କୁଶୁପୁର ‘ଶ୍ରଦ୍ଧା ନୀର’କୁ ନେଇ ବିବାଦ ତୀବ୍ର:
ଗୋପ/ନିମାପଡ଼ା/ପୁରୀ, ୩୦/୧୦: ଗୋପ ପଞ୍ଚାୟତ କୁଶୁପୁରରେ ଥିବା ‘ଶ୍ରଦ୍ଧା ନୀର’ (ମେସର୍ସ ମା’ ଭଗବତୀ ଏଣ୍ଟରପ୍ରାଇଜ୍) ପ୍ୟାକେଜ୍ଡ ପାନୀୟଜଳ କାରଖାନାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ବୈଧ ବିଆଇଏସ୍ ଲାଇସେନ୍ସ ବିନା ପ୍ୟାକେଜ୍ଡ ପାନୀୟଜଳରେ ବିଆଇଏସ୍ ମାନକ ଚିହ୍ନ ବ୍ୟବହାର ଅଭିଯୋଗରେ ଗତ ୨୭ ଅକ୍ଟୋବରରେ ଭାରତୀୟ ମାନକ ବ୍ୟୁରୋର ଭୁବନେଶ୍ୱର ଶାଖା ପକ୍ଷରୁ କାରଖାନା ପରିସରରେ ଚଢ଼ାଉ କରାଯାଇଥିଲା। ପ୍ରକାଶିତ ଖବର ଅନୁଯାୟୀ, ଅଭିଯାନ ସମୟରେ ମୋଟ ୮,୨୯୫ଟି ପାଣି ବୋତଲ ସହ ବିଆଇଏସ୍ ମାନକ ଚିହ୍ନ ଥିବା ୫୦୦ଟି ଲେବଲ୍ ଜବତ କରାଯାଇଛି।ଜବତ ସାମଗ୍ରୀ ମଧ୍ୟରେ ୨ ଲିଟର କ୍ଷମତାର ବୋତଲର ୩୧ କାର୍ଟନ, ୧ ଲିଟର ବୋତଲର ୨୦୨ କାର୍ଟନ ଏବଂ ୫୦୦ ମିଲିଲିଟର ବୋତଲର ୨୩୩ କାର୍ଟନ ଥିବା ଖବର ପ୍ରକାଶ ପାଇଛି। ବିଆଇଏସ୍ ପକ୍ଷରୁ ଭାରତୀୟ ମାନକ ବ୍ୟୁରୋ ଅଧିନିୟମ, ୨୦୧୬ର ସମ୍ପୃକ୍ତ ବ୍ୟବସ୍ଥା ଅନୁଯାୟୀ ଆଗାମୀ ଆଇନଗତ ପଦକ୍ଷେପ ଆରମ୍ଭ କରାଯାଇଥିବା ମଧ୍ୟ ଜଣାପଡ଼ିଛି।ଏହି କାର୍ଯ୍ୟାନୁଷ୍ଠାନ ପରେ କାରଖାନା ମାଲିକ ମନ୍ଦିପ ପାଇକରାୟ ସୋସିଆଲ ମିଡିଆରେ ନିଜ ପକ୍ଷ ରଖିଥିବା ବେଳେ ପ୍ରଶାନ୍ତ ସ୍ୱାଇଁ ଏହାର ତୀବ୍ର ପ୍ରତିବାଦ କରିଛନ୍ତି। ମାଲିକଙ୍କ ପୋଷ୍ଟରେ ଉଠାଯାଇଥିବା ଯୁକ୍ତି ଚଢ଼ାଉ ସମୟରେ ସାମ୍ନାକୁ ଆସିଥିବା ମୂଳ ଆଇନଗତ ପ୍ରଶ୍ନଗୁଡ଼ିକର ଉତ୍ତର ଦେଉନାହିଁ ବୋଲି ସେ କରିଛନ୍ତି।ଅନ୍ୟପଟେ, ଚଢ଼ାଉ ସମୟରେ ପ୍ରସ୍ତୁତ ସିଜର ତାଲିକାରେ ଦେବାଶିଷ ସାହୁଙ୍କ ଦସ୍ତଖତକୁ ନେଇ ନୂଆ ପ୍ରଶ୍ନ ଉଠିଛି। ପ୍ରଶାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଦେବାଶିଷ ସାହୁ ଯଦି କାରଖାନାର ମାଲିକ, କର୍ମଚାରୀ କିମ୍ବା ଅଧିକୃତ ପ୍ରତିନିଧି ନୁହନ୍ତି, ତେବେ ସେ କେଉଁ ପରିଚୟ ଓ କେଉଁ କ୍ଷମତାରେ ଜବତ ତାଲିକାରେ ଦସ୍ତଖତ କଲେ, ତାହା ସ୍ପଷ୍ଟ ହେବା ଦରକାର।

