ପୁରୀରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପିଏମ୍‌ କିଷାନ ୨୪ତମ କିସ୍ତି ପ୍ରଦାନ ଉତ୍ସବ*

ପୁରୀ, ୩୦/୧୦: ଦେଶର କୃଷକ ସମାଜକୁ ଆର୍ଥିକ ଭାବେ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ଦିଗରେ ଆଜି ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି’ (ପିଏମ୍ କିଷାନ) ଯୋଜନାର ୨୪ତମ କିସ୍ତି ସହାୟତା ରାଶି ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ବନାସକାଣ୍ଠା ଠାରୁ ଆଭାସୀ ମାଧ୍ୟମରେ ଏହି ସହାୟତା ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଜାତୀୟ କାର୍ଯ୍ୟକ୍ରମରେ ସାରା ଦେଶରେ ୯.୩୪ କୋଟିରୁ ଅଧିକ ଚାଷୀଙ୍କୁ ୧୮,୬୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି।ଏହି ଅବସରରେ ଓଡ଼ିଶାର ୩୫ ଲକ୍ଷ ୩୮ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଜମାଖାତାକୁ ଡିବିଟି ଜରିଆରେ ସମୁଦାୟ ୭୦୭.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ, କୃଷକ ସମାଜ କେବଳ ଚାଷୀ ନୁହନ୍ତି, ସେମାନେ ଆମ ପାଇଁ ଅନ୍ନଦାତା। କୃଷକମାନଙ୍କ ଉନ୍ନତି ଓ ଆର୍ଥିକ ବିକାଶ ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ।ପୁରୀ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଓ ସହାୟତା ବଣ୍ଟନ:ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ପୁରୀ ଜିଲ୍ଲା ପରିଷଦ ସଭାଗୃହଠାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର ଯୋଗଦେଇ କୃଷକ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ କୃଷି ଆମ ଦେଶର ଅର୍ଥନୀତିର ମୁଖ୍ୟ ମାଧ୍ୟମ ଏବଂ କୃଷକଙ୍କ କଠୋର ପରିଶ୍ରମ ଯୋଗୁଁ ଆମେ ଖାଦ୍ୟ ପାଇପାରୁଛୁ।ଏହି ୨୪ତମ କିସ୍ତିରେ ପୁରୀ ଜିଲ୍ଲାର ୧,୬୨,୪୦୬ ଜଣ ଚାଷୀଙ୍କୁ ଡିବିଟି ମାଧ୍ୟମରେ ମୋଟ ୩୨ କୋଟି ୪୮ ଲକ୍ଷ ୧୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଶିବାଶିଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ସବ୍ୟସାଚୀ ଦାସ, ନିମାପଡ଼ା କୃଷି ଜିଲ୍ଲା ଅଧିକାରୀ ଶ୍ରୀ ପିୟୁଷ ପଲ୍ଲଭ ପରିଡ଼ା, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଶ୍ରୀ ସୂର୍ଯ୍ୟନାରାୟଣ ମିଶ୍ର, ଉଦ୍ୟାନ ବିଭାଗ ଉପନିର୍ଦେଶିକା ଶ୍ରୀମତୀ ସୂଚନା ସ୍ବସ୍ତିକା, ପ୍ରାଣୀ ଚିକିତ୍ସା ବିଭାଗରୁ ଡ. ଆଶୁତୋଷ ମହାନ୍ତି ଏବଂ ମୃତ୍ତିକା ସଂରକ୍ଷଣ ବିଭାଗ ଉପନିର୍ଦେଶିକା ଶ୍ରୀମତୀ ସୌଭାଗିନୀ ବେହେରା ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *