ଜୀବିତଙ୍କୁ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ ! ମୁଣ୍ଡଗୁଡ଼ାର ତିନି ଅସହାୟ ପରିବାର ନ୍ୟାୟ ପାଇଁ ଆକୁଳ ନିବେଦନ ।

ମାଥିଲି : ()ମାଥିଲି ତହସିଲ ଅନ୍ତର୍ଗତ ମୁଣ୍ଡଗୁଡ଼ା ମୌଜାର ଖାତା ନମ୍ବର ୩୫ ସମ୍ବନ୍ଧୀୟ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣରେ ଚମକାଇ ଦେବା ଭଳି ଗୁରୁତର ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଜଣେ ଜୀବିତ ଓ ଅସହାୟ ମହିଳାଙ୍କୁ ସରକାରୀ ରେକର୍ଡରେ ମୃତ ଦର୍ଶାଇବା ସହ ଅନ୍ୟ ଦୁଇଜଣ ପ୍ରକୃତ ହିତାଧିକାରୀଙ୍କ ନାମକୁ ବଂଶଜ ତାଲିକାରୁ ବାଦ ଦିଆଯାଇଥିବାରୁ ସେମାନେ ସରକାରୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।ପୀଡ଼ିତ ପରିବାରଙ୍କ କହିବା ଅନୁଯାୟୀ, ଶୁଭଦ୍ରା ନାୟକ ଜୀବିତ ଥିବା ସତ୍ତ୍ୱେ ତାଙ୍କୁ ସରକାରୀ ରେକର୍ଡରେ ମୃତ ଘୋଷଣା କରାଯାଇଛି। ସେହିପରି ଉଦ୍ଧବ ଓ ଡମୁଣୀଙ୍କ ନାମକୁ ମଧ୍ୟ ବଂଶଜ ତାଲିକାରୁ ବାଦ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଏହା ଫଳରେ ପ୍ରକୃତ ହିତାଧିକାରୀମାନେ ସେମାନଙ୍କ ନ୍ୟାୟସଙ୍ଗତ କ୍ଷତିପୂରଣ ରାଶିରୁ ବଞ୍ଚିତ ହୋଇଛନ୍ତି।ସବୁଠାରୁ ଦୁଃଖଦ ବିଷୟ ହେଉଛି, ଜଣେ ଜୀବିତ ମହିଳାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯିବା। ପ୍ରଶ୍ନ ଉଠୁଛି – ଜଣେ ଜୀବିତ ମଣିଷ କିପରି ସରକାରୀ ରେକର୍ଡରେ ମୃତ ହୋଇଗଲେ? ଯଦି ଏହା ସତ୍ୟ, ତେବେ ଏହା କେବଳ ପ୍ରଶାସନିକ ତ୍ରୁଟି ନୁହେଁ, ବରଂ ଜଣେ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ ଗୁରୁତର ଆଘାତ।ପୀଡ଼ିତା ପ୍ରଥମେ ସମ୍ପୃକ୍ତ ଜମି ଅଧିଗ୍ରହଣ କର୍ତ୍ତୃପକ୍ଷ (CALA)ଙ୍କ ନିକଟରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ସେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ମଧ୍ୟ ବାରମ୍ବାର ଅଭିଯୋଗ କରିଥିଲେ। ତଥାପି ସନ୍ତୋଷଜନକ ସମାଧାନ ନ ମିଳିବାରୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ନ ପାଇବାରୁ ଅସହାୟ ପରିବାର ଶେଷରେ ସମାଜସେବୀ ଶରତ ବୁରୁଦାଙ୍କ ନିକଟରେ ନିଜ ଦୁଃଖ ବଖାଣି ନ୍ୟାୟ ପାଇଁ ଅନୁରୋଧ କରିଥିଲେ।ପୂର୍ବତନ ପୋଲିସ ଅଧିକାରୀ ତଥା ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଏହି ଘଟଣାକୁ ଗୁରୁତର ଭାବେ ନେଇ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଅଧିକାରୀ ମହିଳା ଜଣଙ୍କୁ ବିବାହିତ ହୋଇଥିବାରୁ ପୈତୃକ ସମ୍ପତ୍ତିରେ ତାଙ୍କର ଅଧିକାର ନାହିଁ ବୋଲି କହିଥିବା ମଧ୍ୟ ଅଭିଯୋଗ ହୋଇଛି। ଯଦିଓ ଭାରତୀୟ ଆଇନ ଅନୁଯାୟୀ ବିବାହିତ କନ୍ୟାଙ୍କର ମଧ୍ୟ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିଛି। ତେଣୁ ଏହି ମାମଲାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି।ଏହାସହ କିଛି କର୍ମଚାରୀ ଏବଂ କିଛି ସଂଗଠନ ସହ ଜଡିତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ସ୍ଥାନାନ୍ତର ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ସାପେକ୍ଷ।ଏବେ ପ୍ରଶ୍ନ ଉଠୁଛି ଗରିବ ଓ ଅସହାୟ ଲୋକଙ୍କ ହକ୍ କିଏ ହଡ଼ପ କଲା ବର୍ତମାନ କିଏ ଦେବ ଏହି ତିନି ପରିବାରକୁ ନ୍ୟାୟ ତାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ପୀଡ଼ିତ ପରିବାର ଏବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ ସହ ପ୍ରକୃତ ହିତାଧିକାରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *