ଇଂରାଜୀ ଭାଷା ସମୃଦ୍ଧିକରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ,୨୬/୯ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏଵଂ ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ସମଗ୍ର ଶିକ୍ଷା, ପୁରୀ ପକ୍ଷରୁ ଇଂରାଜୀ ଭାଷା ସମୃଦ୍ଧିକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡାଏଟ) ପରିସରରେ ଆୟୋଜିତ ଏହି ପଞ୍ଚଦିଵସୀୟ ପ୍ରଶିକ୍ଷଣ ଶିବିରରେ ପୁରୀ ଜିଲ୍ଲାର ୧୧ଟି ଵ୍ଲକରୁ ୬୦ଜଣ ଶିକ୍ଷକ ପ୍ରଶିକ୍ଷାର୍ଥୀରୂପେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦ୍ୱିତୀକାନ୍ତ ପ୍ରଧାନ, ଡାଏଟର ଅଧ୍ୟକ୍ଷ ଡ. କାର୍ତ୍ତିକେଶ୍ୱର ରାଉଳ ଓ ପେଡାଗୋଜି କୋର୍ଡିନେଟର ରମେଶ ବଲ୍ଲଭ ସାହୁ ଯୋଗଦେଇ ପ୍ରଶିକ୍ଷାର୍ଥୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ I ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିକ୍ଷକମାନଙ୍କୁ ଇଂରାଜୀରେ ସ୍ବଚ୍ଛନ୍ଦ ଭାବେ କଥାବାର୍ତ୍ତା କରିବା ପାଇଁ ଆତ୍ମବିଶ୍ବାସୀ କରିବା ସହିତ ସେମାନଙ୍କର ଭାଷାଗତ ତଥା ଯୋଗାଯୋଗ ଦକ୍ଷତାର ବିକାଶ କରିଵା। ପ୍ରଶିକ୍ଷଣ ସମୟରେ ବିଭିନ୍ନ କାର୍ଯ୍ୟକଳାପ, ଆଲୋଚନା, ଦଳଗତ କାର୍ଯ୍ୟ ଓ ଅଭ୍ୟାସ ମାଧ୍ୟମରେ ଶିକ୍ଷକମାନଙ୍କୁ ଇଂରାଜୀ ଭାଷାର ବ୍ୟବହାରିକ ଦିଗ ସମ୍ପର୍କରେ ପ୍ରଶିକ୍ଷିତ କରାଯାଇଥିଲା। ଏହି ପ୍ରଶିକ୍ଷଣରେ ପ୍ରଶିକ୍ଷକ ଭାବେ ପୁଷ୍ପାରାଣୀ ପଣ୍ଡା ଓ ସୁଚିତ୍ରା ଦାସ ଶିକ୍ଷକମାନଙ୍କୁ ବିଭିନ୍ନ ଶିକ୍ଷଣ ପଦ୍ଧତି ଓ ଯୋଗାଯୋଗ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମେଣ୍ଟର ଭାବେ ନୀଳକଣ୍ଠ ନାୟକ, ପ୍ରଦ୍ୟୁମ୍ନ କୁମାର ମହାରଣା, ଜ୍ୟୋତିର୍ମୟୀ ମଟକ ଓ ନିରଞ୍ଜନ ସ୍ୱାଇଁ ଯୋଗଦେଇ ପ୍ରଶିକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଡ. ରବୀନ୍ଦ୍ରନାଥ ମହାନ୍ତି ଏହି କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ । ପ୍ରଶିକ୍ଷଣର ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ଅମ୍ରିତା ପ୍ରୀତିନନ୍ଦା ଓ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ଅତିଥିରୂପେ ଯୋଗଦେଇ ପ୍ରଶିକ୍ଷଣର ଉଦ୍ଦେଶ୍ୟ, ଶିକ୍ଷକମାନଙ୍କ ଭୂମିକା ଓ ଶ୍ରେଣୀକକ୍ଷରେ ଇଂରାଜୀ ଭାଷାର ସଫଳ ପ୍ରୟୋଗ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଶିକ୍ଷକମାନଙ୍କ ମଧ୍ୟରେ ନୂତନ ଉତ୍ସାହ, ଆତ୍ମବିଶ୍ବାସ ଓ ଇଂରାଜୀ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିଥିଲା। ଏପରି ପ୍ରଶିକ୍ଷଣ ଭବିଷ୍ୟତରେ ଶିକ୍ଷକମାନଙ୍କୁ ଅଧିକ ପ୍ରଭାବଶାଳୀ ଭାବେ ଶିକ୍ଷାଦାନ କରିବା ସହ ଛାତ୍ରଛାତ୍ରୀଙ୍କ ଇଂରାଜୀ ଭାଷା ଦକ୍ଷତା ବିକାଶରେ ସହାୟକ ହେବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି। ଏହି ଶୈକ୍ଷିକ କାର୍ଯ୍ୟକ୍ରମକୁ ଶିକ୍ଷାଶାସ୍ତ୍ର ସଂଯୋଜକ ରମେଶ ବଲ୍ଲଭ ସାହୁ ଓ କାର୍ଯ୍ୟକ୍ରମ ସହାୟିକା କବିତା ସୁନ୍ଦରାୟ ସଫଳତାର ସହିତ ପରିଚାଳନା କରିଥିଲେ I
