ପୁଣି ଚର୍ଚ୍ଚାରେ ଡେଲାଙ୍ଗ ପୋଲିସ

ପୁଣି ଚର୍ଚ୍ଚାରେ ଡେଲାଙ୍ଗ ପୋଲିସ। ମୋଷ୍ଟ ୱାଣ୍ଟେଡ୍ ଅପରାଧୀଙ୍କୁ ଧରିବା ବଦଳରେ ୫ ଜଣ ଗୋପାଳକଙ୍କୁ ଗୋ ଚାଲାଣ ଅଭିଯୋଗରେ କୋର୍ଟ ଫରୱାର୍ଡ କରିଥିବା ଘଟଣାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ଗୋପାଳକ ଓ ସ୍ଥାନୀୟ ଜନପ୍ରତିନିଧିମାନେ ସାମ୍ବାଦିକ ସମ୍ମିଳନୀ କରି ଡେଲାଙ୍ଗ ପୋଲିସର କାର୍ଯ୍ୟଶୈଳୀକୁ କଡା ସମାଲୋଚନା କରିଛନ୍ତି।ପୁରୀ ଜିଲ୍ଲା ଡେଲାଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୂର୍ବରୁ ସମାଲୋଚିତ ହୋଇଆସୁଥିବା ଡେଲାଙ୍ଗ ପୋଲିସ ଏବେ ପୁଣି ଚର୍ଚ୍ଚାକୁ ଆସିଛି। ପିପିଲି ଓ ଡେଲାଙ୍ଗ ଅଞ୍ଚଳର ୫ ଜଣ ଗୋପାଳକ ଶତାଧିକ ଗାଈଗୋରୁଙ୍କୁ ନେଇ ଖୋର୍ଦ୍ଧା ପରଙ୍ଗ ଅଞ୍ଚଳକୁ ଯାଉଥିବା ସମୟରେ ଜଣେ ଗୋ ସୁରକ୍ଷାକାରୀଙ୍କ ଅଭିଯୋଗ ଆଧାରରେ ଡେଲାଙ୍ଗ ପୋଲିସ ସେମାନଙ୍କୁ ଅଟକ ରଖିଥିଲା। ପରେ ଗୋ ଚାଲାଣ ଅଭିଯୋଗରେ ସମସ୍ତଙ୍କୁ କୋର୍ଟ ଫରୱାର୍ଡ ।କରିଥିଲା | ଏହାକୁ ନେଇ ଗୋପାଳକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନଙ୍କ କହିବା ଅନୁଯାୟୀ, ଗୋରୁ ପାଳନ ସେମାନଙ୍କର କୌଳିକ ବୃତ୍ତି ହୋଇଥିବା ବେଳେ କୌଣସି ସଠିକ ତଦନ୍ତ ନ କରି ପୋଲିସ ସେମାନଙ୍କୁ ଗୋ ଚାଲାଣକାରୀ ଭାବେ ଚିହ୍ନଟ କରିଛି। ଏଭଳି କାର୍ଯ୍ୟରେ ସେମାନଙ୍କ ଜୀବିକା ପ୍ରଭାବିତ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି | ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ଡେଲାଙ୍ଗ ପୋଲିସର କାର୍ଯ୍ୟଶୈଳୀକୁ କଡା ଭାଷାରେ ସମାଲୋଚନା କରିଛନ୍ତି। ଡେଲାଙ୍ଗ ଅଞ୍ଚଳରେ ବେଆଇନ ପଥର, ମୋରମ ଓ ଚୋରା ବାଲି ଚାଲାଣ ରୋକିବାରେ ବିଫଳ ହେଉଥିବା ପୋଲିସ ନିରୀହ ଗୋପାଳକଙ୍କୁ ଗିରଫ କରି ନିଜର ପାରିବା ପଣିଆ ଦେଖାଉଛି ବୋଲି ସେ ଅଭିଯୋଗ କରିଛନ୍ତି | ସେହିପରି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ମଧ୍ୟ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଅଭିଯୋଗ ଆସିବା ପରେ ପ୍ରଥମେ ସେମାନେ ପ୍ରକୃତରେ ଗୋ ଚାଲାଣକାରୀ କି ଗୋପାଳକ ତାହା ଅନୁଧ୍ୟାନ କରିବା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି | ଏବେ ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।ଗୋପାଳକଙ୍କୁ ଗୋ ଚାଲାଣ ଅଭିଯୋଗରେ କୋର୍ଟ ଫରୱାର୍ଡ କରିବା ଘଟଣା ଡେଲାଙ୍ଗ ପୋଲିସକୁ ପୁଣି ଥରେ ବିବାଦ ଘେରକୁ ଟାଣି ଆଣିଛି। ସେପଟେ ପୋଲିସ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିଲା ବେଳେ ଏବେ ଦେଖିବାକୁ ବାକି ରହିଲା ପୋଲିସ ଏହି ଘଟଣାରେ କଣ ସ୍ପଷ୍ଟୀକରଣ ରଖୁଛି।

Leave a Reply

Your email address will not be published. Required fields are marked *