଜନ, ପାରସ୍ପରିକ ସହଯୋଗ ଓ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା । ବୈଠକରେ ବ୍ରିକ୍ସ ଶିକ୍ଷା କ୍ଷେତ୍ରର ଅଗ୍ରାଧିକାର ପ୍ରସଙ୍ଗଗୁଡ଼ିକ ମଧ୍ୟରେ ରହିଛି ପ୍ରାରମ୍ଭିକ ଶୈଶବ କାଳରେ ଯତ୍ନ ଓ ଶିକ୍ଷା ବ୍ୟବସ୍ଥାକୁ ସଶକ୍ତ କରିବା, ବ୍ରିକ୍ସ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଏବଂ ପ୍ରଶିକ୍ଷଣ ( ଟିଭିଇଟି) ସହଯୋଗ ମେଣ୍ଟ ( ଟିସିଏ) ଅଧୀନରେ ଦକ୍ଷତା ବିକାଶ ଏବଂ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବା, ସହଭାଗୀ ଗବେଷଣା, ନବସୃଜନ ଏବଂ ଷ୍ଟାର୍ଟ ଅପ୍ ଗୁଡିକୁ ପ୍ରୋତ୍ସାହନ, ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି (ଏମଆରକ୍ୟୁ)କୁ ଗୁରୁତ୍ୱ ଏବଂ ଶୈକ୍ଷିକ ନେତୃତ୍ୱ ପାଇଁ ଦକ୍ଷତା ବୃଦ୍ଧି କରିବା । ବୈଠକରେ ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡଃ. କେ.ଏମ୍. ପ୍ରଫୁଲ୍ଲଚନ୍ଦ୍ର ଶର୍ମା ଆଭାସୀ ମାଧ୍ୟମରେ ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜନ ନେଇ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ଏବଂ ଓଡ଼ିଶା ସରକାରଙ୍କ ସହଯୋଗ ନେଇ ଆଲୋଚନା କରିଥିଲେ । ବିଭିନ୍ନ ଦେଶର ପ୍ରତିନିଧିମାନେ ସୁବିଧାରେ ଭୁବନେଶ୍ୱର ବିମାନବନ୍ଦରରୁ ରହଣି ସ୍ଥଳରେ ପହଁଚିବା, ପ୍ରୋଟୋକଲ, ସୁରକ୍ଷା, ପରିବହନ, ଯୋଗାଯୋଗ ଅଧିକାରୀ ନିୟୋଜନ ଏବଂ ଦୂତାବାସ ସହ ସମନ୍ୱୟ ଆଦି ବିଷୟରେ ବୈଠକରେ ଆଲୋକପାତ କରାଯାଇଥିଲା । ଏହାସହ ସାସ୍କୃତିକ କାର୍ଯ୍ୟକ୍ରମ, ପ୍ରତିନିଧିମାନଙ୍କ ପାଇଁ ସ୍ଥାନୀୟ ଦର୍ଶନୀୟ ସ୍ଥାନ ପରିଦର୍ଶନ, ଚିକିତ୍ସା ସୁବିଧା, ଆମ୍ବୁଲାନ୍ସ ବ୍ୟବସ୍ଥା, ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା । ମୁଖ୍ୟ ଶାସନ ସଚିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତପ୍ରକାର ଆନୁଷଙ୍ଗିକ ସହଯୋଗ ରହିବ ବୋଲି ପ୍ରକାଶ କରି ସମ୍ପୃକ୍ତ ସମସ୍ତ ବିଭାଗୀୟ ସଚିବ ଏବଂ ପଦାଧିକାରୀମାନଙ୍କୁ ପାରସ୍ପରିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ ସଂପାଦନ କରିବାକୁ ପରାମର୍ଶ ଦେଇଛନ୍ତି । ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵତୀ ଏସ୍., ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ତଥା କ୍ରୀଡ଼ା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଆର୍.କେ. ଶର୍ମାଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତି ଥିଲେ । ପ୍ରକାଶ ଥାଉକି ୨୦୦୬ ମସିହାରୁ ବିଭିନ୍ନ ରାଷ୍ଟ୍ରମାନଙ୍କରେ ଏହି ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ୨୦୨୬ ରେ ଭାରତରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ବ୍ରାଜିଲ, ଋଷ, ଭାରତ, ଚୀନ,ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିୟା, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଏବଂ ୟୁଏଇ ପ୍ରମୁଖ ବ୍ରିକ୍ସ ରାଷ୍ଟ୍ର ସମୂହର ସଦସ୍ୟ ରହିଛନ୍ତି । ଗତ ଜୁନ୍ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକାରୀ ଗ୍ରୁପ୍ ର ବୈଷୟିକ ବୈଠକ ଅନୁଷ୍ଠିତ ହୋଇ ଏ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପଠାଣି ରାଉତ ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *