୮ ବର୍ଷ ପରେ କଲେଜ କ୍ୟାମ୍ପସରେ ନିର୍ବାଚନୀ

୮ ବର୍ଷ ପରେ କଲେଜ କ୍ୟାମ୍ପସରେ ନିର୍ବାଚନୀ ଉଷ୍ମତାପ୍ରାର୍ଥୀପତ୍ର ଦାଖଲକୁ ନେଇ ଛାତ୍ରନେତାଙ୍କ ଉତ୍ସାହ, ଫେରିଲା କ୍ୟାମ୍ପସରେ ରାଜନୀତିର ରଙ୍ଗପୁରୀ, ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପୁରୀର କଲେଜ କ୍ୟାମ୍ପସରେ ଫେରିଛି ରାଜନୀତିର ରଙ୍ଗ। ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରନେତାଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ପ୍ରାର୍ଥୀପତ୍ର ଦାଖଲକୁ ନେଇ କ୍ୟାମ୍ପସରେ ଚଳଚଞ୍ଚଳତା ଦେଖିବାକୁ ମିଳିଛି। ପୁରୀର ପ୍ରମୁଖ ଶିକ୍ଷାନୁଷ୍ଠାନ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, ସୂରଜମଲ୍ଲ ସାହା ମହାବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଛି।ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଶାୟୀ ପ୍ରାର୍ଥୀମାନେ ତତ୍ପର ହୋଇଉଠିଥିବା ବେଳେ ନିଜ ସମର୍ଥକଙ୍କୁ ନେଇ ନିର୍ବାଚନୀ ପ୍ରସ୍ତୁତି ଜୋରଦାର କରିଛନ୍ତି। ବିଭିନ୍ନ ପଦ ପାଇଁ ଲଢ଼ିବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର ସମର୍ଥନ ଜୁଟାଇବା ସହ ସହପାଠୀଙ୍କ ସହ ଆଲୋଚନା ଚଳାଇଛନ୍ତି। ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ଦୀର୍ଘଦିନ ପରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି।ଛାତ୍ର ସଂସଦ ନିର୍ବାଚନ କେବଳ ପଦପଦବି ହାସଲର ଲଢ଼େଇ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷାନୁଷ୍ଠାନର ବିକାଶ ଓ ଛାତ୍ରଙ୍କ ଅଧିକାରକୁ ନେଇ ନିଜର ମତ ରଖିବାର ଏକ ଗଣତାନ୍ତ୍ରିକ ମଞ୍ଚ। ଏହି ନିର୍ବାଚନ ମାଧ୍ୟମରେ ଛାତ୍ରଛାତ୍ରୀ ନିଜ ପ୍ରତିନିଧି ବାଛିବାର ସୁଯୋଗ ପାଇଥାନ୍ତି। ତେଣୁ ଦୀର୍ଘ ବର୍ଷ ପରେ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଆଗ୍ରହ ରହିଛି।ଅନ୍ୟପକ୍ଷରେ, ନିର୍ବାଚନକୁ ନେଇ ବିଭିନ୍ନ ଛାତ୍ରଗୋଷ୍ଠୀ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଯୋଗାଡ଼ରେ ଲାଗିପଡ଼ିଛନ୍ତି। ଆଗାମୀ ଦିନରେ ପ୍ରାର୍ଥୀଙ୍କ ପ୍ରଚାର ଓ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା କ୍ୟାମ୍ପସର ମାହୋଲକୁ ଆହୁରି ସରଗରମ କରିବା ଆଶା କରାଯାଉଛି। ଏବେ ସମସ୍ତଙ୍କ ନଜର ନିର୍ବାଚନୀ ପ୍ରକ୍ରିୟା ଓ ଛାତ୍ରଛାତ୍ରୀଙ୍କ ରାୟ ଉପରେ ରହିଛି।

Leave a Reply

Your email address will not be published. Required fields are marked *