ଏ ସମ୍ପର୍କରେ ଜଣେ ବିଆଇଏସ୍ ଅଧିକାରୀ କହିଛନ୍ତି ଯେ, ଦେବାଶିଷ ସାହୁଙ୍କ ଆଧାର କାର୍ଡ ସଂଗ୍ରହ କରାଯାଇଛି ଏବଂ ମାମଲା ଦାଖଲ ସମୟରେ ତାହା କୋର୍ଟରେ ଉପସ୍ଥାପନ କରାଯିବ। ସେ ଯଦି ଭୁଲ୍ ପରିଚୟ କିମ୍ବା ମିଥ୍ୟା ତଥ୍ୟ ଦେଇଥିବା ପ୍ରମାଣିତ ହୁଏ, ତେବେ କୋର୍ଟ ଆବଶ୍ୟକ ପଦକ୍ଷେପ ନେବ। ସେହି ବାର୍ତ୍ତାଳାପରେ ସଂସ୍ଥାର ପଞ୍ଜୀକରଣ ପ୍ରମାଣପତ୍ରରୁ ମାଲିକଙ୍କ ପରିଚୟ ମିଳିଥିବା ଏବଂ ପ୍ରାଥମିକ ଭାବେ ମାଲିକଙ୍କ ବିରୋଧରେ ମାମଲା ଦାଖଲ ହେବ ବୋଲି ମଧ୍ୟ କୁହାଯାଇଛି। ତେବେ ବାର୍ତ୍ତାଳାପର ସତ୍ୟତା ଓ ଅଧିକାରୀଙ୍କ ପରିଚୟ ସ୍ୱାଧୀନ ଭାବେ ଯାଞ୍ଚ ହେବା ବାକି ରହିଛି।ସେହିପରି ପ୍ରଶାନ୍ତଙ୍କ ଅଭିଯୋଗ ଅନୁଯାୟୀ, ପ୍ଲଟ୍ ନଂ–୮୬୮(ପି), ମୌଜା କୁଶୁପୁରର ଯେଉଁ ଜମିରେ କାରଖାନା ରହିଛି, ତାହା ସରକାରୀ ରେକର୍ଡରେ ‘ଜଳାଶୟ–୨’ କିସମ ଭାବେ ରେକର୍ଡଭୁକ୍ତ। ଏପରି ସ୍ଥିତିରେ ସେଠାରେ ବ୍ୟବସାୟିକ କୋଠା ଓ କାରଖାନା ନିର୍ମାଣ ବିନା ଅନୁମତି ଆଧାରରେ ହୋଇଛି, ତାହାର ରାଜସ୍ୱ ପ୍ରଶାସନ ଓ ପୁରୀ–କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସମ୍ପୂର୍ଣ୍ଣ ତଦନ୍ତ କରି ଏହା ବେଆଇନ ବୋଲି ସ୍ପଷ୍ଟ କରିଛି।କାରଖାନା ମାଲିକ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଓ ପୂର୍ବରୁ ମିଳିଥିବା ସରକାରୀ/ଏମ୍ଏସ୍ଏମ୍ଇ ସହାୟତାର ଉଲ୍ଲେଖ କରୁଥିବା ବେଳେ, ସେଗୁଡ଼ିକ ଜମି ବ୍ୟବହାର ଅନୁମତି କିମ୍ବା ଆବଶ୍ୟକ ବିଆଇଏସ୍ ମାନ୍ୟତାର ବିକଳ୍ପ ହୋଇପାରିବ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି। କାରଖାନାର ସମସ୍ତ ଲାଇସେନ୍ସ, ଜମି କିସମ, ନିର୍ମାଣ ଅନୁମୋଦନ, ସରକାରୀ ସହାୟତା ଏବଂ ମାନକ ଚିହ୍ନ ବ୍ୟବହାରର ବୈଧତାକୁ ଏକାଠି ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।ଏହାସହ ପ୍ରଶାନ୍ତ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ସମୀର ଦାଶଙ୍କ ସହ ଏହି କାରଖାନାର ସମ୍ପର୍କ ଥିବା ନେଇ ଗୁରୁତର ଅଭିଯୋଗ ଉଠାଇଛନ୍ତି। ସମୀର ଦାଶଙ୍କ ୧୫ ବର୍ଷର ବିଧାୟକ କାଳରେ ଦୁର୍ନୀତି ମାଧ୍ୟମରେ ଅର୍ଜିତ ଅର୍ଥର କିଛି ଅଂଶ ଏହି କାରଖାନାରେ ଲାଗିଥିବାର ସନ୍ଦେହ ପ୍ରକାଶ କରି ସେ ଏହାର ଆର୍ଥିକ ଉତ୍ସ ଓ ପ୍ରକୃତ ହିତାଧିକାରୀ କିଏ, ତାହା ମଧ୍ୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ସ୍ୱାଧୀନ ପ୍ରମାଣ ସାମ୍ନାକୁ ଆସିନଥିବା ବେଳେ ସମୀର ଦାଶଙ୍କ ପକ୍ଷର ପ୍ରତିକ୍ରିୟା ମଧ୍ୟ ମିଳିନାହିଁ।“ଠାକୁର ଘରେ କିଏ? ନା ମୁଁ କଦଳୀ ଖାଇନି—କଇଁଛ କାଢ଼ିଛି ବେକ। ତଦନ୍ତ ହେଲେ ସତ୍ୟ ସାମ୍ନାକୁ ଆସିବ। ୮,୨୯୫ ବୋତଲ ଜବତ ହେବା ପରେ ଘଟଣାକୁ ରାଜନୈତିକ ଆକ୍ରୋଶର ରୂପ ଦେଇ ମୂଳ ପ୍ରଶ୍ନରୁ ଧ୍ୟାନ ହଟାଇହେବ ନାହିଁ,” ବୋଲି ପ୍ରଶାନ୍ତ ସ୍ୱାଇଁ କହିଛନ୍ତି।ଜନସ୍ୱାସ୍ଥ୍ୟ ଓ ଜଳାଶୟ ସୁରକ୍ଷାକୁ ଦୃଷ୍ଟିରେ ରଖି କାରଖାନାର ସମସ୍ତ ଦସ୍ତାବିଜ, ମାଲିକାନା, ଆର୍ଥିକ ଉତ୍ସ ଏବଂ ଚଢ଼ାଉ ସମୟରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକାର ଉଚ୍ଚସ୍ତରୀୟ ଯାଞ୍ଚ କରାଯାଉ ଏବଂ ଆଇନ ଉଲ୍ଲଂଘନ ପ୍ରମାଣିତ ହେଲେ କୋଠା ସିଲ୍, ଉଚ୍ଛେଦ ସହ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପ୍ରଶାନ୍ତ ସ୍ୱାଇଁ ଦାବି କରିଛନ୍ତି।
