ଡିଆରଡିଓ ଦ୍ୱାରା ବିକଶିତ କ୍ଷେପଣାସ୍ତ୍ରର ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରକୁ ପ୍ରତିରକ୍ଷାମନ୍ତ୍ରୀଙ୍କ ମଞ୍ଜୁରୀ

ଡିଆରଡିଓ ଦ୍ୱାରା ବିକଶିତ କ୍ଷେପଣାସ୍ତ୍ରର ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରକୁ ପ୍ରତିରକ୍ଷାମନ୍ତ୍ରୀଙ୍କ ମଞ୍ଜୁରୀପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ବାରା ବିକଶିତ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଯୁକ୍ତିବିଦ୍ୟାକୁ ଦେଶ ମଧ୍ୟରେ ଉତ୍ପାଦନ କରିବା ପାଇଁ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗକୁ ହସ୍ତାନ୍ତର କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରଯୁକ୍ତି ହସ୍ତାନ୍ତରଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶୀୟ ଶିଳ୍ପଗୁଡ଼ିକର ଅଧିକ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ଏହା ଦ୍ୱାରା ନିର୍ଦ୍ଧାରିତ ଯୋଗ୍ୟତା, ପ୍ରମାଣପତ୍ର ଏବଂ ନିୟାମକ ଆବଶ୍ୟକତା ପୂରଣ କରି ଘରୋଇ ଶିଳ୍ପଗୁଡ଼ିକ ସ୍ୱଦେଶୀ ଉତ୍ପାଦନ କରିବାକୁ ସକ୍ଷମ ହେବେ।ଏହି ପଦକ୍ଷେପ ଦ୍ୱାରା କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶକୁ ସଫଳତାର ସହିତ ଶିଳ୍ପ ଉତ୍ପାଦନ ପର୍ଯ୍ୟାୟକୁ ନିଆଯାଇପାରିବ। ଉନ୍ନତ ପ୍ରତିରକ୍ଷା ପ୍ରଣାଳୀର ବିକାଶ ଓ ଉତ୍ପାଦନ ପାଇଁ ଭାରତୀୟ ଶିଳ୍ପର କ୍ଷମତାକୁ ଉପଯୋଗ କରିବା ଲାଗି ଡିଆରଡିଓର ନିରନ୍ତର ପ୍ରୟାସକୁ ଏହା ପ୍ରତିଫଳିତ କରୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶୀୟ ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ପ୍ରତିରକ୍ଷା ଶିଳ୍ପ ଭିତ୍ତିକୁ ଆହୁରି ସୁଦୃଢ଼ କରିବା ଏବଂ ଭାରତୀୟ ଏମଏସଏମଇ ଓ ଅନ୍ୟାନ୍ୟ ପ୍ରଯୁକ୍ତି ସହଯୋଗୀମାନଙ୍କୁ ଯୋଗାଣ ଶୃଙ୍ଖଳାରେ ଅଂଶଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବା।ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଦେଶର ପ୍ରତିରକ୍ଷା କ୍ଷମତାକୁ ବଢ଼ାଇବା, ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଦେଶରେ ମୂଲ୍ୟ ସଂଯୁକ୍ତି ବୃଦ୍ଧି କରିବା ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରର ବିକାଶକୁ ସମର୍ଥନ କରିବା। ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତିର ହସ୍ତାନ୍ତରଣ ଓ ଏହାକୁ ଦେଶୀୟ ଶିଳ୍ପରେ ବ୍ୟବହାର କରିବା ପାଇଁ ଡିଆରଡିଓ ଭାରତୀୟ ଶିଳ୍ପ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ। ଏହା ଦ୍ୱାରା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରାଯିବ।

Leave a Reply

Your email address will not be published. Required fields are marked *