ମହାପ୍ରଭୁଙ୍କ ଦର୍ଶନରୁ ଆଉ ବଞ୍ଚିତ ହେବେ ନାହିଁ ..ଦିବ୍ୟାଙ୍ଗ ଉକ୍ତ
ମହାପ୍ରଭୁଙ୍କ ଦର୍ଶନରୁ ଆଉ ବଞ୍ଚିତ ହେଵେନାହିଁ ଦିବ୍ୟାଙ୍ଗ ଭକ୍ତ। ଖୁବଶୀଘ୍ର ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ପାଇବେ ନୂଆ ଅନୁଭୂତି। ଆଉ ଛଳଛଳ ଆଖିରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରୁ ଦର୍ଶନ ନ କରି ମନଦୁଃଖରେ ଫେରିବେନି ଦିବ୍ୟାଙ୍ଗ ଭକ୍ତ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନର ବଡ ପଦକ୍ଷେପ। ମହାଧାର୍ମିକ କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ନେଇ ଚୂଡାନ୍ତ ଏସଓପି ଉପରେ ହୋଇଛି ବିସ୍ତୃତ ଆଲୋଚନା।ଅନଲାଇନ୍ ମାଧ୍ୟମରେ ଦିବ୍ୟାଙ୍ଗ ଭକ୍ତମାନେ ସ୍ଲଟ ବୁକିଂ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ।ଶ୍ରୀମନ୍ଦିର ସତ୍ୟନାରାୟଣ ମନ୍ଦିର ନିକଟରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଅନଲାଇନ ବୁକିଂ ବ୍ୟବସ୍ଥା ହେବ l ଉତ୍ତରଦ୍ଵାର ଦେଇ ଦିବ୍ୟାଙ୍ଗ ଭକ୍ତମାନେ ହୁଇଲ ଚେୟାରରେ ଯାଇ ଘଣ୍ଟିଦ୍ଵାରରେ ପ୍ରବେଶ କରି ଦର୍ଶନ କରିପାରିବେ l ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯିବ। ପ୍ରତ୍ୟକ ଦିନ 20 ଜଣ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବାକୁ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ। ସେପଟେ ପରୀକ୍ଷାମୂଳକ ଭାବେ ପ୍ରାଥମିକ ପର୍ଯ୍ୟାୟରେ ୨୦ ଜଣ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ ହେବାପରେ ଆଉ କେତେ ଅଧିକ ଦର୍ଶନ ବ୍ୟବସ୍ଥା କରାଯାଇପାରିବ ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ସମୟରେ ସେମାନଙ୍କ ସୁରକ୍ଷା,,ଓ ଜରୁରୀକାଳୀନ ବ୍ୟବସ୍ଥା ତଥା ମେଡିକାଲ ସୁବିଧା ଏବଂ ଆମ୍ବୁଲାନ୍ସ ମୁତୟନ କରାଯିବ | ଦର୍ଶନ ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେମାନଙ୍କୁ କିଛି ଭେଟି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବିଶେଷ ପର୍ବପର୍ବାଣି ଏବଂ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମୟରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ କେତେ ସମୟ ସେମାନେ ଦର୍ଶନ କରିପାରିବେ ସେନେଇ ଆଲୋଚନା ଜାରି ରହିଛି। ଅନ୍ୟପଟେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନର ସମୟ କଣ ରହିବ,,ଏବଂ କୋଉକୋଉ ଦିନ ଦର୍ଶନ ହୋଇପାରିବ ସେନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଏକ କମିଟି ନିଷ୍ପତ୍ତି ନେବ ବୋଲି ବୈଠକରେ ଆଲୋଚନା ହୋଇଛି।ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ପୂର୍ବରୁ ଅନେକ ଥର ନିଷ୍ପତି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଇ ନାହିଁ | ତେଣୁ ଚଳିତଥର ପୁନର୍ବାର ଦର୍ଶନ ନିଷ୍ପତି କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଉପରେ ସମସ୍ତଙ୍କ ନଜର l
