ଅଭିମାନିନୀ ବର୍ଷା
ଅଭିମାନିନୀ ବର୍ଷା
ପ୍ରଭାତ କୁମାର ଆଚାର୍ଯ୍ୟ
ଆଷାଢ଼ର ପ୍ରଥମ ଦିନରେ
କଳାହାଣ୍ଡିଆ ମେଘଟା
ହଠାତ୍ ଢାଙ୍କିଦେଲା ଆକାଶ ପୃଥିବୀ,
ରିମ୍ ଝିମ୍ ପାଉଁଜି ଶବ୍ଦରେ
ମୋ ପ୍ରିୟା ବର୍ଷା
ଜାବୁଡ଼ି ଧରିଲା ମୋତେ
ପ୍ରେମ ଆଶ୍ଳେଷରେ।
ନାଚୁଥିଲେ ମୟୂର ମୟୂରୀ
ଫୁଲ, ପ୍ରଜାପତି
ନାଚୁଥିଲୁ ଆମେ ଦୁହେଁ
ସମୟକୁ ବେଖାତିର କରି।
କେଡେ ଈର୍ଷାଳୁ ଏଇ ସମୟର ଆଖି
ସହିପାରିଲାନି ତାକୁ,
ନିରୀମାଖି ସେ,
କେମିତି ସହନ୍ତା ଯେ ?
ମୋତେ ଛାଡ଼ି ଯିବାକୁ
ଜମା ନଥିଲା ତା’ ଇଚ୍ଛା
ଲାଜେଇ ଲାଜେଇ ଚାଲିଗଲା
ସନ୍ତର୍ପଣରେ, ଅଭିମାନରେ।
ମନେପଡ଼େ ପିଲାଦିନ
କାଗଜଡଙ୍ଗା ଭସା ଖେଳ
ସେତେବେଳୁ ମୁଁ ତାକୁ ଭଲପାଏ
ନିଘା ନ ଥାଏ
ସଞ୍ଜ ଆସି କେତେବେଳୁ
ଆମ ଦାଣ୍ଡଦୁଆର ଜଗିଥାଏ।
ଆଜିବି ଆସୁଛି ବର୍ଷା
ମୋ ଦେହରେ ନେସି ହୋଇ
ମାଟିମା’ ହୃଦ ଫାଟି ଆଁ ହେଲାପରେ
ପୁଣି କେତେବେଳେ
ସନିଆ ମା ‘ ଝାଟିମାଟି ଘର
ତିନ୍ତି ଭିଜି ଧସି ନ ଯିବାଯାଏ ନିର୍ଦ୍ଧୁମ୍ ବର୍ଷେ
ରାଗ ଶୁଝାଏ ଅଭିମାନରେ।
ତା’ ମାନ ମୁଁ ଭାଙ୍ଗି ପାରୁନି
କି ତା’ କଥା ରଖି ପାରୁନି
ମନେ ମନେ ଭଲପାଉଛି ସତ
ଏବେ ତା’ ସାଥେ ଭାବ ରଖିନି
ତେଣୁ ତା’ ଆସିବା ଶୁଣି
ଛତା ନ ହେଲେ ଗୋଡ଼ କାଢୁନି।
(ଭୋଗରାଇ, ବାଲେଶ୍ଵର
ସିଦ୍ଧେଶ୍ଵର କଲୋନୀ, ଗଣେଶ୍ଵରପୁର, ରେମୁଣା ଗୋଲେଇ, ବାଲେଶ୍ଵର)
