ବାଲ୍ୟ ବିବାହ ମୁକ୍ତ ମାଲକାନଗିରି ପାଇଁ ପ୍ରଶାସନର ବଡ଼ ପଦକ୍ଷେପ:

ବାଲ୍ୟ ବିବାହ ମୁକ୍ତ ମାଲକାନଗିରି ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ଜିଲ୍ଲାସ୍ତରୀୟ କାର୍ଯ୍ୟାନ୍ୱୟନ ଖସଡ଼ା (୨୦୨୬-୨୦୨୯) ଉନ୍ମୋଚିତ**ମାଲକାନଗିରି, ୧୮ ଜୁଲାଇ ୨୦୨୬:*ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସୁଚିନ୍ତିତ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଜିଲ୍ଲାରୁ ବାଲ୍ୟ ବିବାହର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଏକ ଦୀର୍ଘକାଳୀନ ରଣନୀତି “ଜିଲ୍ଲା ଏକ୍ସନ୍ ପ୍ଲାନ୍ (ଡ଼ାପ୍ ୨୦୨୬–୨୦୨୯)” ପୁସ୍ତିକାକୁ ଉପସ୍ଥିତ ଅତିଥିମାନେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ଉପ-ଜିଲ୍ଲାପାଳ ଦୂର୍ଯ୍ୟୋଧନ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା, ୟୁନିସେଫର ରିସୋର୍ସ ପର୍ସନ ଘାସିରାମ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତର ରଣସିଂ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ମୁଖ୍ୟ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ ଏବଂ ଜିଲ୍ଲା ସଂଯୋଜିକା ମିନାକ୍ଷୀ ପ୍ରଧାନ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା କରିଥିଲେ । ଏହି ବିଶେଷ କାର୍ଯ୍ୟକ୍ରମରେ ୟୁନିସେଫର ରିସୋର୍ସ ପର୍ସନ ଘାସିରାମ ପଣ୍ଡା ଉପସ୍ଥିତ ସମସ୍ତ ପ୍ରତିନିଧି ଓ ଅଧିକାରୀମାନଙ୍କୁ କାର୍ଯ୍ୟାନ୍ୱୟନ ରଣନୀତି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।ଏହି ଅବସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ନିଜର ଏକ ସ୍ୱତନ୍ତ୍ର ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ, ବାଲ୍ୟ ବିବାହ କେବଳ ଆଇନଗତ ଅପରାଧ ନୁହେଁ, ବରଂ ଏହା ଶିଶୁ ସୁରକ୍ଷା, ମାନବିକ ଅଧିକାର ଓ ସମାଜର ପ୍ରଗତି ପଥରେ ଏକ ବଡ଼ ପ୍ରତିବନ୍ଧକ । ମାଲକାନଗିରିକୁ ଏକ ପ୍ରଗତିଶୀଳ ଏବଂ ବାଲ୍ୟ ବିବାହ ମୁକ୍ତ ଜିଲ୍ଲାରେ ପରିଣତ କରିବା ପ୍ରଶାସନର ପ୍ରାଥମିକ ସଂକଳ୍ପ । ନୂତନ ଜିଲ୍ଲା ଏକ୍ସନ୍ ପ୍ଲାନ୍ ର ସଫଳ ରୂପାୟନ ମାଧ୍ୟମରେ ପ୍ରତ୍ୟେକ କିଶୋରୀର ସ୍ୱାସ୍ଥ୍ୟ, ଶିକ୍ଷା ଓ ଅଧିକାରକୁ ସୁରକ୍ଷିତ କରିବାକୁ ବଦ୍ଧପରିକର ବୋଲି ଜିଲ୍ଲାପାଳ କହିଛନ୍ତି ।ବୈଠକରେ ମଞ୍ଚାସୀନ ଅତିଥିବୃନ୍ଦ ମିଳିତ ଭାବେ ମତବ୍ୟକ୍ତ କରିଥିଲେ ଯେ, ମାଲକାନଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ପାରମ୍ପରିକ ଚିନ୍ତାଧାରାର ପରିବର୍ତ୍ତନ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରହିବା ଜରୁରୀ । ବାଲ୍ୟ ବିବାହ ଭଳି ସାମାଜିକ ବ୍ୟାଧିକୁ କେବଳ ଆଇନ ବଳରେ ନୁହେଁ, ବରଂ ଶିକ୍ଷାର ବ୍ୟାପକ ପ୍ରସାର ଏବଂ ପ୍ରତ୍ୟେକ ସ୍ତରରେ ମିଳିତ ସହଯୋଗ ଦ୍ୱାରା ହିଁ ସମ୍ପୂର୍ଣ୍ଣ ରୂପେ ନିର୍ମୂଳ କରାଯାଇପାରିବ । ଶିଶୁ କନ୍ୟା ମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ପୋଲିସ ଓ ସମାଜ ମଙ୍ଗଳ ବିଭାଗ ଏକ ଦଳଗତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେମାନେ ଆହ୍ୱାନ ଦେଇଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା ନିଜ ବକ୍ତବ୍ୟରେ କହିଛନ୍ତି ଯେ, ତୃଣମୂଳ ସ୍ତରରେ ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ସ୍ଥାନୀୟ କମିଟି ମାଧ୍ୟମରେ ସଚେତନତାକୁ ଅଧିକ ବ୍ୟାପକ କରାଯିବ ଏବଂ ବାଲ୍ୟ ବିବାହର ସୂଚନା ମିଳିବା ମାତ୍ରେ ତୁରନ୍ତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବ ।ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଭିଭାବକ, ସ୍ଥାନୀୟ ପ୍ରତିନିଧି, ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କୁ ବିଶେଷ ନିବେଦନ କରାଯାଇଛି ଯେ, ୧୮ ବର୍ଷରୁ କମ୍ କନ୍ୟା ଏବଂ ୨୧ ବର୍ଷରୁ କମ୍ ପୁଅର ବିବାହ ଏକ ଗୁରୁତର ଆଇନଗତ ଅପରାଧ ଅଟେ । ନିଜ ପିଲାମାନଙ୍କୁ ବାଲ୍ୟ ବିବାହର କୁପରିଣାମରୁ ରକ୍ଷା କରି ସେମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ସହ ଯଦି କେଉଁଠି ବାଲ୍ୟ ବିବାହ ହେବାର ସୂଚନା ମିଳେ, ତେବେ ତୁରନ୍ତ ପ୍ରଶାସନ କିମ୍ବା ଚାଇଲ୍ଡଲାଇନ୍ ନମ୍ବର ୧୦୯୮ ରେ ଜଣାଇବାକୁ କୁହାଯାଇଛି, ଯେଉଁଥିରେ ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ବିଡିଓ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଏହି ସାମାଜିକ ସଂସ୍କାର ଅଭିଯାନକୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *