ଆମ ଆଦମୀ ପାର୍ଟି ଦାବି ପରେ ଗାଁକୁ ଗଡିଲା ମୁଖ୍ୟମନ୍ତ୍ରୀ ବସ
ଗୋପ – ପୁରୀ ଜିଲ୍ଲା ଗୋପ ବ୍ଲକର କିଛି ପଞ୍ଚାୟତ ତଥା ଗାଁକୁ ସଂଯୋଗ କରୁଥିବା ନୂତନ ରୁଟ ରେ ଚଳାଚଳ କରିଛି ମୁଖ୍ୟମନ୍ତ୍ରୀ ବସ୍ ସେବାରେ ନୂଆ ବସ୍। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅତ୍ୟନ୍ତ ଆନନ୍ଦ ଖେଳିଯାଇଛି। ସୂଚନା ଅନୁଯାୟୀ ଗୋପ ବ୍ଲକ ସୋରଭା, ବଉଲାଙ୍ଗ, ଦେସ୍ଥଳି, ଇସାନପୁର ସହ ୮ଟି ପଞ୍ଚାୟତର ଗ୍ରାମ ଗୁଡିକରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ବସ ଚାଲୁ ନଥିଲା। ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆମ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବାରମ୍ଵାର ଅଭିଯୋଗ କରାଯାଇଥିଲା। ବିଶେଷକରି ଆମ ଆଦମୀ ପାର୍ଟି ପକ୍ଷରୁ କର୍ମୀ ମାନେ ନିରବଚ୍ଛିନ୍ନ ଭାବରେ ବ୍ଳକ ଓ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଥିଲେ। ଯାହାକୁ ହୃଦୟଙ୍ଗମ କରି ଗୋପ ବ୍ଳକ ଠାରୁ ପୟରା, ଓଟର, ଯୋଗେଶ୍ୱରପୁର, ନୟାହାଟ, ଦେସ୍ଥଳି, ଇସାନପୁର, ଜହ୍ନିବାଲିଆ, ଧନିତ୍ରି ଦେଇ କୋଣାର୍କ ନୂତନ ବସ ଯାତାୟାତ କରିବା ନେଇ ବ୍ୟବସ୍ଥା କରାଯାଇଛି। ତା ସହିତ ସେଇ ବାଟ ଦେଇ ଫେରିବାର ଯୋଜନା ରହିଛି। ଯାହାକୁ ନେଇ ସ୍ଥାନୀୟ ଲୋକ, ମହିଳା, ଛାତ୍ରଛାତ୍ରୀ, ବୟସ୍କ ତଥା ସର୍ବସାଧାରଣରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ଜହ୍ନିବାଲିଆ ଛକ ନିକଟରେ ଏହି ବସ ଚଳାଚଳ ପ୍ରଥମ ଦିନରେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ମାନଙ୍କ ସହ ସ୍ଥାନୀୟ ଲୋକମାନେ ବସ କୁ ଫୁଲରେ ସଜାଇ, ଧୂପ, ଦୀପ, ଚନ୍ଦନ ଓ ସିନ୍ଦୂର ଦେଇ ପୂଜାର୍ଚ୍ଚନା କରି ସ୍ବାଗତ ସମ୍ବର୍ଧନା ଜଣାଇଥିଲେ। ଦୀର୍ଘ ଦିନର ଦାବିକୁ ଜିଲ୍ଲା ପ୍ରଶାସନ ଶୁଣି ବସ ଚଳାଚଳ କରାଇଥିବାରୁ ପ୍ରଶାସନକୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ତଥା ଜିଲ୍ଲା ଉପ ସଭାପତି ରବୀନ୍ଦ୍ରନାଥ ସାହୁ, କାକଟପୁର ନିର୍ବାଚନମଣ୍ଡଳୀ ପ୍ରଭାରୀ ରମାକାନ୍ତ ସ୍ବାଇଁ, ନିର୍ବାଚନମଣ୍ଡଳୀ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ଯୁବନେତା ରାଜେଶ ଜେନା ଓ ଅନିଲ ଖୁଣ୍ଟିଆଙ୍କ ସହ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ।
