ଦାହାପାଣିଆ ଏନ୍ସିସି କ୍ୟାମ୍ପରେ ଜିଲ୍ଲାପାଳଙ୍କ ପ୍ରେରଣାଦାୟୀ ସମ୍ବୋଧନ”
ଭଦ୍ରକ, ୨ ଜୁନ୍: ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀ ଦିଲୀପ ରାଉତରାଏ ଦାହାପାଣିଆସ୍ଥିତ ସରକାରୀ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ଆୟୋଜିତ କମ୍ବାଇନ୍ଡ ଆନୁଆଲ୍ ଟ୍ରେନିଂ କ୍ୟାମ୍ପ (ସିଏଟିସି)ରେ ଯୋଗଦେଇ କ୍ୟାଡେଟମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଛନ୍ତି। ଜିଲ୍ଲାପାଳ କହିଥିଲେ ଯେ, ଏନ୍ସିସିର ମୂଳମନ୍ତ୍ର “ଐକ୍ୟ ଓ ଶୃଙ୍ଖଳା” କେବଳ ଏକ ସ୍ଲୋଗାନ୍ ନୁହେଁ, ବରଂ ସଫଳ ଜୀବନର ମୂଳ ଆଧାର। ଦେଶ ଓ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ କ୍ୟାଡେଟମାନେ ନେତୃତ୍ୱ, ପ୍ରତିଯୋଗିତାମୂଳକ ପରୀକ୍ଷା, ସିଭିଲ୍ ସର୍ଭିସ ଓ ଜିଲ୍ଲା ବିକାଶରେ ଯୁବମାନଙ୍କ ଭୂମିକା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ।

ଜିଲ୍ଲାପାଳ ସେଗୁଡ଼ିକର ଉତ୍ତର ଦେଇ କ୍ୟାଡେଟମାନଙ୍କୁ ଉଚ୍ଚ ଲକ୍ଷ୍ୟ ସ୍ଥିର କରି ନିରନ୍ତର ପରିଶ୍ରମ କରିବାକୁ ଆହ୍ୱାନ ଜଣାଇଥିଲେ।ସେ କ୍ୟାଡେଟମାନଙ୍କ ଉତ୍ସାହ, ଶୃଙ୍ଖଳା ଓ ଉଚ୍ଚ ମନୋବଳର ପ୍ରଶଂସା କରି କହିଥିଲେ ଯେ, ଏନ୍ସିସି କ୍ୟାଡେଟମାନେ ହେଉଛନ୍ତି ଦେଶର ଭବିଷ୍ୟତ ନେତୃତ୍ୱ। ସିଭିଲ୍ ସର୍ଭିସ ଓ ସଶସ୍ତ୍ର ବାହିନୀରେ ଯୋଗଦାନ କରି ଦେଶସେବା କରିବା ପାଇଁ ସେ ସେମାନଙ୍କୁ ପ୍ରେରିତ କରିଥିଲେ।ଶେଷରେ କ୍ୟାମ୍ପ କମାଣ୍ଡାଣ୍ଟ କର୍ଣ୍ଣଲ ଏସ୍ ଏସ୍ ରଘୁବଂଶୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ତାଙ୍କର ପ୍ରେରଣାଦାୟୀ ଉପସ୍ଥିତି ଓ ବାର୍ତ୍ତା କ୍ୟାଡେଟମାନଙ୍କ ମନୋବଳକୁ ଆହୁରି ସୁଦୃଢ଼ କରିଛି।
