ମୁଖ୍ୟ ଶାସନ ସଚିବଙ୍କ ଡେରାସ ‘ସି-ଫୁଡ୍ ପାର୍କ’ ପରିଦର୍ଶନ
ମୁଖ୍ୟ ଶାସନ ସଚିବଙ୍କ ଡେରାସ ‘ସି-ଫୁଡ୍ ପାର୍କ’ ପରିଦର୍ଶନ• ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ, ଉତ୍ପାଦନ ଓ ରପ୍ତାନିକୁ ଆହୁରି ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ • ଶିଳ୍ପର ବିକାଶ ସମ୍ପର୍କିତ ଆବଶ୍ୟକତା ସମ୍ପର୍କରେ ରପ୍ତାନିକାରୀମାନଙ୍କ ଠାରୁ ମତାମତ ଗ୍ରହଣ • ଡେରାସ ସି-ଫୁଡ୍ ପାର୍କକୁ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ମୂଲ୍ୟଯୋଗ କେନ୍ଦ୍ର ଭାବେ ବିକଶିତ କରିବାକୁ ପରାମର୍ଶ ଭୁବନେଶ୍ୱର, ୨୬/୮/୨୦୨୬: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଅପରାହ୍ଣରେ ଡେରାସ ସି-ଫୁଡ୍ ପାର୍କ ପରିଦର୍ଶନ କରି ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟଯୋଗ, ରପ୍ତାନି ଏବଂ ଶିଳ୍ପର ବିକାଶ ସମ୍ପର୍କିତ ବିଭିନ୍ନ ସମସ୍ୟା,ସମାଧାନ ଓ ଆବଶ୍ୟକତା ସମ୍ପର୍କରେ ସେ ରାଜ୍ୟର ପ୍ରମୁଖ ରପ୍ତାନିକାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଥିଲେ । ସି-ଫୁଡ୍ କ୍ଷେତ୍ରରେ ନିବେଶ, ଉତ୍ପାଦନ ଓ ରପ୍ତାନିକୁ ଆହୁରି ସୁଦୃଢ଼ କରି ଡେରାସ ସି-ଫୁଡ୍ ପାର୍କକୁ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ରପ୍ତାନିମୁଖୀ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମୂଲ୍ୟଯୋଗ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏହି ପରିଦର୍ଶନ ଅବସରରେ ମୁଖ୍ୟ ଶାସନ ସଚିବ ଡେରାସ ଠାରେ ଅନୁଷ୍ଠିତ ଏକ ବୈଠକରେ ସଂପୃକ୍ତ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଓପିଟିସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ, ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଡି. ପ୍ରଶାନ୍ତ କୁମାର ରେଡ୍ଡୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଓ ଅଂଶୀଦାରମାନେ ଉପସ୍ଥିତ ଥିଲେ । ଡେରାସ ସି-ଫୁଡ୍ ପାର୍କକୁ ଏକ ସମନ୍ୱିତ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଭାବେ ବିକଶିତ କରିବା ଲକ୍ଷ୍ୟରେ ପାର୍କର ଭିତ୍ତିଭୂମି ଓ ସାଧାରଣ ସୁବିଧାଗୁଡ଼ିକର ସର୍ବାଧିକ ଉପଯୋଗ, ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟକ୍ଷମତା ଓ ନିବେଶକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ପାର୍କରେ ଆବଣ୍ଟିତ ହୋଇଥିବାବେଳେ ପ୍ଲଟ୍, ୟୁନିଟ୍ କାର୍ଯ୍ୟକ୍ଷମ, ନିର୍ମାଣାଧୀନ ଏବଂ ଯୋଜନା ପର୍ଯ୍ୟାୟରେ ଥିବା କାର୍ଯ୍ୟ ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ପାର୍କର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା ପାଇଁ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ଶୀଘ୍ର କାର୍ଯ୍ୟାରମ୍ଭ, ଅଚଳ ସାଧାରଣ ସୁବିଧାଗୁଡ଼ିକର ପୁନଃ କାର୍ଯ୍ୟକ୍ଷମ ଏବଂ ମୌଳିକ ସେବାଗୁଡ଼ିକର ସୁଦୃଢ଼ୀକରଣକୁ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି । ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଦୃଷ୍ଟିକୋଣରୁ ‘ବ୍ଲୁ ଇକୋନୋମି’ ପଦକ୍ଷେପର ଅଂଶ ଭାବେ ଡେରାସ ସିଫୁଡ୍ ପାର୍କର ୧୦୦ ପ୍ରତିଶତ ଉପଯୋଗ ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଆଲୋଚନା କରି ଅଧକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଏହାପରେ ମୁଖ୍ୟ ଶାସନ ସଚିବ ଡେରାସ ସ୍ଥିତ “ଉଦ୍ୟାନ କୃଷି ଉତ୍କର୍ଷ କେନ୍ଦ୍ର”(ସେଣ୍ଟର ଅଫ୍ ଏକ୍ସେଲେନ୍ସ ଅନ୍ ହର୍ଟିକଲଚର) ପରିଦର୍ଶନ କରିଥିଲେ ।
ସେ ଉଚ୍ଚ ଜ୍ଞାନ କୌଶଳରେ ବିକଶିତ ଛାୟା ଜାଲି(ଶେଡ୍ ନେଟ୍), ଅମୃତଭଣ୍ଡା ନର୍ସରୀ, ଭିଏନ୍ ଆର ବିହି ପିଜୁଳି (ମଞ୍ଜି ଅତ୍ୟନ୍ତ କମ୍ କିମ୍ବା ପ୍ରାୟ ନଥିବା), ଡ୍ରାଗନ୍ ଫ୍ରୁଟ୍ ଚାଷ , ନାଲି କଦଳୀ ଚାଷ ଓ ୧୦ ମେଟ୍ରିକ୍ ଟନ୍ କ୍ଷମତାର ସୌରଶକ୍ତି ଚାଳିତ ଶୀତଳଭଣ୍ଡାର ପରିଦର୍ଶନ କରି ଉଦ୍ୟାନକୃଷିର ଆଧୁନିକ ପ୍ରଯୁକ୍ତି ଓ ବିବିଧ ଚାଷ ପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଥିଲେ । ଆଧୁନିକ, ପ୍ରଯୁକ୍ତିଭିତ୍ତିକ ଓ ସ୍ଥାୟୀ ଉଦ୍ୟାନକୃଷି ପ୍ରଣାଳୀର ପ୍ରସାର ସହ କୃଷକ କ୍ଷମତାବୃଦ୍ଧି ଦିଗରେ ଫାର୍ମ ତରଫରୁ ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅବଗତ ହୋଇଥିଲେ । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଉଦ୍ୟାନ କୃଷି ଉତ୍କର୍ଷ କେନ୍ଦ୍ରକୁ କେବଳ ପ୍ରଦର୍ଶନ ଓ ପ୍ରଶିକ୍ଷଣ କେନ୍ଦ୍ର ଭାବେ ସୀମିତ ନ ରଖି ଏହାର ସମ୍ଭାବନାକୁ ଅଧିକ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । କ୍ଷେତ୍ର ପରିଦର୍ଶନ, ଅଭିଜ୍ଞତା ଓ ଆଧୁନିକ ଉଦ୍ୟାନକୃଷି ପ୍ରଣାଳୀ ସହ ପରିଚିତ କରାଇ ଏଠାରେ “ଆଗ୍ରୋ-ଟୁରିଜିମ୍”କୁ ପ୍ରୋତ୍ସାହନ ଦେବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଛାତ୍ରଛାତ୍ରୀ, କୃଷକ, ଉଦ୍ୟୋଗୀ ଓ ପର୍ଯ୍ୟଟକମାନେ ଆଧୁନିକ କୃଷି ଓ ଉଦ୍ୟାନକୃଷି ପ୍ରଯୁକ୍ତିର ପ୍ରାୟୋଗିକ ଅନୁଭୂତି ହାସଲ କରିବାର ସୁଯୋଗ ପାଇପାରିବେ । ଏହାପରେ ମୁଖ୍ୟ ଶାସନ ସଚିବ ଡେରାସ ଇକୋ ପାର୍କ ଓ ଝୁମୁକା ଜଳସେଚନ ଡାକବଙ୍ଗଳା ପରିଦର୍ଶନ କରି ଉଭୟ ସ୍ଥାନରେ ପର୍ଯ୍ୟଟନର ବିକାଶ ସମ୍ଭାବନା ଅନୁଧ୍ୟାନ କରିଥିଲେ । ଏହି ସମୟରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ରଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଙ୍କ ଲୋକ ସଂପର୍କ ଅଧିକାରୀ l
